Latest Odisha News

ନବ ଦାସ ହତ୍ୟା ଘଟଣାରେ ନରସିଂହ ମିଶ୍ରଙ୍କ ବିସ୍ଫୋରକ ବୟାନ; ହତ୍ୟା ପଛରେ ରହିଛି ବ୍ୟକ୍ତିଗତ ଶତ୍ରୁତା

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର । ନବ ଦାସ ହତ୍ୟାକାଣ୍ଡ ପଛରେ ଥିବା ଷଡଯନ୍ତ୍ର ଆଉ ସନ୍ଦେହ ଭିତରେ ନାହିଁ । ଏହା ପ୍ରମାଣିତ ହୋଇ ସାରିଛି  । ଏହା ପଛରେ ରହିଛି ବ୍ୟକ୍ତଗତ ଶତ୍ରୁତା ଏବଂ ପାରିବାରିକ ଷଡଯନ୍ତ୍ର । ହେଲେ ବିଜୁ ଜନତା ଦଳର ସମ୍ମାନ ରକ୍ଷା ପାଇଁ କ୍ରାଇମ ବ୍ରାଞ୍ଚ ଏସବୁ ଦିଗକୁ ଅଣ ଦେଖା କରୁଛି ବୋଲି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ।

କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ବ୍ୟକ୍ତିଗତ ଶତ୍ରୁତାରୁ ନବ ଦାସଙ୍କୁ ହତ୍ୟା କରାଯାଇଛି । ଏହା ପଛରେ ପାରିବାରିକ ଷଡଯନ୍ତ୍ର ରହିଛି । ଗୋପାଳ ଦାସ ନିଜ ଝିଆରୀଙ୍କୁ ନେଇ ନବ ଦାସଙ୍କ ପାଖକୁ ଯାଉଥିଲା । ଚାକିରି ପାଇଁ ଯାଉଥିଲେ ।  ସେତେବେଳେ ତାଙ୍କ ସହ କିଛି ଅଘଟଣ ଘଟି ନ ଥିବ କିଏ କହିବ ?  ନବଦାସଙ୍କ ସମ୍ପର୍କରେ ଅନେକ କଥା ଶୁଣିବାକୁ ମିଳେ ଯାହା ତାଙ୍କର ମୃତ୍ୟୁ ପରେ କହିବା ଅନୁଚିତ । ହେଲେ ହତ୍ୟା ପଛରେ ଏହା ଏକ କାରଣ ହୋଇଥାଇ ପାରେ ବୋଲି ଶ୍ରୀ ମିଶ୍ର ସନ୍ଦେହ ପ୍ରକାଶ କରିଛନ୍ତି ।

ଶ୍ରୀ ମିଶ୍ର ଆହୁରି କହିଛନ୍ତି, ଗୋପାଳର ବଡ ଭାଇ ଯିଏ ସେଠାରେ ହୋଟେଲ କରିଛନ୍ତି ସେ ଘଟଣା ଦିନ ହିଁ  ସ୍ଥାନ ଛାଡି ଚାଲି ଯାଇଛନ୍ତି । ହତ୍ୟାକାଣ୍ଡ ପରେ ପରେ ଗୋପାଳଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ମାନସିକ ଭାରସାମ୍ୟ ଠିକ ନାହିଁ ବୋଲି କହିଛନ୍ତି । ସେହିପରି ଜଣେ ଡାକ୍ତର ଯିଏ କି  ତାଙ୍କୁ ୮ ବର୍ଷ ତଳେ ଚିକିତ୍ସା କରୁଥିଲେ, ସେ ମଧ୍ୟ ଗୋପାଳଙ୍କ  ମାନସିକ ସ୍ଥିତି ଭଲ ନ ଥିଲା ବୋଲି କହିଛନ୍ତି । ହେଲେ ଗେପାଳଙ୍କ ପତ୍ନୀ ଏବଂ ଡାକ୍ତର ହତ୍ୟାକାଣ୍ଡ ପରେ ପରେ  ଏମିତି କାହିଁକି କହିଲେ ? ଜଣେ ଡାକ୍ତର ଭାବେ କେତେ ରୋଗୀଙ୍କୁ ସେ ଦେଖୁଛନ୍ତି । ଗୋପଳ ଦାସ କୌଣସି ବିଶିଷ୍ଟ ବ୍ୟକ୍ତ ନୁହଁନ୍ତି । ତଥାପି ଚିକିତ୍ସା କରିବାର  ୮ ବର୍ଷ ପରେ ବି  ସେ ଡାକ୍ତର ତାଙ୍କୁ ମନେ ରଖିଛନ୍ତି କିପରି ?  ଏହା ମଧ୍ୟ ସନ୍ଦେହ ସୃଷ୍ଟି କରିଛି । ତେଣୁ ସନ୍ଦେହର ଅନୁସନ୍ଧାନ କରିବା କ୍ରାଇମ ବ୍ରାଞ୍ଚର ଦାୟିତ୍ୱ । କ୍ରାଇମବ୍ରାଞ୍ଚ ଯଦି ଗୋପାଳର ଝିଆରୀକୁ ପଚରାଉଚରା କରନ୍ତା ତେବେ ଅନେକ ସତ୍ୟ ସାମ୍ନାକୁ ଆସିପାରନ୍ତା । କିନ୍ତୁ ଦଳର ସମ୍ମାନ ଦୃଷ୍ଟିରୁ କ୍ରାଇମବ୍ରାଞ୍ଚ ଏହା କରିବ ନାହିଁ ବୋଲି  ଶ୍ରୀ ମିଶ୍ର କହିଛନ୍ତି ।

ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି, ନବ ଦାସଙ୍କୁ କାହିଁକି ହତ୍ୟା କରାଗଲା ଏବଂ ହତ୍ୟା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ତାହାର ଯାଞ୍ଚ କ୍ରାଇମବ୍ରାଞ୍ଚ କରିବା ପରିବର୍ତ୍ତେ ଗୋପାଳକୁ ପାଗଳ ବୋଲି ପ୍ରମାଣିତ କରିବା ପାଇଁ ଚେଷ୍ଟା ଜାରି ରଖିଛି । ମୁଦାଲା  ଖସିବା ପାଇଁ ନିଜକୁ ପାଗଳ ସାବ୍ୟସ୍ତ କରିଥାଏ । ହେଲେ ଏଠି ସରକାର ଲାଗିଛନ୍ତି ଗୋପାଳକୁ ପାଗଳ ପ୍ରମାଣିତ କରିବା ପାଇଁ । ଏହାର ଅର୍ଥ ତାଙ୍କୁ ଦଣ୍ଡ ନ ଦେବା ପାଇଁ, ସୁରକ୍ଷା ଦେବା ପାଇଁ ସରକାର ବ୍ୟଗ୍ର ଆଉ କ୍ରାଇମବ୍ରାଞ୍ଚ ତାଙ୍କୁ ଏଥିରେ ସହଯୋଗ କରୁଛି । ଗୋପାଳଙ୍କ ମାନସିକ ଭାରସାମ୍ୟ ହରାଇନାହାନ୍ତି ବୋଲି ସବୁଠି ପ୍ରମାଣିତ ହେବା ପରେ ବି ସରକାର ତାଙ୍କ ଉଦ୍ୟମରୁ କାହିଁକି ଓହରୁ  ନାହାନ୍ତି  ସେ ନେଇ ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।

Comments are closed.