Latest Odisha News

ମହାରାଷ୍ଟ୍ରରେ ପୁଣି ଥରେ ହେବ ଲକଡାଉନ !

ମୁମ୍ବାଇ : ମହାରାଷ୍ଟ୍ରରେ ବଢୁଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଦିନକୁ ଦିନ ସ୍ଥିତି ସଙ୍ଗୀନ ରୂପ ନେବାରେ ଲାଗିଲାଣି । ରାଜ୍ୟରେ ସଂକ୍ରମଣକୁ ରୋକିବା ପାଇଁ ଆଉଥରେ ଲକଡାଉନ କରିବାକୁ ପ୍ରସ୍ତୁତ ହେଉଛନ୍ତି ଉଦ୍ଧବ ଠାକରେ ସରକାର । ଆଜି ରାତିରୁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ, ସମସ୍ତ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କରୋନା ସମୀକ୍ଷା କରିବା ପରେ ରାଜ୍ୟରେ ପୁଣି ଥରେ ଲକଡାଉନ ଲାଗୁ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି ।

ଯଦି ଲୋକେ କରୋନା ସଂପର୍କିତ ନିୟମ କଡାକଡି ମାନିବେ ନାହିଁ, ତେବେ ଲକ୍‌ଡାଉନ୍‌ ପରି କଟକଣା ଲଗାଯିବ । ଉଦ୍ଧବ ଠାକରେ କହିଛନ୍ତି, ଏବେ ବି ଲୋକେ କରୋନା ଗାଇଡଲାଇନକୁ ମାନୁନାହାନ୍ତି । ଯେଉଁଥିପାଇଁ ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପୁଛି ସଂକ୍ରମଣ । କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ରାଜ୍ୟରେ ଦ୍ବିତୀୟ ଲକଡାଉନ କରିବାକୁ ବିଚାର କରାଯାଉଛି ।

ଲକଡାଉନ ଲାଗୁ ହେଲେ ଖାଦ୍ୟ ଶସ୍ୟ, ଔଷଧ, ଅତ୍ୟାବଶ୍ୟକ ସେବା ତଥା ଚିକିତ୍ସା ସୁବିଧା ଯେପରି ପ୍ରଭାବିତ ନହେବ, ସେଥିପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଉଦ୍ଧବ ଠାକରେ । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୩୫ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ୧୬୬ ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।

Comments are closed.