Latest Odisha News

ମୋଦି-ଟ୍ରମ୍ପଙ୍କ ସମ୍ପର୍କକୁ ନେଇ କାହିଁକି ଏଭଳି କହିଲେ ସେର୍ଗିଓ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଶନିବାର ଦିନ ଆମେରିକାର ରାଷ୍ଟ୍ରଦୂତ ଭାବରେ ମନୋନୀତ ସେର୍ଗିଓ ଗୋର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ତେବେ ଏନେଇ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ ଏକ ପୋଷ୍ଟ ସହ କହିଛନ୍ତି ଯେ ସେର୍ଗିଓଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ-ଆମେରିକା ବ୍ୟାପକ ବିଶ୍ୱ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫେବୃଆରୀ ମାସରେ ହ୍ୱାଇଟ୍ ହାଉସ୍ ରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀର ଏକ ଫଟୋ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଦାନ କରିଥିଲେ ଗୋର୍। ଯେଉଁଥିରେ ଏକ କ୍ୟାପସନରେ ଲେଖାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ଆପଣ ମହାନ ଅଟନ୍ତି।ତେବେ ସେଥିରେ ଟ୍ରମ୍ପଙ୍କ ହସ୍ତାକ୍ଷର ମଧ୍ୟ ରହିଥିଲା।

ଗୋର୍ ବର୍ତ୍ତମାନ୍ ଭାରତରେ ପରବର୍ତ୍ତୀ ଆମେରିକୀୟ ରାଷ୍ଟ୍ରଦୂତ ଭାବରେ ସେନେଟ୍ ଦ୍ୱାରା ମଞ୍ଜୁରି ପାଇଛନ୍ତି। ସେ ପରିଚାଳନା ଏବଂ ସମ୍ବଳ ବିଭାଗର ଉପସଚିବ ମାଇକେଲ୍ ଜେ.ରିଗାସଙ୍କ ସହିତ ୬ ଦିନିଆ ଦିଲ୍ଲୀ ଗସ୍ତରେ ଆସିଛନ୍ତି।ତେବେ ଏହି ନୂତନ ଦାୟିତ୍ୱ ପାଇଁ ଏସ. ଜୟଶଙ୍କର ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଆମେରିକା ଓ ଭାରତ ମଧ୍ୟରେ ବର୍ତ୍ତମାନ୍ ଶୁଳ୍କକୁ ନେଇ ତୀବ୍ର ଉତ୍ତେଜନା ଚାଲିଥିବା ବେଳେ ଏହି କୂଟନୈତିକ ଆଲୋଚନା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ତେବେ ଭାରତ, ଋଷ ଠାରୁ ତୈଳ କ୍ରୟ କରିବା ପରେ ଟ୍ରମ୍ପ ପ୍ରଶାସନ ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲା।

ଗୋର୍ ଟ୍ରମ୍ପଙ୍କ ନିକଟତର ବ୍ୟକ୍ତି ଅଟନ୍ତି ଓ ସେ ପୂର୍ବତନ ହ୍ୱାଇଟ୍ ହାଉସ୍ କର୍ମଚାରୀ ନିର୍ଦ୍ଦେଶକ ଭାବରେ ଅଗଷ୍ଟରେ ଦକ୍ଷିଣ ଏବଂ ମଧ୍ୟ ଏସୀୟ ବ୍ୟାପାର ପାଇଁ ରାଷ୍ଟ୍ରଦୂତ ଏବଂ ସ୍ୱତନ୍ତ୍ର ଦୂତ ଭାବରେ ମନୋନୀତ ହୋଇଥିଲେ। ତାଙ୍କର ଏହି ନୂତନ ଚୟନ ପରେ ଗୋର କହିଛନ୍ତି ଯେ ଏହି ପଦ ପାଇଁ ତାଙ୍କୁ ବାଛିଥିବାରୁ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଖରେ କୃତଜ୍ଞ ଅଟନ୍ତି। ତେବେ ଗତ ବୁଧବାର ସେନେଟ୍ ଦ୍ୱାରା ସର୍ବସମ୍ମତିକ୍ରମେ ୧୦୭ ଜଣ ମନୋନୀତ ବ୍ୟକ୍ତିଙ୍କ ମଧ୍ୟରେ ୩୮ ବର୍ଷୀୟ ଗୋର ଥିଲେ। ୫୧ ଜଣ ସେନେଟର ସପକ୍ଷରେ ଥିବା ବେଳେ ୪୭ ଜଣ ବିପକ୍ଷରେ ଭୋଟ ଦେଇଥିଲେ।

 

Comments are closed.