ସମ୍ବଲପୁର: ଭାରତ ପାକିସ୍ତାନ ମଧ୍ୟରେ ସାଂପ୍ରତିକ ପରିସ୍ଥିତି ନେଇ ଏବେ ହୀରାକୁଦ ଡ୍ୟାମ୍ ଉପରେ ଜାରି ହେଲା କଟକଣା। ବଢିଲା ସୁରକ୍ଷା ବ୍ୟବସ୍ଥା। ଆଜିଠୁ ହୀରାକୁଦ ଡ୍ୟାମକୁ ପର୍ଯ୍ୟଟକଙ୍କୁ ମନା।
ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ହେବାରେ ଲାଗିଥିବା ବେଳେ ସର ଦେଶରେ ଜାରି ରହିଛି ହାଇ ଆଲର୍ଟ। ପ୍ରତିରକ୍ଷା ବିଭାଗ, ଗୃହମନ୍ତ୍ରୀ ଶାହ ସେନା ସହ ବାରମ୍ବାର ବୈଠକ ଜାରି ରଖିଛନ୍ତି। ପାକିସ୍ତାନର ଭାଗ୍ୟ କ’ଣ ହେବା ସେନେଇ ଆଲୋଚନା ଚାଲିଛି। ଏଥିପାଇଁ ଦେଶ ତଥା ରାଜ୍ୟର ପ୍ରମୁଖ ସ୍ଥାନ ଗୁଡିକରେ ହାଇ ଆଲର୍ଟରେ ରହୁଛନ୍ତି ପ୍ରଶାସନ । ରାଜ୍ୟ ସରକାର ମଧ୍ୟ ସ୍ଥିତି ଉପରେ ନଜର ରଖୁଥିବା ବେଳେ ବିଭିନ୍ନ ସ୍ଥାନର ସୁରକ୍ଷା କଡାକଡି କରିଛନ୍ତି। ଏହାରି ଭିତରେ ଭୁବନେଶ୍ୱର ଏୟାରପୋର୍ଟ, ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଥିବା ବେଳେ ସୁରକ୍ଷାକୁ ନଜରରେ ରଖି ଆଜିଠୁ ପର୍ଯ୍ୟଟକଙ୍କୁ ହୀରାକୁଦ ଡ୍ୟାମ୍ ପ୍ରବେଶ ନିଷିଦ୍ଧ କରାଯାଇଛି। ଡ୍ୟାମର ବୁର୍ଲା ଓ ହୀରାକୁଦ ଉଭୟ ପାର୍ଶ୍ବରେ କଡାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା। ହୀରାକୁଦରେ ୩ ପ୍ରକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା କରାଯାଇଛି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲାଇଟ୍ ମେସିନ ଗନ ବ୍ୟବସ୍ଥା କରାଯାଇଛି। ସୁରକ୍ଷାକର୍ମୀମାନେ ଡ୍ୟାମକୁ ଜଗି ରହିଛନ୍ତି। ଜଳ ସମ୍ପଦ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଡ୍ୟାମ ଭିତରକୁ ଯିବାକୁ ବାରଣ କରାଯାଇଛି।
ସେହିପରି କେନ୍ଦ୍ରାପଡ଼ା ଲାଇଟ୍ ହାଉସରେ ବି ସୁରକ୍ଷାକୁ ବଢିଯାଇଛି। ମହାକାଳପଡ଼ାରେ ଥିବା ଲାଇଟ୍ହାଉସ୍କୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି।
ତେବେ କହିରଖୁଛୁ, ଅପରେସନ ସିନ୍ଦୂର ପରେ ଆକ୍ରମଣାତ୍ମକ ହୋଇଉଠିଛି ପାକିସ୍ତାନ। ଭାରତର ସାମରିକ, ଅଣସାମରିକ ଏବଂ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି, ଯେତେବେଳେ କି ଭାରତ କେବଳ ଆତଙ୍କୀ ଆଡ୍ଡାକୁ ହିଁ ହମଲା କରିଥିଲା। କିନ୍ତୁ ଭୟଭୀତ ଥିବା ପାକିସ୍ତାନ ଦିଶାହିନ ଭାବେ ଆକ୍ରମଣ ଜାରି ରଖିଛି। ଗତକାଲି ରାତିରେ, ପାକିସ୍ତାନ ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମା ସହିତ ବିଭିନ୍ନ ସ୍ଥାନରେ ଡ୍ରୋନ ଆକ୍ରମଣ କରିବାକୁ ଚେଷ୍ଟା କରିବା ସମୟରେ, ଭାରତୀୟ ସେନାର ବାୟୁ ପ୍ରତିରକ୍ଷା ୟୁନିଟଗୁଡ଼ିକ ଏକ ବଡ଼ ଧରଣର ପ୍ରତି-ଡ୍ରୋନ ଅଭିଯାନରେ ୫୦ ରୁ ଅଧିକ ଡ୍ରୋନକୁ ସଫଳତାର ସହ ନିଷ୍କ୍ରିୟ କରିଛନ୍ତି। ଉଧମପୁର, ସାମ୍ବା, ଜମ୍ମୁ, ଅଖନୁର, ନାଗ୍ରୋଟା ଏବଂ ପଠାନକୋଟ ସମେତ ପ୍ରମୁଖ ଅଞ୍ଚଳରେ ଏହି ଅଭିଯାନ କରାଯାଇଥିଲା। ଏହି ପ୍ରତିକ୍ରିୟାରେ L-70 ବନ୍ଧୁକ, Zu-23mm ତୋପ, ଚିଲକା ସିଷ୍ଟମ ଏବଂ ଉନ୍ନତ ପ୍ରତି-ଅଣମାନବ ବାୟୁ ପ୍ରଣାଳୀ (UAS) ର ବ୍ୟାପକ ମୁତୟନ କରାଯାଇଥିଲା। ଏଥିସହିତ ଭାରତ ମଧ୍ୟ ଲଗାତାର ପାକିସ୍ତାନର ପ୍ରମୁଖ ସହର କରାଚି, ପିଣ୍ଡି, ଲାହୋରର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଛି।
ପୂର୍ବରୁ ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ଏବଂ ପାକ-ଅଧିକୃତ କାଶ୍ମୀର (POK)ରେ ନଅଟି ଆତଙ୍କବାଦୀ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବା ପରେ ଉତ୍ତେଜନା ବୃଦ୍ଧି ପାଇଛି, ଯେଉଁଥିରେ ଜୈଶ-ଏ-ମହମ୍ମଦର ଗଡ଼ ବାହାବଲପୁର ଏବଂ ଲସ୍କର-ଏ-ତୈବାର ମୁରିଦକେ ଘାଟି ଅନ୍ତର୍ଭୁକ୍ତ। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଅପରେସନ ସିନ୍ଦୂର ଅଧୀନରେ ଏହି ଆକ୍ରମଣ କରାଯାଇଥିଲା।
Comments are closed.