Latest Odisha News

ଦିନରେ ତାତି, ରାତିରେ ପ୍ରବଳ ବର୍ଷା : ବଜ୍ରପାତରେ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ଦିନରେ ଗ୍ରୀଷ୍ମ ପ୍ରବାହ, ରାତିରେ ପ୍ରବଳ ବର୍ଷା । ମଙ୍ଗଳବାର ଏପରି କିଛି ଥିଲା ପାଣିପାଗର ମିଜାଜ । ଟୁଇନ ସିଟି ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିଲା । ଯାହାକି ଲୋକଙ୍କୁ ତାତିରୁ ନିଃଶ୍ୱାସ ମାରିବାରେ ସୁଯୋଗ ଦେଇଛି। ତେବେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ କିଛି ସ୍ଥାନରେ ୪୦ କିଲୋମିଟର ବେଗରେ ପବନ ବୋହିଥିଲା । ଆସନ୍ତା ୮ ତାରିଖ ଯାଏ କାଳ ବୈଶାଖୀର ପ୍ରଭାବ ରହିବ ବୋଲି ଆକଳନ କରାଯାଉଛି। ବାଲେଶ୍ୱରରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଗତକାଲି ସଂଧ୍ୟାରେ ଦ୍ୱେତନଗରୀରେ ପ୍ରବଳ ବର୍ଷା ହୋଇଛି। ସଂଧ୍ୟା ୭ଟାରେ ପ୍ରଥମେ କଟକ ପରେ ରାଜଧାନୀ ଭୁବନେଶ୍ୱରରେ ରାତି ୧୧ଟା ୩୦ ଯାଏ ପ୍ରବଳ ବର୍ଷା ହୋଇଛି। ତେବେ ଝଡ ପବନଯୋଗୁଁ ବିଜୁଳି ବିଭ୍ରାଟ ଦେଖିବାକୁ ମିଳିଥିଲା। ରାତି ୧୧ଟା ୩୦ ପରେ ହଠାତ ରାଜଧାନୀ ଅନ୍ଧାର ହୋଇଯାଇଥିଲା। ପରେ ରାତି ୩ଟା ୩୦ ପରେ ବିଜୁଳି ସେବା ସ୍ୱାଭାବିକ ହୋଇଥିଲା।

ବାଲେଶ୍ୱର, ଭଦ୍ରକରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ଘଡଘଡି ମାରିବାରୁ ବାଲେଶ୍ୱର ଡଗରା ଅଞ୍ଚଳର ଜଣେ ୪୬ ବର୍ଷୀୟ ବ୍ୟକ୍ତି ପର୍ଶୁରାମ ଦାସ ପ୍ରାଣ ହରାଇଥିଲେ। ସଂଧ୍ୟାରେ ବଜାରରୁ ସଉଦା କିଣି ପର୍ଶୁରାମ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପଟେ ଗତକାଲି ମଧ୍ୟ ପଶ୍ଚିମ ଓଡ଼ିଶାରେ ତାତି ରହିଥିଲା । ସାରା ଓଡିଶାରେ ୧୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୪. ୫ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା।

Leave A Reply

Your email address will not be published.