ପୁରୀ: ଆଉ କେଇଟା ଦିନ ପରେ ୨୦୨୪ କୁବିଦାୟ ଦେଇ ୨୦୨୫କୁ ସ୍ବାଗତ କରିବେ ଲୋକେ । ଏହି ନୂଆବର୍ଷ ଅନେକ ପ୍ରଭୁ ଦର୍ଶନରୁ ଆରମ୍ଭ କରିବାକୁ ଚାହିଁଥାନ୍ତି । ତେଣୁ ଓଡିଶାର ହର୍ତ୍ତାକର୍ତ୍ତା ମହାପ୍ରଭୁ ଜଗନ୍ନାଥ ହୋଇଥିବାବେଳେ, ତାଙ୍କ ଦର୍ଶନ ପାଇଁ ଏବେଠୁ ଆରମ୍ଭ ହୋଇଯାଇଛି ପ୍ରବଳ ଭିଡ । ଆଉ ନୂଆ ବର୍ଷ ଅବସରରେ ଏହି ଭିଡର ମାତ୍ରା ବହୁ ଅଧିକ ହେବାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଯୋରଦାର ପ୍ରସ୍ତୁତି ।
ତେବେ ନୂଆ ବର୍ଷରେ ସିସିଟିଭି ନଜରରେ ରହିବ ସମଗ୍ର ଶ୍ରୀକ୍ଷେତ୍ର । ପୁରୀର ମୁଖ୍ୟ ପ୍ରବେଶପଥରେ ଚେକିଂକୁ କଡାକଡି କରାଯିବ । ଡିସେମ୍ବର ୩୧ ତାରିଖଠୁ ନୂଆବର୍ଷ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ଆଶଙ୍କାରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଏହି ଅବସରରେ ପୁରୀକୁ ଜଗିବେ ୬୦ ପ୍ଲାଟୁନ୍ ଫୋର୍ସ ।
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା ନେଇ ବ୍ୟାପକ ପ୍ରସ୍ତୁତି କରିଛି ପୁରୀ ପୁଲିସ । ବେଳାଭୂମିରେ ପର୍ଯ୍ୟାପ୍ତ ଲାଇଫଗାର୍ଡ ମୁତୟନ ହେବାସହ ଜିରୋ ନାଇଟ୍ ସେଲିବ୍ରେସନ ବେଳେ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯିବ । ଏହି ସମୟରେ ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ।
ସେହିଭଳି ଗାଡି ପାର୍କିଂର ସମସ୍ୟା ଯେପରି ନହୁଏ ସେନେଇ ଯୋଜନା ପ୍ରସ୍ତୁତ ସରିଛି । ମେଡିକାଲ୍ ଛକଠାରୁ ଶ୍ରୀମନ୍ଦିର ଓ ବେଳାଭୂମି ପର୍ଯ୍ୟନ୍ତ କୌଣସି ଚାରିଚକିଆ ଯାନ ଯାତାୟାତ କରିବ ନାହିଁ । ମାର୍କେଟ ଛକଠାରୁ ହେବ ନୋ ଭେଇକିଲ ଜୋନ୍ । ତେବେ ଭୁବନେଶ୍ୱର ପଟରୁ ଆସୁଥିବା ଚାରିଚକିଆ ଯାନ ଜେଲ୍ ରୋଡ ପାର୍କିଂରେ ରହିବାକୁ ଥିବାବେଳେ, କୋଣାର୍କରୁ ଆସୁଥିବା ଚାରିଚକିଆ ତାଳବଣିଆ ପାର୍କିଂରେ ଓ ବ୍ରହ୍ମଗିରିରୁ ଆସୁଥିବା ଚାରିଚକିଆ ଯାନ ଷ୍ଟର୍ଲିନ କିମ୍ବା ଯାତ୍ରିକା ପାର୍କିଂରେ ରହିବା ନେଇ ନିଷ୍ପତ୍ତି ହୋଇଛି ।