Latest Odisha News

ସିଂହ, ଗଜ-ସିଂହ ଓ ଗଜ-ବିଡ଼ାଳ (୧)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର”

ଶ୍ରୀମନ୍ଦିରର ସ୍ଥାପତ୍ୟ କଳାକୁ ଅବଲୋକନ କଲେ ଯେ କେହି ସାଧାରଣ ମଣିଷ ଆଖିରେ ସିଂହ ଓ ଗଜ-ସିଂହ ଓ ଗଜ-ବିଡ଼ାଳ ପ୍ରଭୃତିର ବହୁଳ ବ୍ୟବହାର ଦୃଷ୍ଟିଗୋଚର ହୁଏ । ଏହି ଆକୃତିଗୁଡ଼ିକରେ ପ୍ରାଚୀନ ଭାରତୀୟ ବୌଦ୍ଧ ମୂର୍ତ୍ତି କଳା ଓ ସ୍ଥାପତ୍ୟର ପ୍ରଭାବ କିଛିକାଂଶରେ ରହିଛି ବୋଲି ବିଶେଷଜ୍ଞମାନଙ୍କ ମତ । ସମ୍ରାଟ ଖାରବେଳଙ୍କ ଶାସନ କାଳରେ ପ୍ରତିଷ୍ଠିତ ଖଣ୍ଡଗିରି ଓ ଉଦୟଗିରିର ଭାସ୍କର୍ଯ୍ୟରେ ହସ୍ତୀ ଓ ସିଂହ ସମେତ ଅନ୍ୟାନ୍ୟ ପଶୁମାନଙ୍କର ରୂପ ଖୋଦିତ ହୋଇଅଛି । କାଳକ୍ରମେ କଳିଙ୍ଗ ଶୈଳୀର ମନ୍ଦିର ଦେହରେ ଏଗୁଡ଼ିକର ବହୁବିଧ ବିକଶିତ ରଚନା ହୋଇଅଛି । କଳିଙ୍ଗ ଶିଳ୍ପୀ ନିଜର ସୃଜନଶୀଳତାର ପ୍ରୟୋଗରେ ମନ୍ଦିର ଦେହରେ ଅଳଙ୍କରଣ ମାଧ୍ୟମରେ ଚମକ ସୃଷ୍ଟି କରିବା ଅବସରରେ ଅନେକ କାଳ୍ପନିକ ରୂପ ପ୍ରସ୍ତୁତ କରିଥିବାର ଅନୁମାନ କରାଯାଏ । ତନ୍ମଧ୍ୟରୁ କିଛି ରୂପ ଉଦ୍ଭଟ ହୋଇଥିଲା ବେଳେ ଆଉ କିଛିର ସ୍ଥାପତ୍ୟିକ ବିଶେଷତ୍ୱ ରହିଅଛି । ତେବେ ଏହି ଭାସ୍କର୍ଯ୍ୟଗୁଡ଼ିକ ମନ୍ଦିର ଦେହର ମୁଖ୍ୟତଃ ଶୋଭା ମଣ୍ଡନ କରିବାର ଉଦ୍ଦେଶ୍ୟ ସାଧନ କରିଥାଏ । ପ୍ରାଚୀନ ଓଡ଼ିଶାର ଶିଳ୍ପୀମାନେ ଏହି ଆକୃତିଗୁଡ଼ିକୁ ଦେଶୀୟ ଭାଷାରେ ଭିନ୍ନ ଭାବରେ ନାମକରଣ କରିଛନ୍ତି , ଯଥା- ଗଜ-ବିଡ଼ାଳ, ଝାମ୍ପସିଂହ, ଖେପାସିଂହ ଓ ଉଡ଼ାସିଂହ ଇତ୍ୟାଦି ।

ପ୍ରାଚୀନ ଗ୍ରନ୍ଥ ‘ଶିଳ୍ପ ପ୍ରକାଶ’ରେ ଶୁଦ୍ଧ ସଂସ୍କୃତ ଶବ୍ଦ ଏଗୁଡ଼ିକ ନିମନ୍ତେ ବ୍ୟବହାରmକରାଯାଇଛି, ଯଥା- ଗଜାକ୍ରାନ୍ତ, ବିରାଜ, ଜାଗ୍ରତ ଓ ଉଦ୍ୟତ ଉତ୍ୟାଦି । ଚର୍ଚ୍ଚିତ ଶ୍ରୀଜଗନ୍ନାଥ ମନ୍ଦିରରେ ସିଂହଦ୍ୱାରଠାରୁ ଆରମ୍ଭ କରି ବିମାନର ମସ୍ତକରେ ଅଳାଁବେଢ଼ା ପର୍ଯ୍ୟନ୍ତ ବିଭିନ୍ନ ଅଂଶରେ ବିଭିନ୍ନ ଆକୃ୍‌ତିର ସିଂହ, ଗଜ-ସିଂହ, ଗଜ-ବିଡ଼ାଳ ପ୍ରଭୃତି ବିଭିନ୍ନ ଆକୃତିର ମୂର୍ତ୍ତି ସ୍ଥାନିତ ହୋଇ ଶୋଭାବର୍ଦ୍ଧନ କରୁଛନ୍ତି । ଏହି ପର୍ଯ୍ୟାୟର ମୂର୍ତ୍ତିଗୁଡ଼ିକୁ ବିଭିନ୍ନ ଭାଗରେ ବିଭକ୍ତ କରି ଆଲୋଚନା କରାଯାଇପାରେ ।

ପାରମ୍ପରିକ ମନ୍ଦିର ର୍ନିମାଣରେ ଏଗୁଡ଼ିକ ଏକ ପ୍ରମୁଖ ଆଳଙ୍କରିକ ବିଭବ । ସିଂହ – ଶ୍ରୀମନ୍ଦିର ସିଂହଦ୍ୱାରର ପ୍ରବେଶ ପଥରେ ଦୁଇ ପାଶ୍ୱର୍ରେ ରହିଥିବା ସିଂହ ମୂର୍ତ୍ତିର ଉଚ୍ଚତା ପ୍ରାୟ ଛଅ ଫୁଟ । ଏହାର ଗଠନରେ କଳିଙ୍ଗ ଶୈଳୀର ସ୍ୱତନ୍ତ୍ରତା ପରିଲକ୍ଷିତ ହୁଏ । ଶାସ୍ତ୍ରୀୟ ଭାଷାରେ ଏହାକୁ ‘ଗଜାକ୍ରାନ୍ତ ସିଂହ’ ବୋଲି କୁହାଯାଏ । ଏହି ସିଂହର ମୁଖମଣ୍ଡଳ ତଥା ତୀକ୍ଷ୍ଣ ନାସା , ବୃହତ୍ ଚକ୍ଷୁ ଦ୍ୱୟ, ଦୁଇ ପାଶ୍ୱର୍କୁ ପ୍ରଲମ୍ବିତ ମୋଡ଼ା ନିଶ, ଉନ୍ମୁକ୍ତ ଦନ୍ତ ପଂକ୍ତି, ଉଦ୍‌ଗତ ଜିହ୍ୱା, ମସ୍ତକରେ ମୁକୁଟ ସଦୃଶ କେଶର, ଉନ୍ନତ ବକ୍ଷରେ ଶୋଭିତ ଅଳଙ୍କାର ତଥା କପାଳରେ ଚିତା ଏହାର ଅନନ୍ୟତା ପ୍ରମାଣିତ କରେ ।

ଭାରତ ବର୍ଷ ତଥା ଏପରିକି ପୂର୍ବ ଏସିଆର ବିଭିନ୍ନ ଦେଶରେ ଥିବା ଅସଂଖ୍ୟ ହିନ୍ଦୁ ଓ ବୁଦ୍ଧ ମନ୍ଦିରମାନଙ୍କରେ ସିଂହ ମୂର୍ତ୍ତିର ଅବତାରଣା ଦେଖାଯାଉଥିଲେ ମଧ୍ୟ ଏହି ଶୈଳୀର ସିଂହ ଦୁର୍ଲ୍ଲଭ । ଏହି ସିଂହ ମୂର୍ତ୍ତି , ପଛ ଦୁଇ ଗୋଡ଼ ଭାଙ୍ଗି ବସିରହି ଆଗ ଦୁଇ ଗୋଡ଼ ମଧ୍ୟରୁ ବାମ ଗୋଡ଼ ଭୂମିରେ ଲାଗିଥିବା ବେଳେ ଡାହାଣ ଗୋଡ଼ଟି ଭାଙ୍ଗି ଉପରକୁ ଟେକି ରହିଅଛି । ସମ୍ମୁଖରୁ ଦେଖିଲେ ଏହାର ଆକ୍ରମଣାତ୍ମକ ଭଙ୍ଗୀ ଦୃଶୀଭୂତ ହୁଏ । ପ୍ରକାଶଯୋଗ୍ୟ ଯେ ସିଂହଦ୍ୱାରର ଦୁଇ କବାଟ ଫାଳରେ ନିକଟରେ ସଂଯୋଜିତ ଦୁଇ ସିଂହ ମୂର୍ତ୍ତି ଆମ ପାରମ୍ପରିକ ଶୈଳୀର ପରିପନ୍ଥୀ ବୋଲି କଳା ବିଶେଷଜ୍ଞମାନଙ୍କ ମତ ।

ସମ ଆକୃତି ବିଶିଷ୍ଟ ଅନ୍ୟ ଦୁଇଗୋଟି ସିଂହ ଶ୍ରୀମନ୍ଦିରର ବାଇଶି ପାହାଚ ଉପରେ ଆନନ୍ଦ ବଜାର ପ୍ରବେଶ ପଥର ଦୁଇ ପାଶ୍ୱର୍ରେ ରହିଥିବା ଦେଖାଯାଏ । ଏହି ସିଂହ ମୂର୍ତ୍ତି ଦ୍ୱୟ ସିଂହଦ୍ୱାରରେ ଥିବା ସିଂହ ଦୁଇଟିଠାରୁ ପ୍ରାଚୀନ ଏବଂ ଆକାରରେ ବୃହତ୍ । ଏହାର ଉଚ୍ଚତା ପ୍ରାୟ ୮ ଫୁଟ । କୁର୍ମବେଢ଼ାର ଗଠନ କାଳରେ ଏହିଠାରେ ସିଂହଦ୍ୱାର ଥିଲା । ପରବର୍ତ୍ତିୀ କାଳରେ ମେଘନାଦ ପ୍ରାଚୀର ସହିତ ସିଂହଦ୍ୱାର ଗୁମୁଟର ନିର୍ମାଣ ହୋଇଥିବାରୁ ଏହାର ଦୁଇ ପାଶ୍ୱର୍ରେ ଅନୁରୂପ ସିଂହ ଦୁଇଟି ସ୍ଥାପନ କରାଯାଇଛି । ମନ୍ଦିର ପ୍ରବେଶ ପଥରେ ସିଂହ ମୂର୍ତ୍ତିର ଅବତାରଣା ନକରାତ୍ମକ ଶକ୍ତିକୁ ଭିତରେ ପ୍ରବେଶ କରିବାରେ ବାଧକ ସାଜେ ବୋଲି ସାଧାରଣ ଭାବେ ବିଶ୍ୱାସ କରାଯାଏ । ସିଂହଦ୍ୱାର ଗୁମୁଟର ଆକାର ଓ ଉଚ୍ଚତା ଦୃଷ୍ଟିରୁ ଏହା ସହିତ ସନ୍ତୁଳନ ରକ୍ଷାକରି ଏହି ସିଂହଦ୍ୱୟର ଆକାର-ପ୍ରକାର ସ୍ଥିରୀକୃତ ହୋଇଅଛି । ଏହା କ୍ଷୁଦ୍ରାକାରର ହୋଇଥିଲେ ଅସନ୍ତୁଳିତ ହୋଇଥାନ୍ତା ।

ଏହିଭଳି ଏକ ଗୋଡ଼ ଟେକିଥିବା, ଗଜାକ୍ରାନ୍ତ ସିଂହ ଶ୍ରୀମନ୍ଦିରର ଅନେକ ଅଂଶରେ ରହିଥିବାର ଦେଖାଯାଏ । ବିଶେଷକରି ଭୋଗ ମଣ୍ଡପ ତଥା ଜଗମୋହନର ଗଣ୍ଡିରେ ଥିବା ପିଢ଼ମାନଙ୍କର ବିଭିନ୍ନ ସ୍ତରରେ ରହିଥିବାର ଦେଖାଯାଏ । ଭୋଗ ମଣ୍ଡପର
ଗଣ୍ଡିରେ ଥିବା ତିନି ଥାକ ପୀଢ଼ର କେନ୍ଦ୍ରରେ ଚାରିଦିଗକୁ ମୁହଁ କରି ପ୍ରତିପାଶ୍ୱର୍ରେ ତିନିଗୋଟି କରି ମୋଟ ବାରଗୋଟି ସିଂହ ମୂର୍ତ୍ତି ଅଳଙ୍କାର ସଦୃଶ ରହିଛନ୍ତି । ତଳ ସ୍ତରରେ ରହିଥିବା ସିଂହର ଉଚ୍ଚତା ପ୍ରାୟ ୬ଫୁଟ ହେବ । ବିମାନର ଗଣ୍ଡିର ଚତୁଃପାର୍ଶରେ ଥିବା ଏହି ଶୈଳୀର ସିଂହ ଦେଖାଯାଏ । ପଶ୍ଚିମ ପାଶ୍ୱର୍ର ରାହାପଗରେ ଥିବା ଗଜାକ୍ରାନ୍ତ ସିଂହ ଏକ କୀର୍ତ୍ତି ମୁଖ ଉପରେ ପାଦ ଦେଇ ରହିଥିବାର ଦେଖାଯାଏ । ଏହା ବ୍ୟତୀତ କାରୁକାର୍ଯ୍ୟ ମଣ୍ଡିତ ମନ୍ଦିର ଦେହରେ ଅନେକ ସ୍ଥାନରେ ଏହିଭଳି ସିଂହର ବିଭିନ୍ନ ଆକୃତି ଦୃଶୀଭୂତ ହୁଏ ।

ଉଦ୍ୟତ ସିଂହ – କଳିଙ୍ଗ ଶୈଳୀର ମନ୍ଦିରମାନ ଯେକୌଣସି ପ୍ରକାର ହେଲେ ମଧ୍ୟ ଅଳଙ୍କରଣରେ ବିଭିନ୍ନ ପ୍ରକାର ସିଂହ ମଧ୍ୟରେ ଉଦ୍ୟତ ସିଂହ ଅନ୍ୟତମ । ଏହା ପଛ ଦୁଇ ଗୋଡ଼ରେ ବସିଥିବା ବେଳେ ଆଗ ଦୁଇ ଗୋଡ଼ ଉପରକୁ ଟେକି କୁଦା ମାରିବା ଭଙ୍ଗୀରେ ରହିଥିବାରୁ ଏହାକୁ ‘ଉଦ୍ୟତ ସିଂହ’ ନାମକରଣ କରାଯାଇଛି । ସିଂହ ଦ୍ୱାର ଗୁମୁଟର ଅଳାଁ ବେଢ଼ା ତଳେ ପୂର୍ବ ପାଶ୍ୱର୍ରୁ ଆରମ୍ଭ କରି ଭୋଗ ମଣ୍ଡପ ଓ ଜଗମୋହନର ଗଣ୍ଡିରେ ଥିବା ପିଢ଼ମାନଙ୍କର ବିଭିନ୍ନ ସ୍ତରରେ ରହିଥିବାର ଦେଖାଯାଏ । ଆହୁରି ମନ୍ଦିର ଦେହରେ ଛୋଟ ବଡ଼ ଯେତେ ପୀଢ଼ମୁଣ୍ଡି, ବଜ୍ରମୁଣ୍ଡି ଓ ଅଙ୍ଗଶିଖର ଇତ୍ୟାଦିର ଉପରିଭାଗରେ କଳସ ତଳେ ଦୁଇ ପାଶ୍ୱର୍ରେ ଦୁଇଗୋଟି ଉଦ୍ୟତ ସିଂହ ମୂର୍ତ୍ତି ଖୋଦିତ ହୋଇଅଛି ।

ଦୋପିଚା ସିଂହ – ଯେକୌଣସି ଶୈଳୀର ମନ୍ଦିର ହେଲେ ମଧ୍ୟ ମସ୍ତକରେ ଶୋଭିତ ଅଳାଁବେଢ଼ାର ନିମ୍ନରେ ଅର୍ଥାତ୍ ସ୍କନ୍ଧଦେଶରେ ବା ବିସମ ଉପରେ ଚାରିକୋଣକୁ ମୁହଁକରି ଏହି ବୈଚିତ୍ରପୂର୍ଣ୍ଣ ସିଂହ ମୂର୍ତ୍ତି ଦେଖିବାକୁ ମିଳେ । ପୀଢ଼ ଦେଉଳର ମସ୍ତକ ବା ଘଣ୍ଟି ର ତଳେ ମଧ୍ୟ ଏଗୁଡ଼ିକ ବିଦ୍ୟମାନ । ଦୋପିଚା ସିଂହର ଗୋଟିଏ ମସ୍ତକ ରହିଥିବାବେଳେ ଦୁଇ ପାଶ୍ୱର୍ରେ ଦୁଇଟି ଗଣ୍ଡି ବା ଶରୀର ରହିଥାଏ । ଉକ୍ତ ସିଂହ ମୂର୍ତ୍ତି ଏପରି ଭାବେ ନିର୍ମିତ ଯେ ମନ୍ଦିରକୁ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଯେକୌଣସି ଦିଗରୁ ଲକ୍ଷ୍ୟ କଲେ ଦୁଇ ପାଶ୍ୱର୍ରେ ଦୁଇଟି ସିଂହ ମୂର୍ତ୍ତି ରହିଥିବାର ଦୃଷ୍ଟିଗୋଚର ହୁଏ । ତେଣୁ ବେକୀ ଚତୁଃପାଶ୍ୱର୍ରେ ସମୁଦାୟ ଆଠଗୋଟି ସିଂହ ରହିଥିବାର ଭ୍ରାନ୍ତ ଧାରଣା ସୃଷ୍ଟି ହୁଏ । ଶୈଳ୍ପିକ ସୂତ୍ର ଅନୁଯାୟୀ ଏହି ଦୋପିଚା ସିଂହଗୁଡ଼ିକ ସନ୍ଧିସ୍ଥଳରେ ରହି ଉପରର ଉଦ୍‌ଗତ ଅଳାଁବେଢ଼ାର ଭାରକୁ କିଛିଟା ସହାୟତା ଦେଇଥାଏ । ମନ୍ଦିର ସ୍ଥାପତ୍ୟର ଗଠନରେ ଏହିଭଳି କଠିନ ସ୍ଥଳରେ କୋଣବର୍ତ୍ତି ସ୍ଥାନମାନଙ୍କରେ ସ୍ଥାପିତ ଦୋପିଚା ସିଂହ, କଳିଙ୍ଗ ଶିଳ୍ପୀହାତର ଏକ ମୌଳିକ ସୃଷ୍ଟି ବୋଲି ବିଚାର କରାଯାଏ ।

କ୍ରମଶଃ…

ଦେବୀ ପ୍ରସନ୍ନ ନନ୍ଦ,
କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯

Comments are closed.