Latest Odisha News

୩ ଲକ୍ଷ ୩୨ ହଜାର ଟଙ୍କା ଚୋବାଇଦେଲା ପୋଷା କୁକୁର, ଏହା ଦେଖି ମାଲିକ ହେଲେ ବେହୋସ୍ ! 

ନୂଆଦିଲ୍ଲୀ;  ଆମେରିକାର ପେନସିଲଭେନିଆରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖି ଜଣେ କୁକୁର ମାଲିକଙ୍କୁ ଜୋରଦାର ଝଟକା ଲାଗିଛି। 

ପ୍ରକୃତ ଘଟଣା ହେଉଛି ମାଲିକ କ୍ଲେଟନ୍‌ ଓ ତାଙ୍କ ସ୍ତ୍ରୀ କ୍ୟାରି ଲ’ଙ୍କ ୪ ହଜାର ଡଲାର ଅର୍ଥାତ୍ ୩ ଲକ୍ଷ ୩୨ ହଜାର ଟଙ୍କାକୁ ତାଙ୍କ ୭ ବର୍ଷୀୟ ପୋଷା କୁକୁର ସିସିଲି ଚୋବାଇ ପକାଇଛି।

ରିପୋର୍ଟ ଅନୁସାରେ କୌଣସି କାର୍ଯ୍ୟ ନିମନ୍ତେ ଗତମାସରେ କ୍ଲେଟନ୍‌ ଗୋଟାଏ ଲଫାପାରେ ଭର୍ତ୍ତି କରି ରଖିଥିବା ଉକ୍ତ ନଗଦ ଟଙ୍କାକୁ ‘ଗୋଲ୍‌ଡେନ୍‌ଡୁଡଲ୍‌’ ପ୍ରଜାତିର ୭ ବର୍ଷୀୟ କୁକୁର ସିସିଲି ଚୋବାଇ ପକାଇଥିଲା।

 

ଚୋବାଇ ପକାଇଥିବା ଟଙ୍କାକୁ ଫେରି ପାଇବା ପାଇଁ ଦମ୍ପତ୍ତି କୁକୁର ସିସିଲିକୁ ବାନ୍ତି କରାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ  ଅଧିକାଂଶ ଟଙ୍କା ଉଦ୍ଧାର କରାଯାଥିବା ବେଳେ ୪୫୦ ଡଲାର୍‌ ମିଳୁ ନ ଥିବା କଥା ମାଲିକ କ୍ଲେଟନ୍‌ ଓ ତାଙ୍କ ସ୍ତ୍ରୀ କ୍ୟାରି ଲ’ କହିଛନ୍ତି। କୁକୁର ଅସୁସ୍ଥ ଥିବା ମନେକରି ସେମାନେ କୁକୁରକୁ ଜଣେ ପ୍ରାଣୀ ଚିକିତ୍ସକଙ୍କ ନିକଟକୁ ନେଇଥିଲେ କିନ୍ତୁ, କୁକୁର ସୁସ୍ଥ ଥିବା କଥା ଚିକିତ୍ସକ କହିଥିଲେ। 

 

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, ପାଚେରି ଉଠାଇବା ପାଇଁ ଜଣେ ଠିକାଦାରଙ୍କୁ ଦେବା ଲାଗି ସେମାନେ ଏତେ ପରିମାଣର ଅର୍ଥ ଉଠାଇଥିଲେ। ଲଫାପାରେ ଭର୍ତ୍ତି କରି ଟଙ୍କା ରଖିବାର ଅଧ ଘଣ୍ଟାଏ ପରେ ସେମାନେ ଦେଖିଲେ ତାଙ୍କ ପ୍ରିୟ କୁକୁର ଟଙ୍କା ଚୋବାଇ ଖଣ୍ଡ ଖଣ୍ଡ କରି ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଛି।

କେରି ଲ’ କହିଛନ୍ତି, ହଠାତ୍‌ କ୍ଲେଟନ୍‌ ଚିତ୍କାର କରି ମତେ କହିଲା, ସିସିଲି ୪୦୦୦ ଡଲାର୍‌ ଖାଉଛି। ଏ କଥା ଶୁଣି ମୋର ହୃଦ୍‌ଘାତ ହୋଇଯିବା ପରି ମନେହେଲା।

ତେବେ ଏହି ଘଟଣାରେ ଦମ୍ପତ୍ତି ବ୍ୟାଙ୍କରେ ପହଞ୍ଚିଥିଲେ। ଟଙ୍କାର କ୍ରମିକ ସଂଖ୍ୟା ବା ସିରିଏଲ୍‌ ନମ୍ବର ଦିଶୁଥିଲେ, ଟଙ୍କା ଫେରାଇହେବ ବୋଲି ବ୍ୟାଙ୍କ୍  କର୍ତ୍ତୃପକ୍ଷ କହିଛନ୍ତି।

Comments are closed.