ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଆଜି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅରୁଣ ଷଡ଼ଙ୍ଗୀ ନିୟମିତ ଡିଜିପି ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ। ଡିଜିପି ସୁନୀଲ କୁମାର ବଂଶଲଙ୍କ ଅବସର ଡିସେମ୍ବର ଆସନ୍ତାକାଲି ରହିଛି।
ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଅରୁଣ କୁମାର ଷଡ଼ଙ୍ଗୀ ବର୍ତ୍ତମାନ ବିପିଏଏସପିଏର ସ୍ୱତନ୍ତ୍ର ପୁଲିସ ଡିଜି, ପ୍ରଶିକ୍ଷଣ ଏବଂ ନିର୍ଦ୍ଦେଶକ ଭାବେ ନିୟମିତ ଡିଜିପି ଯୋଗ ନଦେବା ପର୍ଯ୍ୟନ୍ତ ଓଡ଼ିଶା ପୁଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱରେ ରହିପାରିବେ।
ଉଲ୍ଲେଖଯୋଗ୍ଯ, ଡିଜିପି ପଦ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ଭାବେ ଅନେକଙ୍କ ନାମ ଚର୍ଟ୍ଟା ହେଉଥିଲା। ସେମାନଙ୍କ ମଧ୍ୟରେ ୮୯ ବ୍ୟାଚ୍ ର ଆଇପିଏସ୍ ଅଫିସର ବି ରାଧିକା ଓ ଅମୃତ ମୋହନ ପ୍ରସାଦ ଏବଂ ୯୦ ବ୍ୟାଚର ଅରୁଣ ଷଡ଼ଙ୍ଗୀ ଓ ୱାଇବି ଖୁରାନିଆ ପ୍ରମୁଖ ଅଛନ୍ତି। ତେବେ ୧୯୮୮ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଫିସର ମନୋଜ ଛାବ୍ରା ଚଳିତ ମାସରେ ଅବସର ନେଉଥିବାରୁ ତାଙ୍କୁ ବିଚାରକୁ ନିଆଯାଇ ନାହିଁ।
ସେହି ବ୍ୟାଚର ଅନ୍ୟ ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ରାୟ ବର୍ତ୍ତମାନ ଗୃହ ବିଭାଗର ଓଏସଡି ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତି ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ତାଙ୍କ ପ୍ରଦର୍ଶନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସନ୍ତୁଷ୍ଟ ନୁହଁନ୍ତି ବୋଲି ସୂଚନା ମିଳିଛି।
ଏହାପରେ ଓଡ଼ିଶା ସରକାର ୟୁପିଏସସି ସହ ନିଯୁକ୍ତି ନେଇ ଆଲୋଚନା କରି ଅସ୍ଥାୟୀ ଅବଧି ପାଇଁ ଅନ୍ତରୀଣ ଡିଜିପି ନିଯୁକ୍ତି ନେଇ ଚର୍ଚ୍ଚା କରିଥିଲେ ବୋଲି କୁହାଯାଉଛି।
Comments are closed.