ଭୁବନେଶ୍ବର: ଆଜି ମୟୂରଭଞ୍ଜର ପୂର୍ବତନ ଏମ୍ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ସୂଚନା ରହିଛି । ଶେଷ ନିଶ୍ବାସ ତ୍ୟାଗ ବେଳକୁ ୭୦ବର୍ଷ ବୟସ ହୋଇଥିଲା । ଡିସେମ୍ବର ୫ତାରିଖରେ ଅସୁସ୍ଥ ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ମୟୂରଭଞ୍ଜ ଜିଲ୍ଲା କଳୁଆଖାମନ ଗ୍ରାମରେ ୧୯୫୬ରେ ଜନ୍ମ ହୋଇଥିଲେ ସୁଶୀଳା ତିରିଆ । ସେ ସ୍ବଧୀନତା ସଂଗ୍ରାମୀ ପରିବାରର ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ବି.ଏ. ଡିଗ୍ରୀ ହାସଲ କରିଥିଲେ । ୨୪ ବର୍ଷ ବୟସରେ ସୁଶୀଳା ଯୁବ କଂଗ୍ରେସରେ ଯୋଗ ଦେଇଥିଲେ।
୧୯୮୩ -୧୯୮୪ରେ ମୟୂରଭଞ୍ଜ ଜିଲାର ଯଥାକ୍ରମେ ସଭାପତି ଏବଂ ଉପସଭାପତି ହୋଇଥିଲେ । ୧୯୮୬ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ସେ ୧୯୮୬-୮୭ରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପରମାଣୁ ଶକ୍ତି ଏବଂ ସମୁଦ୍ର ବିକାଶ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟା, ୧୯୮୭-୮୮ରେ ନାଗରିକ ବିମାନ ପରିବହନ ମନ୍ତ୍ରଣାଳୟର ଏବଂ ୧୯୮୮-୮୯ରେ ଯୋଗାଯୋଗ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟା ଭାବେ କାର୍ଯ୍ୟ କରିଥିଲେ ।
୧୯୯୪ରେ ସେ ଦଶମ ଲୋକସଭା ନିର୍ବାଚନରେ ଅନୁସୂଚିତ ଜନଜାତି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ମୟୂରଭଞ୍ଜରୁ ବିଜୟୀ ହୋଇଥିଲେ । ୧୯୯୬ରେ ଲୋକସଭା ସଦସ୍ୟା ଭାବେ ପୁଣି ନିର୍ବାଚିତ ହୋଇଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସ କମିଟିର ସ୍ଥାୟୀ ସଦସ୍ୟା ଥିଲେ।