ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ନେତା ତଥା ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କୁ ଗିରଫ କରାଯାଇଛି । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ବିରୋଧ କରି ତାଙ୍କୁ ଗିରଫ କରାଯାଇଛି । ତେବେ ଦେଶଦ୍ରୋହ ମାମଲାରେ ପୋଲିସ ତାଙ୍କୁ ଗିରଫ କରି ଢାକା ବିମାନବନ୍ଦରରେ ଅଟକ ରଖିଛି।
ଚଳିତ ବର୍ଷ ଅଗଷ୍ଟ ୫ ରେ ଶେଖ ହାସିନାଙ୍କ ନେତୃତ୍ୱାଧୀନ ସରକାର ପତନ ପରଠାରୁ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ବାଂଲାଦେଶ ସନାତନ ଜାଗରଣ ମଞ୍ଚର ନେତା ଚିନ୍ମୟ ଆଗରେ ରହିଆସିଛନ୍ତି। ଯେଉଁଥିପାଇଁ ଢାକା ପୁଲିସ ତାଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରିଥିଲା । ଏହା ପରେ ଢାକା ପୋଲିସର ଗୁଇନ୍ଦା ବିଭାଗ ତାଙ୍କୁ ଗିରଫ କରିଛି । ହିନ୍ଦୁ ସଂଗଠନ ସହ ଜଡ଼ିତ ଅନ୍ୟ ନେତାଙ୍କ ବିରୋଧରେ ସଧ୍ୟ ସମାନ ମାମଲା ରୁଜୁ ହୋଇଥିଲା। ଏବେ ଚିନ୍ମୟ ପ୍ରଭୁଙ୍କ ଗିରଫ ପରେ ପୁଣିଥରେ ଏକାଧିକ ସ୍ଥାନରେ ବହୁ ସଂଖ୍ୟାରେ ହିନ୍ଦୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ସେପଟେ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଗିରଫ ପରେ ବାଂଲାଦେଶରେ ପରିସ୍ଥିତି ବିଗିଡିବାରେ ଲାଗିଛି । ରାସ୍ତା ଉପରକୁ ଓହ୍ଲାଇଛନ୍ତି ହିନ୍ଦୁ ସମାଜର ଲୋକେ । ଏହାରି ଭିତରେ ସେମାନଙ୍କ ଉପରେ ବିଏନପି ଏବଂ ଜମାତର କାର୍ଯ୍ୟକର୍ତ୍ତାମାନେ ଆକ୍ରମଣ କରିଥିବା ନଜର ଆସିଛି । ଏହି ଆକ୍ରମଣରେ ୫୦ ଜଣ ହିନ୍ଦୁ ଗୁରୁତର ଆହତ ହୋଇଛନ୍ତି । ଏହାପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ହନ୍ଦୁ ସମାଜର କାର୍ଯ୍ୟକର୍ତ୍ତା ଜୟ ଶ୍ରୀ ରାମ, ହର ହର ମହାଦେବ ନାରା ଦେଇ ମଶାଲ ଧରି ରାସ୍ତାରେ ରାଲି ଆରମ୍ଭ କରିଥିଲେ ।
ସୂଚନାଯୋଗ୍ୟ, ବାଂଲାଦେଶରେ ଶେଖ୍ ହସିନାଙ୍କ ସରକାର ପତନ ପରଠାରୁ ନିୟମିତଭାବେ ହିନ୍ଦୁ ଓ ହିନ୍ଦୁ ମନ୍ଦିର ଗୁଡ଼ିକ ଉପରେ ଆକ୍ରମଣ ହୋଇଚାଲିଛି ।