Latest Odisha News

BREAKING NEWS

ବିଏସଏଫ୍ ଯବାନଙ୍କ ବଦଲା: ଗଡିଲା ୭ ଆତଙ୍କୀଙ୍କ ମୁଣ୍ଡ

ନୂଆଦିଲ୍ଲୀ: ପ୍ରତିଶୋଧ ନେଉଛି ଭାରତ। କେବଳ ପ୍ରତିଆକ୍ରମଣରେ ଜବାବ ଦଉଛି। ତାହା ପୁଣି ପୁରା କଡ଼ା ଜବାବ। ପଣ୍ଡ କରୁଛି ପାକିସ୍ତାନର ସବୁ ଯୋଜନା। ଆକାଶ ମାର୍ଗରେ ଭାରତୀୟ ସେନା କଡ଼ା ଜବାବ ଦେଉଥିବା ବେଳେ ଏବେ ସୀମାରେ ବି ଆସିଛି ଯବାନଙ୍କ ସଫଳତାର ଚିତ୍ର। କେମିତି ପାକିସ୍ତାନକୁ ମାରି ଗଡାଉଛି ସେନା। ଭାରତ ପାକିସ୍ତାନ ଉତ୍ତେଜନାରେ ସାମ୍ବାରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲା ବିଏସଏଫ୍ ଯବାନ। ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୭ ଜଣ ଆତଙ୍କବାଦୀଙ୍କୁ ନିହତ କରିଛି ଯବାନ ।

ଶୁକ୍ରବାର ପ୍ରତ୍ୟୁଷରେ ଜମ୍ମୁ ଓ କାଶ୍ମୀରର ସାମ୍ବା ଜିଲ୍ଲାରେ ଅନ୍ତର୍ଜାତୀୟ ସୀମାରେ ସୀମା ସୁରକ୍ଷା ବଳ ବିଏସଏଫ୍ ଏକ ବଡ଼ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛି। ଯେଉଁଥିରେ ଜୈଶ-ଏ-ମହମ୍ମଦ (JeM) ସହିତ ଜଡିତ ଥିବା ସନ୍ଦେହ କରାଯାଉଥିବା ସାତ ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇଛି।ଗତ ମେ ୮ ରାତି ପ୍ରାୟ ୧୧ଟା ସମୟରେ ଆରମ୍ଭ ହୋଇଥିଲା ଭାରତର ପାକିସ୍ତାନଠୁ ପ୍ରତିଶୋଧ ଅଭିଯାନ। ଯେଉଁଥିରେ ବିଏସଏଫ୍ ସୈନିକମାନେ ସାମ୍ବା ସୀମା ନିକଟରେ ସନ୍ଦେହଜନକ ଗତିବିଧି ଚିହ୍ନଟ କରିଥିଲେ। ସେଦିନ ମଧ୍ୟ ପ୍ରାୟ ୧୧ଟାରେ ବିଏସଏଫ୍ ଜାମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲାର ଅନ୍ତର୍ଜାତୀୟ ସୀମାରେ ଏକ ବଡ଼ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲା।

ତେବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ମଧ୍ୟରେ ଏହି ଘଟଣା ଘଟିଛି। ଗୁରୁବାର ପୂର୍ବରୁ, ଭାରତ ଜମ୍ମୁ, ପଠାନକୋଟ, ଉଧମପୁରରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ବ୍ୟବହାର କରି ଏକାଧିକ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିବାର ପାକିସ୍ତାନର ପ୍ରୟାସକୁ ପଣ୍ଡ କରିଦେଇଥିଲା ଭାରତୀୟ ସେନା। ଯାହା ଶତ୍ରୁତାରେ ଏକ ବିପଜ୍ଜନକ ବୃଦ୍ଧିର ସଙ୍କେତ ଦେଉଥିଲା।

ପାକିସ୍ତାନର ଏହି ଆକ୍ରମଣ ମେ ୭ ତାରିଖରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କୀ ଶିବିର ଉପରେ ଅପରେସନ୍ ସିନ୍ଦୂର ଅଧୀନରେ ଭାରତ ଆକ୍ରମଣ କରିବାର ଗୋଟିଏ ଦିନ ପରେ ଆସିଥିଲା, ଯେଉଁଥିରେ ପ୍ରାୟ ୧୦୦ ଆତଙ୍କବାଦୀ ନିହତ ହୋଇଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଏହି ଆକ୍ରମଣ କରାଯାଇଥିଲା, ଯେଉଁଠାରେ ଧାର୍ମିକ ହତ୍ୟାକାଣ୍ଡରେ ୨୬ ଜଣ ଲୋକ, ଅଧିକାଂଶ ପର୍ଯ୍ୟଟକ, ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯାଇଥିଲା। ଯାହାର ଏବେ ପର୍ଯ୍ୟନ୍ତ ଖାଲି ଜବାବ ଦେଇଛି ଭାରତ। ହେଲେ ପାକିସ୍ତାନ ଆକ୍ରମଣ ଜାରି ରଖିଛି।

ଏବେବି ଭାରତ ଉପରେ ଡ୍ରୋନ ମାଡ଼ ଜାରି ରଖିଛି ପାକିସ୍ତାନ। ପଞ୍ଜାବ ଚଣ୍ଡିଗଡ ଏବଂ ମୋହଲିରେ ହାଇ ଆଲର୍ଟ ଜାରି କରାଯାଇଛି। ବାଜିଛି ଯୁଦ୍ଧ ସାଇରନ୍। ଘରୁ ନ ବାହାରିବାକୁ ବାସିନ୍ଦାଙ୍କୁ ପରାମର୍ଶ ଦିଆଯାଇଛି । ଆଉ କାଲି ରାତି ପରେ ଆଜି ସକାଳୁ ସକାଳୁ ବି ପାକିସ୍ତାନ ଜମ୍ମୁ ଉପରେ ଡ୍ରୋନ ଆକ୍ରମଣ କରିଛି। ଏହାକୁ ନେଇ ସୁରକ୍ଷା ଦୃଷ୍ଟିରୁ ଜମ୍ମୁ ଏବଂ ପଞ୍ଜାବ ଏବଂ ରାଜସ୍ଥାନର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଲାଗୁ କରାଯାଇଛି, ଅନେକ ସହରରେ ସାଇରନ୍ ବାଜିଛି। ପାକ୍ ଅଧିକୃତ କାଶ୍ମୀରରେ ମଧ୍ୟ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ କାର୍ଯ୍ୟକାରୀ କରାଯାଇଛି। ଜମ୍ମୁରେ ସ୍କୁଲ୍ କଲେଜ୍ ସବୁ ବନ୍ଦ କରାଯାଇଛି। ଅଧିକାରୀଙ୍କ ଅନୁଯାୟୀ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଲେହ ପ୍ରଶାସନ ଶୁକ୍ରବାର ଆସନ୍ତା ମେ ୯ ଏବଂ ୧୦ ରେ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ ନେଇ ଘୋଷଣା କରିଛି। ସେପଟେ ଜୈସଲମେରର ଏକ ହୋଟେଲ ପରିସରରେ ଏକ ଡ୍ରୋନର ଭଗ୍ନାବଶେଷ ମିଳିଛି। ଯାହାକୁ ନେଇ ରାଜସ୍ଥାନରେ ଯେକୌଣସି ପ୍ରକାରର ବ୍ୟକ୍ତିଗତ ଡ୍ରୋନ୍ ଉଡ଼ାଣ ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଯାଇଛି। ପଞ୍ଜାବର ହୋସିଆରପୁରରୁ ବି ମିସାଇଲ ଠାବ ହୋଇଛି।

ସେପଟେ ଏନେଇ ପ୍ରତିରକ୍ଷା ବାହିନୀର ମୁଖ୍ୟମାନେ ପ୍ରତିରକ୍ଷା ମନ୍ତ୍ରଣାଳୟରେ ପହଞ୍ଚିଛନ୍ତି ଏବଂ ଖୁବ୍ ଶୀଘ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ଆଗକୁ ପାକିସ୍ତାନ ବିରୁଦ୍ଧରେ କି ଆକ୍ସନ ନିଆଯିବ ସେନେଇ ଆଲୋଚନା ହୋଇପାରେ।

ପାକିସ୍ତାନକୁ ବି କଡ଼ା ଜବାବ ଦଉଛି ଭାରତ। ଭାରତର S-400 ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଏକାଧିକ ରକେଟକୁ ଅକାମୀ କରୁଛି। ପାକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଠାରୁ ୨୯ କିଲୋମିଟର ଦୂରରେ ଡ୍ରୋନ ମାଡ଼ କରିଛି ଭାରତୀୟ ସେନା। ହେଲେ ତଥାପି ଚୁପ୍ ବସୁନି ପାକିସ୍ତାନ। ଭାରତର ସାମରିକ ପ୍ରତିଷ୍ଠାନ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି ପାକିସ୍ତାନ। ଗତକାଲି ରାତିରେ, ପାକିସ୍ତାନ ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମା ସହିତ ବିଭିନ୍ନ ସ୍ଥାନରେ ଡ୍ରୋନ ଆକ୍ରମଣ କରିବାକୁ ଚେଷ୍ଟା କରିବା ସମୟରେ, ଭାରତୀୟ ସେନାର ବାୟୁ ପ୍ରତିରକ୍ଷା ୟୁନିଟଗୁଡ଼ିକ ଏକ ବଡ଼ ଧରଣର ପ୍ରତି-ଡ୍ରୋନ ଅଭିଯାନରେ ୫୦ ରୁ ଅଧିକ ଡ୍ରୋନକୁ ସଫଳତାର ସହ ନିଷ୍କ୍ରିୟ କରିଛନ୍ତି। ଉଧମପୁର, ସାମ୍ବା, ଜମ୍ମୁ, ଅଖନୁର, ନାଗ୍ରୋଟା ଏବଂ ପଠାନକୋଟ ସମେତ ପ୍ରମୁଖ ଅଞ୍ଚଳରେ ଏହି ଅଭିଯାନ କରାଯାଇଥିଲା। ଏହି ପ୍ରତିକ୍ରିୟାରେ L-70 ବନ୍ଧୁକ, Zu-23mm ତୋପ, ଚିଲକା ସିଷ୍ଟମ ଏବଂ ଉନ୍ନତ ପ୍ରତି-ଅଣମାନବ ବାୟୁ ପ୍ରଣାଳୀ (UAS) ର ବ୍ୟାପକ ମୁତୟନ କରାଯାଇଥିଲା। ଏଥିସହିତ ଭାରତ ମଧ୍ୟ ଲଗାତାର ପାକିସ୍ତାନର ପ୍ରମୁଖ ସହର କରାଚି, ପିଣ୍ଡି, ଲାହୋରର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଛି।

Comments are closed.