ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଶେଖର ଦାଶଙ୍କର ଆଜି ପୂର୍ବାହ୍ନରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୯ ବର୍ଷ ବୟସରେ ଦେହାନ୍ତ ଘଟିଛି।
ସେ ଦୁଇ ସପ୍ତାହ ତଳେ ହଠାତ ମସ୍ତିଷ୍କ ପ୍ରଦାହରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିଥିଲା ବେଳେ ଆଜି ପୂର୍ବାହ୍ନ ଘ୧୦.୨୦ ମିନିଟ୍ ସମୟରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।
ସ୍ବର୍ଗତ ଦାଶ ଅତ୍ୟନ୍ତ ମିଷ୍ଠଭାଷୀ ଓ ମେଳାପୀ ଥିଲେ। ସେ ମାତୃଭୂମି ଓ ମାତୃଭାଷାରୁ ତାଙ୍କର ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରଜାତନ୍ତ୍ର ଓ ଦୈନିକ ସମୟର ସମ୍ପାଦନା ବିଭାଗରେ ସହ- ସଂପାଦକ ଭାବେ କାର୍ଯ୍ୟ କରିଥିଲେ। ସେ ମଧ୍ୟ ଦୂରଦର୍ଶନ ସମାଚାର ବିଭାଗରେ ଦୁଇଦଶନ୍ଧିରୁ ଉର୍ଦ୍ଧ୍ବ କାଳ କାର୍ଯ୍ୟରତ ଥିଲେ। ତାଙ୍କ ପିତା ଅଧ୍ୟାପକ ସ୍ବର୍ଗତ ସର୍ବେଶ୍ୱର ଦାଶ ନାଟକ ବିଚାର ପୁସ୍ତକ ଲେଖି ପ୍ରସିଦ୍ଧି ଅର୍ଜନ କରିଥିଲେ। ତାଙ୍କର ଅଜା ବାଳକୃଷ୍ଣ କର ଥିଲେ ମାତ୍ରଭୂମିର ପ୍ରତିଷ୍ଠାତା ସମ୍ପାଦକ।
ତେବେ ଚାରି ବର୍ଷ ତଳେ ତାଙ୍କ ପତ୍ନୀଙ୍କ ବିୟୋଗ ଘଟିଥିଲା। ତାଙ୍କର ଗୋଟିଏ ଝିଅ ଓ ଦୁଇ ପୁଅ ଅଛନ୍ତି। ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ବେଳେ ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।
Comments are closed.