Latest Odisha News

BREAKING NEWS

ରାଜଧାନୀରେ ଲଜ୍ଜା! ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ଡିସିପିଙ୍କଠାରୁ ରିପୋର୍ଟ ତଲବ କଲେ ମହିଳା କମିଶନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଥିବା ନୟାପଲ୍ଲୀ ଅଞ୍ଚଳରେ ଘଟିଯାଇଥିବା ଏକ ଲୋମହର୍ଷକ ତଥା ଅଭାବନୀୟ ଦୁଷ୍କର୍ମ ଘଟଣା ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ବନ୍ଧୁକ ମୁନରେ ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ତାଙ୍କ ଭଡ଼ା ଘରେ ପଶି ଦୁଷ୍କର୍ମ କରାଯିବା ଘଟଣାକୁ ନେଇ ଓଡ଼ିଶା ରାଜ୍ୟ ମହିଳା କମିଶନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ଏହି ସମ୍ବେଦନଶୀଳ ମାମଲାର ନିଜ ଆଡୁ ବିଚାର କରି କମିଶନ ଭୁବନେଶ୍ୱର ଡେପୁଟି କମିଶନର ଅଫ୍ ପୋଲିସଙ୍କ ଠାରୁ ଆଗାମୀ ୧୫ ଦିନ ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ବୁଧବାର ବିଳମ୍ବିତ ରାତିରେ ନୟାପଲ୍ଲୀ ଥାନା ଅଧୀନରେ ଥିବା ଏକ ଭଡ଼ା ଘରେ ଏକୁଟିଆ ରହୁଥିବା ଜଣେ ଯୁବତୀଙ୍କ ଘରେ ଜଣେ ମୁଖାପିନ୍ଧା ଦୁର୍ବୃତ୍ତ ପଶିଥିଲା । ସେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ପୋଲିସ ନିକଟରେ ଗୁରୁତର ଅଭିଯୋଗ ହୋଇଛି । ଏହି ଘଟଣା ପରେ ଶୁକ୍ରବାର ଦିନ ରାଜ୍ୟ ମହିଳା କମିଶନଙ୍କ ସଦସ୍ୟା ଉର୍ମିଳା ମହାପାତ୍ର ସିଧାସଳଖ ନୟାପଲ୍ଲୀ ଥାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେଠାରେ ସେ ତଦନ୍ତକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରି ମାମଲାର ଅଗ୍ରଗତି ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ କରିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ।

ଥାନାରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉର୍ମିଳା ମହାପାତ୍ର କହିଛନ୍ତି ଯେ, “ଓଡ଼ିଶାରେ ମହିଳାମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ତେବେ ଅପରାଧ ଯେକୌଣସି ସ୍ଥାନରେ ଘଟିପାରେ ତାହା ଘର ଭିତରେ ହେଉ, ବସ୍ ଷ୍ଟାଣ୍ଡରେ ହେଉ କିମ୍ବା ରାସ୍ତାଘାଟରେ । କିନ୍ତୁ ବର୍ତ୍ତମାନ ଯୁବପିଢ଼ିଙ୍କ ବିକୃତ ମାନସିକତାରେ ପରିବର୍ତ୍ତନ ଆସିବାର ନିତାନ୍ତ ଆବଶ୍ୟକତା ରହିଛି ।” ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟ ସରକାର ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ସତ୍ୟାସତ୍ୟ ଉନ୍ମୋଚନ ପାଇଁ ପୋଲିସ ପକ୍ଷରୁ ତନ୍ନ ତନ୍ନ କରି ତଦନ୍ତ ଜାରି ରହିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପୀଡ଼ିତା ଏବଂ ଅଭିଯୁକ୍ତ ପୂର୍ବରୁ ପରସ୍ପରକୁ ଜାଣି ନାହାନ୍ତି । ପୀଡ଼ିତାଙ୍କ ଏତଲା ଆଧାରରେ ତଦନ୍ତ ପ୍ରକ୍ରିୟା ଆଗେଇ ଚାଲିଛି ଏବଂ ଖୁବଶୀଘ୍ର ଅଭିଯୁକ୍ତ ପୋଲିସ ଜାଲରେ ପଡ଼ିବ ବୋଲି ସେ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି ।

ଅନ୍ୟପକ୍ଷରେ, ରାଜଧାନୀରେ ମହିଳାଙ୍କ ନିରାପତ୍ତାକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ରଖି ଭୁବନେଶ୍ୱର ଡିସିପି ସର୍ବଣା ବିବେକ ଏମ୍. ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଅପରାଧୀକୁ ଯଥାଶୀଘ୍ର ଧରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।

Leave A Reply

Your email address will not be published.