ଭୁବନେଶ୍ବର:କମ୍ ସମୟରେ, କମ୍ ଭଡ଼ାରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ବୁଲିବେ ପର୍ଯ୍ୟଟକ । ଆଉ ତାହା ବି ପୁଣି ହେଲିକପ୍ଟରରେ । ଓଡ଼ିଶାରେ ଖୁବ୍ଶୀଘ୍ର ସି-ପ୍ଲେନ୍ ଏବଂ ହେଲି ଟ୍ୟାକ୍ସି ପ୍ରଚଳନ କରାଯିବ । ଆଜି ସୂଚନା ଦେଇଛନ୍ତି ବାଣିଜ୍ୟ ଏବଂ ପରିବହନ ସଚିବ ଉଷା ପାଢୀ ।
ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ ଦେବା ପରେ ପାଢୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶା କିପରି ଆଗକୁ ବଢ଼ିପାରିବ ସେ ବିଷୟରେ ଭାରତ ସରକାରଙ୍କ ସହିତ ଆଲୋଚନା ହୋଇଛି।
ସୂଚନାଥାଉକି, ଭାରତ ଥରେ ସି-ପ୍ଲେନ୍ ଆରମ୍ଭ କରିଥିଲା, କିନ୍ତୁ ଏହା ଗୋଟିଏ ରୁଟ୍ ପର୍ଯ୍ୟନ୍ତ ସୀମିତ ଥିଲା । ଓଡ଼ିଶାରେ ସି-ପ୍ଲେନ୍ ପ୍ରଚଳନ ବିଷୟରେ କହିଛନ୍ତି ଯେ ଓଡ଼ିଶାରେ ମଧ୍ୟ ସି-ପ୍ଲେନ୍ ପ୍ରଚଳନ କରାଯିବ, କାରଣ ଏଥିରେ ସମ୍ଭାବନା ରହିଛି ।
ଆସନ୍ତା ଅକ୍ଟୋବର ସୁଦ୍ଧା ଦେଶର ୨ଟି ରୁଟରେ ସିପ୍ଲେନ ସେବା ଆରମ୍ଭ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିଚାର କରୁଛି । ଅକ୍ଟୋବର ସୁଦ୍ଧା ଆଣ୍ଡାମାନ ଏବଂ ନିକୋବର, କେରଳ କିମ୍ବା ଆନ୍ଧ୍ର ପ୍ରଦେଶ ନେଟୱାର୍କରେ ସିପ୍ଲେନ୍ ଚଳାଚଳ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ଏଥିସହ ଓଡ଼ିଶାର ଏୟାର କନେକ୍ଟିଭିଟି ବୃଦ୍ଧି ପାଇଁ ୨୨ଟି ଅଚଳ ଏୟାରଷ୍ଟ୍ରିପକୁ ପୁଣି କାର୍ଯ୍ୟକ୍ଷମ କରାଯିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ସୂଚନା ଦେଇଛନ୍ତି ।
Comments are closed.