Latest Odisha News

କାଲି ଆସିବେ ମୋଦି: କଡା ସୁରକ୍ଷାରେ ଛାଉଣି ହେଲାଣି ରାଜଧାନୀ

ଭୁବନେଶ୍ବର: ଆସନ୍ତାକାଲି ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅପରାହ୍ନ ୪ଟା୧୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ମୋଦି । ଏୟାରପୋର୍ଟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପରେ ସେଠାରୁ ସିଧା ରାଜଭବନ ଯିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଆସିବେ ମୋଦି । ସେଠାରେ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ଦଳୀୟ ପଦାଧିକାରୀଙ୍କ ସହ ବୈଠକ କାର୍ଯ୍ୟକ୍ରମ ରହିଛି ।

ଏଥିପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୨ ଘଣ୍ଟା ଯାଏଁ ରହିବେ ମୋଦି । ୨ ଘଣ୍ଟା ଦଳୀୟ ସମସ୍ତଙ୍କ ସହ ଆଲୋଚନା କରିବା ନେତା ଓ ମନ୍ତ୍ରୀମାନଙ୍କ ନିକଟରୁ ୧୫୦ ଦିନର ରିପୋର୍ଟ ନେବେ । ସରକାର ଓ ସଂଗଠନ ଉଭୟର ରିପୋର୍ଟ କଲେକ୍ସନ କରିବେ ପ୍ରଧାନମନ୍ତ୍ରୀ। ଏଥିସହିତ ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ରାତ୍ର ଭୋଜନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ପ୍ରଧାନମନ୍ତ୍ରୀଙ୍କ ପସନ୍ଦ ଅନୁସାରେ, ଖାଦ୍ୟ ପରସାଯିବ। ପ୍ରଧାନମନ୍ତ୍ରୀ ଚାହିଁଲେ, ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ।

ସେପଟେ ସମ୍ମିଳନୀ ପାଇଁ ଆଜିଠୁ ଭୁବନେଶ୍ୱରରେ ୩ଟି ରାଜ୍ୟର ପ୍ରତିନିଧି ସମେତ ପ୍ରାୟ ୩୦ରୁ ଅଧିକ ଅଧିକାରୀ ପହଞ୍ଚି ସାରିଲେଣି । ଆଇବି ନିର୍ଦ୍ଦେଶକ ତପନ ଡେକା ମଧ୍ୟ ପହଞ୍ଚିସାରିଛନ୍ତି । ଆଜି ଭିତରେ ସବୁ ରାଜ୍ୟର ପ୍ରତିନିଧି ପହଞ୍ଚିବା କାର୍ଯ୍ୟକ୍ରମ ରହିଥିବା ବେଳେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚିବେ ।

ଅନ୍ୟପଟରେ ଖଲିସ୍ତାନୀ ଆତଙ୍କୀଙ୍କ ଧମକ ପରେ ମୋଦିଙ୍କ ଗସ୍ତ ଓଡିଶା ପୋଲିସ୍ ପାଇଁ ଆହୁରି ଚ୍ୟାଲେଞ୍ଜ ପୂର୍ଣ୍ଣ ହୋଇଯାଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡା କରାଯାଇଛି । ସନ୍ଧାନୀ କୁକୁର ସହାୟତାରେ ସବୁ କିଛି ତନ ତନ କରି ଯାଞ୍ଚ କରାଯାଇଥିବା ବେଳେ ଅତିଥିଙ୍କୁ ସ୍ୱାଗତ ଓ ସହାୟତା ପାଇଁ ବିମାନବନ୍ଦରରେ କମିଶନରେଟ ପୋଲିସ ପକ୍ଷରୁ କ୍ୟାମ୍ପ ସାଙ୍ଗକୁ ୨ଟି ହେଲ୍ପ ଡେସ୍କ ଖୋଲାଯାଇଛି । ସହରର ସମସ୍ତ ଏଣ୍ଟ୍ରି ପଏଣ୍ଟକୁ ସିଲ କରି କଡ଼ା ଯାଞ୍ଚ କରୁଛନ୍ତି ପୋଲିସ ଓ ବିଏସଏଫ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଥିବା ସ୍ଥାନରେ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା କରାଯାଇଛି । ରାଜ୍ୟ ପୋଲିସଙ୍କ ସହ କେନ୍ଦ୍ରୀୟ ଟିମର ମଧ୍ୟ ରାଜଧାନୀ ଉପରେ କଡା ନଜର ରହିଛି । ଏଥିପାଇଁ ୭୦ରୁ ଅଧିକ ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯିବା ନେଇ ସୂଚନା ଦେଇଛନ୍ତି ସିପି ।

Leave A Reply

Your email address will not be published.