Latest Odisha News

BREAKING NEWS

କାଲି ଖସିଥିଲା, ଆଜି ସିଧା ହଜାରରୁ ଅଧିକ ପଏଣ୍ଟକୁ ବଢିଲା ସେୟାର ମାର୍କେଟ୍ ସେନସେକ୍ସ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଶୁଳ୍କ ମାଡରେ ଘାଇଲା ହୋଇଥିବା ଭାରତୀୟ ସେୟାର ବଜାର ଆଜି ପୁଣି ଉଠିଛି । କାଲି ଅପେକ୍ଷା ଆଜିର ସେୟାର ବଜାରରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ବିଶ୍ୱ ବଜାରରେ ପୁନରୁଦ୍ଧାରର ସଙ୍କେତ ଦେଖାଯାଉଥିବା ବେଳେ, ସେନସେକ୍ସ ଏବଂ ନିଫ୍ଟି ପ୍ରାରମ୍ଭିକ ବାଣିଜ୍ୟରେ ୧.୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ବ୍ଲାକ୍ ମଣ୍ଡେରେ ସେୟାର ବଜାରରେ ମରୁଡି ପଡିଥିବା ବେଳେ ଆଜି ସେନସେକ୍ସରେ ହଜାରରୁ ଅଧିକ ପଏଣ୍ଟ ବୃଦ୍ଧି ହୋଇଛି । ସେହିପରି ନିଫ୍ଟିରେ ମଧ୍ୟ ୩୦୦ ପଏଣ୍ଟ ବୃଦ୍ଧି ହୋଇଛି ।

ସୋମବାର ଷ୍ଟକ୍ ବଜାରରେ ବଡ଼ ହ୍ରାସ ମଧ୍ୟରେ ମଙ୍ଗଳବାର ପ୍ରାରମ୍ଭିକ କାରବାରରେ ଭାରତୀୟ ଇକ୍ୱିଟି ବେଞ୍ଚମାର୍କ ସୂଚକାଙ୍କ, ବିଏସଇ, ସେନସେକ୍ସ ଏବଂ ନିଫ୍ଟି ୫୦ରେ ପ୍ରବଳ ବୃଦ୍ଧି ଦେଖିବାକୁ ମିଳିଛି ।  ଯାହା ଯୋଗୁଁ ନିବେଶକମାନେ ମାତ୍ର ୧୦ ସେକେଣ୍ଡରେ ୮ ଲକ୍ଷ ୪୭ ହଜାର କୋଟି ଟଙ୍କା ରୋଜଗାର କରିଛନ୍ତି । ଆଜି ସେୟାର ବଜେର ଖୋଲୁ ଖୋଲୁ ପ୍ରଥମେ ବିଏସଇ ସେନସେକ୍ସ ୭୪, ୩୦୦ ଅତିକ୍ରମ କରିଥିଲା, ସେହିପରି ନିଫ୍ଟି-୫୦ ୨୨,୫୦୦ ଉପରେ ପହଞ୍ଚିଥିଲା । ସକାଳ ୯ଟା ୧୬ ସୁଦ୍ଧା, ବିଏସଇ ସେନସେକ୍ସ ୧,୧୮୯ ପଏଣ୍ଟ ତଥା ୧.୬୩ ପ୍ରତିଶତକୁ ବୃଦ୍ଧି ପାଇଥିଲା, ଯାହା ୭୪,୩୨୭.୩୭ରେ କାରବାର କରୁଥିଲା । ଆଉ ନିଫ୍ଟି-୫୦ ୩୭୧ ପଏଣ୍ଟ ତଥା ୧.୬୭ ପ୍ରତିଶତ ବୃଦ୍ଧି ସହିତ ୨୨,୫୩୨.୩୦ ରେ ରହିଥିଲା ।

ସର୍ବାଙ୍ଗୀନ କିଣାବିକା ମଧ୍ୟରେ, ପ୍ରତ୍ୟେକ କ୍ଷେତ୍ରୀୟ ସୂଚକାଙ୍କ ସବୁଜ ଜୋନରେ ରହିଥିବା ବେଳେ କେବଳ ଟିସିଏସ ସେୟାର ଲାଲ ଜୋନରେ ରହିଛି । ସେଠି ଟାଟା ଷ୍ଟିଲ୍, ଆଦାନୀ ପୋର୍ଟସ୍ ଏବଂ ଟାଇଟାନର ସେୟାରରେ ଏକ ବଡ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ମିଡକ୍ୟାପ୍ ଏବଂ ସ୍ମଲକ୍ୟାପ୍ ଷ୍ଟକରେ ମଧ୍ୟ ବୃଦ୍ଧି ଦେଖାଦେଇଛି । ଯାହା ଏବେ ନିବେଶକଙ୍କ ପାଇଁ ଏକ ବଡ ଆଶ୍ବସ୍ତି ଆଣିଛି ।

ତେବେ ଟ୍ରମ୍ପଙ୍କ ପାରସ୍ପରିକ ଶୁଳ୍କ ଲାଗୁ ପରେ ଗତକାଲି ଭାରତୀୟ ଷ୍ଟକ୍ ବଜାରରେ ଏକ ବଡ଼ ହ୍ରାସ ଘଟିଥିଲା । ୧୩ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ସହିଥିଲା ସେୟାର ବଜାର । ହେଲେ ଆରମ୍ଭରୁ ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ବଜାର ପୁଞ୍ଜି ୮.୪୭ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି । ଯାହା ଗତକାଲିର ବଜାର ମୂଲ୍ୟ ୩,୮୯,୨୫,୬୬୦.୭୫ କୋଟି ଟଙ୍କା ରହିଥିବା ବେଳେ ଆଜି ଆରମ୍ଭରୁ କାରବାରରେ ବୃଦ୍ଧି ଯୋଗୁଁ ଏହା ୩,୯୭,୭୩,୦୦୬.୮୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଯେଉଁଥିରେ ନିବେଶକମାନେ ମୋଟ ୮୪୭,୩୪୬.୧୧ କୋଟି ଟଙ୍କାର ଲାଭ ଉଠାଇଛନ୍ତି ।

Comments are closed.