ଭୁବନେଶ୍ୱର: ପ୍ରବଳ ବର୍ଷା ପୂର୍ବାନୁମାନକୁ ଦୃଷ୍ଟିରେ ରଖି କେନ୍ଦୁଝର, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଞ୍ଜର ଜିଲ୍ଲା ପ୍ରଶାସନ ଆଜି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସ୍କୁଲ, କଲେଜ ଏବଂ ଅଙ୍ଗନୱାଡି କେନ୍ଦ୍ର ସାମିଲ ରହିଛି।
ରିପୋର୍ଟ ଅନୁଯାୟୀ, ପାଞ୍ଚଟି ଜିଲ୍ଲା ପାଇଁ ପ୍ରବଳ ବର୍ଷା ସତର୍କତା ଜାରି ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କେନ୍ଦୁଝର ଜିଲ୍ଲାର ଯୋଡା ବ୍ଲକରେ ଜିଲ୍ଲାପାଳ ଏବଂ ପୋଲିସ ଅଧିକ୍ଷକଙ୍କ ଦ୍ୱାରା ନିର୍ଦ୍ଧାରିତ ସାପ୍ତାହିକ ଜନ ଅଭିଯୋଗ ଶୁଣାଣିକୁ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲା ପାଇଁ ସମାନ ବନ୍ଦ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କୁ ଅନାବଶ୍ୟକ ଯାତ୍ରା ଏଡାଇବାକୁ ଏବଂ ପାଣିପାଗ ସମ୍ବନ୍ଧୀୟ ବିପଦ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ବଙ୍ଗୋପସାଗର ଉପରେ ସୃଷ୍ଟ ଏକ ଲଘୁଚାପ କ୍ଷେତ୍ର ସମଗ୍ର ଓଡ଼ିଶାରେ ଚିନ୍ତା ସୃଷ୍ଟି କରିଛି। ରାଜ୍ୟର ଅନେକ ଅଂଶରେ ଜଳମଗ୍ନ ସ୍ଥିତି ଥିବା ବେଳେ ଏହା ପ୍ରଭାବରେ ପରିସ୍ଥିତି ଆହୁରି ସଙ୍ଗୀନ ହେବ ନେଇ ଆଶଙ୍କା କରାଯାଉଛି।ଅପରପକ୍ଷରେ ଆଇଏମଡି ଆଗାମୀ ତିନି ଦିନ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି।
