Latest Odisha News

ଡିଜିପି ଦୌଡ଼ ଭିତରେ ସ୍ୱେଚ୍ଛାକୃତ ଅବସର ନେଲେ ବରିଷ୍ଠ ଆଇପିଏସ୍ ଅଫିସର ବି ରାଧିକା

ଭୁବନେଶ୍ୱର: ଓଡ଼ିଶାରେ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ପଦପାଇଁ ପ୍ରମୁଖ ଦାବିଦାର ଥିବା ବରିଷ୍ଠ ଆଇପିଏସ୍ ଅଫିସର ବି ରାଧିକା ସ୍ବେଚ୍ଛାକୃତ ଭାବେ ଚାକିରିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି।

ଓଡ଼ିଶା ସରକାର ତାଙ୍କ ଅନୁରୋଧକୁ ଗ୍ରହଣ କରି ବୁଧବାର ଏକ ବିଜ୍ଞପ୍ତି ଜାରି କରି ୨୦୨୪ ଫେବ୍ରୁଆରି ପହିଲାରୁ ଭାରତୀୟ ପୁଲିସ ସେବାରୁ ଅବସର ନେବାକୁ ଅନୁମତି ଦେଇଛନ୍ତି। ପିତାମାତାଙ୍କ ଯତ୍ନ ନେବା ପାଇଁ ବ୍ୟକ୍ତିଗତ କାରଣ ଦର୍ଶାଇ ସରକାର ସ୍ବେଚ୍ଛାକୃତ ଅବସର ପାଇଁ ୩ ମାସର ବାଧ୍ୟତାମୂଳକ ନୋଟିସ୍ ଅବଧିକୁ ମଧ୍ୟ ଛାଡ଼ କରିଛନ୍ତି।

୧୯୮୯ ବ୍ୟାଚର ଅଧିକାରୀ ରାଧିକା ବର୍ତ୍ତମାନ ରାଜ୍ୟ ପୁଲିସ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଥିଲେ ଏବଂ ଓଡ଼ିଶାସ୍ଥିତ ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରି (ଏସ୍ ଏଫ୍ ଏସ୍ ଏଲ୍ )ର ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି। ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ସଶସ୍ତ୍ର ସୀମା ବଳ (ଏସଏସବି)ର ଅତିରିକ୍ତ ମହାନିର୍ଦେଶକ (ଏଡିଜି) ଭାବେ କେନ୍ଦ୍ରୀୟ ଡେପୁଟେସନ ଶେଷ କରି ସେ ଗତ ମାସରେ ଓଡ଼ିଶା ଫେରିଥିଲେ।

କେନ୍ଦ୍ରରେ କାର୍ଯ୍ୟ କରୁଥିବା ବେଳେ ସେ ଓଡ଼ିଶା ପୁଲିସରେ ମହାନିର୍ଦ୍ଦେଶକ (ଡିଜି) ପାହ୍ୟାକୁ ପଦୋନ୍ନତି ପାଇଥିଲେ। ଚଳିତ ବର୍ଷ ଜୁଲାଇରେ ସେ ଅବସର ନେବାର ଥିଲା।

ଓଡ଼ିଶା କ୍ୟାଡରର ପ୍ରଥମ ମହିଳା ଆଇପିଏସ୍ ଅଫିସର ରାଧିକା ଯଦି ରାଜ୍ୟର ଡିଜିପି ଭାବେ ନିଯୁକ୍ତି ପାଇଥାନ୍ତେ ତେବେ ଇତିହାସ ରଚିଥାନ୍ତେ। ଅନ୍ୟ ଦୁଇ ବରିଷ୍ଠ ଆଇପିଏସ୍ ଅଫିସର ଅଭୟ ଓ ପ୍ରବୀଣ ସୁଦଙ୍କ ସହ ତାଙ୍କୁ ଏହି ପଦବୀ ପାଇଁ ସବୁଠାରୁ ଆଗରେ ରଖାଯାଇଥିଲା।

ସେପଟେ ରାଜ୍ୟ ସରକାର ଆଇପିଏସ କ୍ୟାଡରରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ରେଳବାଇ ଓ କୋଷ୍ଟାଲ ସିକ୍ୟୁରିଟିର ଏଡିଜିପି ତଥା ଏସଏଫଏସଏଲର ନିର୍ଦ୍ଦେଶକ ଦାୟିତ୍ୱ ପାଇଥିବା ରାଜେଶ କୁମାରଙ୍କ ସ୍ଥାନରେ ରେଳବାଇ ଓ କୋଷ୍ଟାଲ ସିକ୍ୟୁରିଟିର ଏଡିଜିପି ଦୟାଲ ଗଙ୍ଗୱାରଙ୍କୁ ଆଧୁନିକୀକରଣର ଏଡିଜିପି ଭାବେ ବଦଳି କରାଯାଇଛି।

ଏସ୍ଏପିର ପୁଲିସ ଡିଆଇଜି ଥିବା ଅବିନାଶ କୁମାରଙ୍କୁ ପଦୋନ୍ନତି ଦେଇ କମିସନରେଟ୍, ଭୁବନେଶ୍ୱର-କଟକ ର ଅତିରିକ୍ତ ସିପି ଭାବେ ଅବସ୍ଥାପିତ କରାଯାଇଛି। ସେ ବ୍ରିଜେଶ କୁମାର ରାୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି, ଯିଏକି ପୋଲିସ ଡିଆଇଜି, ଗୁଇନ୍ଦା ବିଭାଗ, ସିକ୍ୟୁରିଟି ୱିଙ୍ଗର ଦାୟିତ୍ୱରେ ଅବସ୍ଥାପିତ ହୋଇଛନ୍ତି ।

Comments are closed.