Latest Odisha News

ଆରବିଆଇ ପକ୍ଷରୁ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ପୁରୀ ଜିଲ୍ଲାରେ ଆଜି ଏକ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ (ଏଫ୍ଏଲ୍ଏଫ୍ଏଲ୍ଇ) ଅନୁଷ୍ଠିତ ହୋଇଯାଇଛି । ଏହାକୁ ମଧୁକର ଆନନ୍ଦ, ଉପ ମହାପ୍ରବନ୍ଧକ, ଆରବିଆଇ; ନୀଳମାଧବ ଭୋଇ, ପୁରୀ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ); ଗୌତମ ପାତ୍ର, ମହାପ୍ରବନ୍ଧକ ଏବଂ ଏସଏଲବିସି କନଭେନର; ଭରତ ଚରଣ ସାହୁ, ଆଞ୍ଚଳିକ ପ୍ରବନ୍ଧକ, ଏସବିଆଇ ଓ ଗୁରୁପାଦ ପ୍ରଧାନ, ସହାୟକ ମହାପ୍ରବନ୍ଧକ, ପିଏନବି ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

 

ଏହାପରେ ମଧୁକର ଆନନ୍ଦ ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ତମ ବାର୍ଷିକୀ ଏବଂ ଏହାକୁ ପାଳନ କରିବା ପାଇଁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଆର୍ଥିକ ସାକ୍ଷରତା ଓ ସଚେତନତା ଏବଂ ଏ ଦିଗରେ ଆରବିଆଇ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଆର୍ଥିକ ସଚେତନତାର ଆବଶ୍ୟକତା ଉପରେ ପୁରୀ ଏଡିଏମ୍ ଗୁରୁତ୍ୱାରୋପ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, କୃଷକ, ଉଦ୍ୟୋଗୀ ଓ ବରିଷ୍ଠ ନାଗରିକଙ୍କ ଭଳି ବିଭିନ୍ନ ଟାର୍ଗେଟ୍ ଗ୍ରୁପ୍ ରୁ ପ୍ରାୟ ୧୪୦ ଜଣ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ । ଭାରତୀୟ ରିଜର୍ଭ ବ୍ୟାଙ୍କର ବିଭିନ୍ନ ବିଭାଗ ଯଥା ଏଫ୍ଆଇଡିଡି, ଡିଓଏସ୍, ଆଇବିଡି ଓ ସିଇପିସିର ମିଳିତ ସମନ୍ୱୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ଆର୍ଥିକ ଯୋଜନା, ସଞ୍ଚୟ ଏବଂ ଦାୟିତ୍ୱପୂର୍ଣ୍ଣ ଋଣ ନେବା, ନିବେଶ, ବୀମା ସମେତ ସାମାଜିକ ସୁରକ୍ଷା ଯୋଜନା ଏବଂ ପେନସନ, ଶିକ୍ଷା ଋଣ ପାଇଁ ବିଦ୍ୟା ଲକ୍ଷ୍ମୀ ପୋର୍ଟାଲ ଆଦି ଉପରେ ସେମାନଙ୍କର ଅଧିବେଶନ ରଖିଥିଲେ । ଅଂଶଗ୍ରହଣକାରୀଙ୍କୁ ନକଲି ନୋଟ୍ ଚିହ୍ନଟ, ବ୍ୟାଙ୍କ ଦ୍ୱାରା ନୋଟ୍ ବିନିମୟ ସୁବିଧା ଏବଂ ମୁଦ୍ରା ଗୁଡିକର ଲିଗାଲ ଟେଣ୍ଡର ସମ୍ପର୍କରେ ଅବଗତ କରାଯାଇଥିଲା ।

ଏହାବ୍ୟତୀତ ବିଭିନ୍ନ ପ୍ରକାର ଠକେଇ ସମେତ ବାସ୍ତବ ଜୀବନର ଉଦାହରଣ ଦେଇ ସାଇବର ଠକେଇ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଫୋନ୍ ମାଧ୍ୟମରେ କୌଣସି ବି ବ୍ୟକ୍ତି ସହିତ ଆର୍ଥିକ ସୂଚନା ସେୟାର ନ କରିବାକୁ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରାଯାଇଥିଲା । ଶେଷରେ ଆରବିଆଇର ଅଭିଯୋଗ ସମାଧାନ ବ୍ୟବସ୍ଥା ଏବଂ ଅଭିଯୋଗ ଦାଖଲ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଯାଇଥିଲା । ସମସ୍ତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ପ୍ରାସଙ୍ଗିକ ଲିଫ୍ଲେଟ୍ ବଣ୍ଟନ କରାଯାଇଥିଲା ।

କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅଡିଓ ଏବଂ ଭିଜୁଆଲ ବିଷୟବସ୍ତୁ ମଧ୍ୟ ବ୍ୟବହାର କରାଯାଇଥିଲା। ଅଂଶଗ୍ରହଣକାରୀଙ୍କ ପ୍ରଶ୍ନର ସମାଧାନ ପାଇଁ ଏକ ପ୍ରଶ୍ନ ଉତ୍ତର ଅଧିବେଶନ ରଖା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏଲଡିଏମ, ଡିଡିଏମ ଏବଂ ଆରବିଆଇର ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Comments are closed.