Latest Odisha News

BREAKING NEWS

ମଝି ଆକାଶରେ ବିମାନରେ ଯାନ୍ତ୍ରିକ ତ୍ରୁଟି; ବିପଦରେ ୩୦୦ ଯାତ୍ରୀଙ୍କ ଜୀବନ

ମୁମ୍ବାଇ: ଆଦିସ ଆବାବାରୁ ମୁମ୍ବାଇ ଆସୁଥିବା ଇଥିଓପିଆନ୍ ଏୟାରଲାଇନ୍ସର ବିମାନ ଇ ଟି ୬୪୦ ଶୁକ୍ରବାର ବିଳମ୍ବିତ ରାତିରେ ଗମ୍ଭୀର ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଥିଲା।

ବିମାନ କମ୍ପାନୀର ବୋଇଂ ୭୮୭ ଡ୍ରିମଲାଇନର୍ ରେ  ମିଡ ଏୟାର ଡିପ୍ରେସରାଇଜେସନ ସୃଷ୍ଟି ହୋଇଥିଲା। ଯାହା ଫଳରେ ବିମାନଟିକୁ ଅପରାହ୍ନ ୧.୫୫ ସମୟରେ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର (CSMIA) ରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା।

ଯେତେବେଳେ ବିମାନ କ୍ୟାବିନରେ ବାୟୁର ଚାପ ହଠାତ୍ ହ୍ରାସ ପାଇଥାଏ ସେତିକିବେଳେ ଏହିପରି ପରିସ୍ଥିତି ସୃଷ୍ଟି ହୋଇଥାଏ।ତେବେ ଏହା ସାଧାରଣତଃ କ୍ୟାବିନ ଚାପ ବ୍ୟବସ୍ଥାର ବିଫଳତା କିମ୍ବା ବିମାନର ଗଠନରେ ଲିକେଜ୍ ଭଳି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଥାଏ। ଏହାଦ୍ଵାରା  ଯାତ୍ରୀମାନଙ୍କୁ ନିଶ୍ୱାସ ନେବାରେ କଷ୍ଟ, ମୁଣ୍ଡ ବୁଲାଇବା କିମ୍ବା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ।

ଏହା ପୂର୍ବରୁ  ଜୁନ୍ ୨୩  ରେ ଏୟାର ଇଣ୍ଡିଆ ହିଥ୍ରୋ-ମୁମ୍ବାଇ ବିମାନ ଯାତ୍ରା ସମୟରେ ୬ଜଣ କ୍ରୁ ସଦସ୍ୟଙ୍କ ସମେତ ୧୧  ଜଣ ଯାତ୍ରୀଙ୍କୁ  ମୁଣ୍ଡ ବୁଲାଇବା ଏବଂ ବାନ୍ତି ଅନୁଭବ ହୋଇଥିଲା। ଯାହାର କିଛି ଦିନ ମଧ୍ୟରେ ପୁନର୍ବାର ଏଭଳି ଘଟିଛି।

ଫ୍ଲାଇଟ୍ ନମ୍ବର ଇ ଟି ୬୪୦ ରେ ୩୦୦ ଜଣ ଯାତ୍ରୀ ଙ୍କ ସମେତ  ୧୧ ଜଣ କ୍ରୁ ସଦସ୍ୟ ଥିଲେ। ତେବେ ବିମାନଟି (ET-AXS) ୩୩୦୦୦ ଫୁଟ୍ ଉଚ୍ଚତାରେ ଥାଇ ଆରବ ସାଗର ଉପରେ ଉଡ଼ୁଥିବା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ବିମାନରେ କ୍ୟାବିନର ଚାପ ହଠାତ୍ ହ୍ରାସ ପାଇବା ପରେ ସାତ ଜଣ ଯାତ୍ରୀ ଙ୍କୁ ନିଶ୍ୱାସ ନେବାରେ କଷ୍ଟ ଏବଂ ମୁଣ୍ଡ ବୁଲାଇବା ଭଳି ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା।ଯାହାଫଳରେ ବିମାନ କୁ ତୁରନ୍ତ  ଜରୁରୀକାଳୀନ ଅବତରଣ କରାଯାଇ ଅସୁସ୍ଥ ଯାତ୍ରୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥିଲା।

ତେବେ ସେଥିମଧ୍ୟରୁ ଜଣେ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଯିବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ମଧ୍ୟ ବୋଇଂ ୭୮୭ ଡ୍ରିମଲାଇନର୍ ବିମାନର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି। କିଛି ଦିନ ପୂର୍ବରୁ ଏୟାର ଇଣ୍ଡିଆର ଏକ ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ସମୟରେ ଉଡ଼ାଣ ଭରିବାର ୩୬ ସେକେଣ୍ଡ ପରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବିମାନରେ ଥିବା ୨୪୧ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା।

 

Comments are closed.