Latest Odisha News

୧୭ରେ ଖୋଲିବ ସ୍କୁଲ, ସପ୍ତାହେ ପୂର୍ବରୁ ପ୍ରସ୍ତୁତି

ଭୁବନେଶ୍ଵର: ସରିବାକୁ ଯାଉଛି ଗ୍ରୀଷ୍ମ ଅବକାଶ ଛୁଟି । ଆସନ୍ତା ଜୁନ୍ ୧୭ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ। ଏ ନେଇ ସପ୍ତାହେ ପୂର୍ବରୁ ପ୍ରସ୍ତୁତି କରାଯିବ। ସ୍କୁଲ ଖୋଲିବାର ଏକ ସପ୍ତାହ ପୂର୍ବରୁ ସ୍ବଚ୍ଛତା ନେଇ ସୁନିଶ୍ଚିତ କରାଯିବ। ଏହାସହ ଦିନକ ପୂର୍ବରୁ ସମସ୍ତ ଶିକ୍ଷକ, କର୍ମଚାରୀ କାର୍ଯ୍ୟରେ ଯୋଗଦେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବିଦ୍ୟାଳୟ ଖୋଲିବା ପୂର୍ବରୁ ଶ୍ରେଣୀ ଗୃହ, କ୍ୟାମ୍ପସକୁ ସଫା କରାଯିବ । ଅନାବନା ଘାସ କଟାଯିବା ସହ ପାଣି ଟାଙ୍କି ସଫା କରାଯିବ। ଶ୍ରେଣୀ ଗୃହରେ ଥିବା ସମସ୍ତ ଫର୍ଣ୍ଣିଚରକୁ ସଫା କରି ପିଲାଙ୍କ ବସିବା ପାଇଁ ଉପଯୋଗୀ କରାଯିବ। ରୋଷେଇ ଶାଳ, ବାସନ, ଗ୍ୟାସ୍ ଷ୍ଟୋଭ୍ ସବୁକୁ ମଧ୍ଯ ସଫା କରାଯିବ। ମଧ୍ୟାହ୍ନ ଭୋଜନ ପାଇଁ ଥିବା ରୋଷେଇ ସାମଗ୍ରୀ ଓ ଏକ୍ସପ୍ଯାରୀ ତାରିଖକୁ ଯାଞ୍ଚ କରାଯିବ । ସ୍ମାର୍ଟ କ୍ଳାସ ରୁମ୍, ଇ-ଲାଇବ୍ରେରୀକୁ ବ୍ୟବହାର ପାଇଁ ପ୍ରସ୍ତୁତ କରାଯିବ । ସ୍କୁଲ ଖୋଲିବାର ଏକ ସପ୍ତାହ ସୁଦ୍ଧା ଇଣ୍ଟରନେଟ୍ ସଂଯୋଗକୁ ନିଶ୍ଚିତ କରାଯିବ । ପାନୀୟ ଜଳ ଯୋଗାଣକୁ ଗୁରୁତ୍ବ ଦିଆଯିବ । ସ୍କୁଲ ଖୋଲିବାର ଦିନକ ପୂର୍ବରୁ ପାଚିକା ଏବଂ ସହାୟିକା ଆସିବେ। ୧୭ ତାରିଖରେ ସ୍କୁଲ ଖୋଲିବ କିନ୍ତୁ ସେଦିନ ପାଠପଢା ହେବନାହିଁ। ୧୮ ତାରିଖରୁ ପାଠପଢା ଆରମ୍ଭ ହେବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।

ଚଳିତବର୍ଷ ଏପ୍ରିଲ ୨୫ ରୁ ସମସ୍ତ ସ୍କୁଲ ଛୁଟି କରିଦେଇଥିଲେ ରାଜ୍ୟ ସରକାର । ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ପାଇଁ ସମସ୍ତ ସ୍କୁଲକୁ ସକାଳୁଆ କରିଥିବା ବେଳେ ଆସନ୍ତା ୨୫ ରୁ ସ୍କୁଲ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର ।

Comments are closed.