Latest Odisha News

BREAKING NEWS

ଦୈତ ନଗରୀ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ଚଳାଚଳ ପ୍ରକ୍ରିୟା ଆରମ୍ଭ, କ୍ଷେତ୍ର ପରିଦର୍ଶନ କଲା ସଚିବ ସ୍ତରୀୟ କମିଟି

ରାଜଧାନୀ ଭୁବନେଶ୍ୱର ଓ କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଶନିବାର ସକାଳ ୪ଟା ୩୦ମିନିଟ ସମୟରେ ଭୁବନେଶ୍ୱର ବିମାନ ବନ୍ଦର ଛକରୁ ସଚିବ ସ୍ତରୀୟ କମିଟି ତାର କ୍ଷେତ୍ର ପରିଦର୍ଶନ ଆରମ୍ଭ କରିଥିଲା । ସଚିବ ସ୍ତରୀୟ କମିଟିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ 5T ସଚିବ ଭି.କେ ପାଣ୍ଡିଆନଙ୍କ ସମେତ ମନୋଜ ମିଶ୍ର, ଉଷା ପାଢ଼ୀ, ଅନୁ ଗର୍ଗ, ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥନାନ ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ସାମିଲ ଥିଲେ। ସୂଚନା ଅନୁସାରେ ଭୁବନେଶ୍ୱର ବିମାନବନ୍ଦର ଛକରୁ ଶିଶୁଭବନ ଛକ, ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର ଛକ, ଜୟଦେବବିହାର ଦେଇ କଳିଙ୍ଗ ହସ୍ପିଟାଲ ଛକ, ପଟିଆ, ନନ୍ଦନକାନନ ଛକ ଦେଇ ତ୍ରିଶୂଳିଆ ଛକରେ ସମସ୍ତ ବରିଷ୍ଠ ଅଧିକାରୀମାନେ ପହଞ୍ଚିଥିଲେ । ସୂଚନାଯୋଗ୍ୟ, ତ୍ରିଶୂଳିଆ ଛକରେ କଟକ ଜିଲ୍ଲାପାଳ ଓ ସିଏମସି କମିଶନର ଏହି କ୍ଷେତ୍ର ପରିଦର୍ଶନରେ ସାମିଲ ହୋଇଥିଲେ।

ରାସ୍ତାରେ ବିଭିନ୍ନ ସ୍ଥାନରେ କମିଟିର ସଦସ୍ୟମାନେ ସରଜମିନ ସ୍ଥିତି ଅନୁଧ୍ୟାନ କରିଥିଲେ । ଭୁବନେଶ୍ୱର ଓ କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ହେଲେ କେଉଁଠି କି ପ୍ରକାର ସମସ୍ୟା ଉପୁଜିପାରେ ଓ ଏହାର କିଭଳି ସ୍ଥାୟୀ ପ୍ରତିକାର କରାଯିବ ସେନେଇ ଆଲୋଚନା ହେବାସହ ଏଥିପାଇଁ ସରକାରୀ ଜମି ଓ ଆବଶ୍ୟକ ଜମି ଅଧିଗ୍ରହଣ ସଂକ୍ରାନ୍ତରେ ମଧ୍ୟ ସମୀକ୍ଷା କରିଛି କମିଟି । ଟ୍ରାଫିକ ସମସ୍ୟା ନଉପୁଜିବା ଲକ୍ଷ୍ୟରେ କେଉଁ ସ୍ଥାନରେ ଭୂତଳ ବ୍ୟବସ୍ଥା କରିବାକୁ ହେବ ସେନେଇ ମଧ୍ୟ ବିଚାରବିମର୍ଶ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ୱର ଓ କଟକ ଭିତରେ ସମ୍ପୂର୍ଣ୍ଣ ମେଟ୍ରୋ ବ୍ୟବସ୍ଥା କେତେ ଦୂରତା ବିଶିଷ୍ଟ ହେବ ସେନେଇ ମଧ୍ୟ ଆଲୋଚନା କରାଯାଇଛି ।

Leave A Reply

Your email address will not be published.