Latest Odisha News

BREAKING NEWS

ପାରାଦୀପ ବନ୍ଦରରେ ପହଁଚିଲା ମାଲବାହୀ ଜହାଜ: ଅଛନ୍ତି ୨୧ ଜଣ ପାକିସ୍ତାନୀ, ବଢିଲା ସୁରକ୍ଷା

ପାରାଦୀପ: ପାରାଦୀପ ବନ୍ଦରରେ ବୁଧବାର ଦକ୍ଷିଣ କୋରିଆର ଏକ ତୈଳ ଟ୍ୟାଙ୍କର ପହଞ୍ଚିବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସମ୍ପୃକ୍ତ ମାଲବାହୀ ଜାହାଜରେ ଅଛନ୍ତି ୨୧ ଜଣ ପାକିସ୍ତାନୀ। ଏହା ଜଣାପଡିବା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏନେଇ ପାରାଦୀପ ଇମିଗ୍ରେସନ ବିଭାଗ ଅବଗତ କରିଥିବା ସୂଚନା ରହିଛି।

ଏମଟି ସାଇରେନ – ୨ ଜାହାଜଟି ୧୧ ହଜାର ୩୫୦ ମେଟ୍ରିକ ଟନ ଅଶୌଧିତ ତୈଳ ସହ ପାରାଦୀପ ବନ୍ଦରରେ ପହଞ୍ଚିଛି। ଜାହାଜରେ ଥିବା ୨୫ ଜଣିଆ ଚାଳକ ଦଳରେ ୨୧ ଜଣ ପାକିସ୍ତାନୀ ନାଗରିକ ଥିବା ବେଳେ ୨ ଜଣ ଭାରତୀୟ, ଜଣେ ଶ୍ରୀଲଙ୍କା ଓ ଅନ୍ୟ ଜଣେ ଥାଇଲ୍ୟାଣ୍ଡର ନାଗରିକ ଅଛନ୍ତି। ସମ୍ପୃକ୍ତ ଜାହାଜଟି ସମୁଦ୍ର ମଧ୍ୟରେ କୂଳଠାରୁ ୨୦ କିମି ଦୂର ପିଏମ ବର୍ଥରେ ଲଂଗର ପକାଇ ରହିଛି।

ଜାହାଜରେ ପାକିସ୍ତାନୀ ନାବିକ ଥିବାରୁ ପଣ୍ୟ ଖଲାସ ସମୟ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ଇମିଗ୍ରେଶନ ବିଭାଗ ମେରାଇନ ପୋଲିସ, ପାରାଦୀପ ବନ୍ଦର ପ୍ରଶାସନକୁ ଅବଗତ କରାଇଛି। ବୁଧବାର ପୂର୍ବାହ୍ନ ୧୧ଟାରେ ଦକ୍ଷିଣ କୋରିଆରୁ ସିଙ୍ଗାପୁର ଦେଇ ଜାହାଜଟି ପାରାଦୀପ ବନ୍ଦରରେ ପହଂଚିବା ପରେ ପାଇପଲାଇନ ଜରିଆରେ ଅଶୌଧିତ ତୈଳ ଜାହାଜରୁ ଡିପୋକୁ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଶେଷ ହେବା ପରେ ଜାହାଜଟି ପ୍ରତ୍ୟାବର୍ତ୍ତନ କରିବ ବୋଲି ସୂଚନା ମିଳିଛି।

ବିଦେଶ ମନ୍ତ୍ରଣାଳୟ ପାକିସ୍ତାନୀ ନାଗରିକଙ୍କର ଭାରତରେ ପ୍ରବେଶ ଉପରେ କଟକଣା ଲାଗୁ କରିଥିବା ବେଳେ ସମ୍ପୃକ୍ତ ସଦସ୍ୟମାନେ ଦକ୍ଷିଣ କୋରିଆ ଜହାଜରେ କାମ କରୁଥିବାରୁ ସେମାନଙ୍କୁ ଭାରତୀୟ ଜଳ ସୀମାରେ ପ୍ରବେଶ କରିବାକୁ ଅନୁମତି ମିଳିଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କହିଛନ୍ତି ଯେ ଜହାଜରେ ଥିବା ପାକିସ୍ତାନୀଙ୍କୁ ଜହାଜରୁ ବାହାରକୁ ଆସିବାକୁ ଅନୁମତି ମିଳିନାହିଁ। ପୋଲିସ କହିଛି ଯେ ସାମୁଦ୍ରିକ ପୋଲିସ, ତଟରକ୍ଷକ ବଳ, ସିଆଇଏସଏଫ ଏବଂ ସୀମା ଶୁଳ୍କ ଅଧିକାରୀ ପ୍ରମୁଖ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇଛନ୍ତି।

Comments are closed.