ଭୁବନେଶ୍ୱର: ବଢ଼ିଚାଲିଛି ଭାରତ – ପାକିସ୍ତାନ ଉତ୍ତେଜନା। ଯୁଦ୍ଧ ଘୋଷଣା ହୋଇନଥିଲେ ବି ସ୍ଥିତି ପୁରା ଯୁଦ୍ଧର। ଲଗାତାର ପାକିସ୍ତାନ ପକ୍ଷରୁ ଆକ୍ରମଣ ଜାରି ରହିଥିବା ବେଳେ, ଏହାର ଜବାବ ଦେଇଚାଲିଛି ଭାରତ। ଏହାରି ଭିତରେ ଏବେ ଭାରତର ପ୍ରମୁଖ ସହର ଏବଂ ସ୍ଥାନ ଗୁଡିକରେ ହାଇ ଆଲର୍ଟ ଜାରି କରାଯାଇଛି। ସୁରକ୍ଷାରେ ଛାଉଣି ହୋଇଛି। ଭୁବନେଶ୍ୱର ଏୟାରପୋର୍ଟ ପରେ ଏବେ ପୁରୀ ସହରରେ ମଧ୍ୟ କଡ଼ା ସୁରକ୍ଷା ବଢିଯାଇଛି। ପୁରୀର ବିଭିନ୍ନ ସ୍ଥାନ ସହ ପୁରୀ ଶ୍ରୀମନ୍ଦିରରେ ପୋଲିସଙ୍କ ଛାଉଣୀ ହୋଇଛି। ପୁରୀରେ ଶ୍ରୀମନ୍ଦିର ସ୍ୱତନ୍ତ୍ର ବାହିନୀ ଶ୍ରୀମନ୍ଦିର ସୁରକ୍ଷାରେ ଲାଗିଛନ୍ତି। ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ପୋଲିସ ମୁତୟନ ହୋଇଥିବା ବେଳେ ସେମାନଙ୍କୁ ଟ୍ରେନିଂ ଦିଆଯାଇଛି। ସାରା ରାତି ପୋଲିସ ପକ୍ଷରୁ ଜୋରଦାର ଚେକିଂ ଏବଂ ବ୍ଲକିଂ କରାଯାଇଛି। ସହରର ବିଭିନ୍ନ ହୋଟେଲରେ ମଧ୍ୟ ଯାଞ୍ଚ କରାଯାଇଛି। ହୋଟେଲ ରହୁଥିବା ଲୋକମାନଙ୍କର ପରିଚୟପତ୍ର ଯାଞ୍ଚ କରାଯାଉଛି।
ସେପଟେ ଗତ କାଲି ଠାରୁ ପାକିସ୍ତାନ ଲଗାତାର ଡ୍ରୋନ ଏବଂ କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଛି। ଯାହାର ଭାରତ କଡ଼ା ଜବାବ ଦେଉଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ହାଇ ଆଲର୍ଟ ଜାରି କରାଯାଇଛି। ସୀମାବର୍ତ୍ତୀ ଅଞ୍ଚଳରେ ଯୁଦ୍ଧ ସାଇରନ ବଜାଇ ସହ ଲୋକଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତର S-400 ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଏକାଧିକ ରକେଟକୁ ଅକାମୀ କରୁଛି।
ଜମ୍ମୁ ଏବଂ ପଞ୍ଜାବ ଏବଂ ରାଜସ୍ଥାନର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଲାଗୁ କରାଯାଇଛି, ଅନେକ ସହରରେ ସାଇରନ୍ ବାଜିଛି। ଏହି ସ୍ଥାନଗୁଡ଼ିକ ଉପରେ ରାତିର ଆକାଶରେ ଲାଲ ଝଲସ ଏବଂ ପ୍ରକ୍ଷେପଣୀୟ ଆଲୋକ ଦେଖାଦେଇଛି। ପାକ୍ ଅଧିକୃତ କାଶ୍ମୀରରେ ମଧ୍ୟ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ କାର୍ଯ୍ୟକାରୀ କରାଯାଇଛି। ତେବେ ଗତ ରାତିରେ ଡ୍ରୋନ୍ ଆକ୍ରମଣ ପ୍ରାୟ ୩୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା – ରାତି ୮.୪୫ ରୁ ପ୍ରାୟ ୯.୧୫-୯.୨୦ ପର୍ଯ୍ୟନ୍ତ ଏବଂ ଏଥିରେ କୌଣସି ଜୀବନହାନି କିମ୍ବା କ୍ଷୟକ୍ଷତିର ରିପୋର୍ଟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି। ପ୍ରତିଶୋଧ ସ୍ୱରୂପ, ଭାରତ ପାକିସ୍ତାନ ବିରୁଦ୍ଧରେ ପ୍ରତିଆକ୍ରମଣ ଆରମ୍ଭ କରିଛି, ଅନେକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର, ପାକିସ୍ତାନର ମୁଖ୍ୟ ସହର ଉପରେ ମାଡ଼ କରିଛି।
Comments are closed.