ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରି। ବିଭିନ୍ନ ସହରମାନଙ୍କରେ ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଖସୁଛି ରାତି ତାପମାତ୍ରା । ଏବେ ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ୧୦ ଡିଗ୍ରୀ ତଳେ ରହିଛି ୫ ସହରର ତାପମାତ୍ରା । ୭ ଡିଗ୍ରୀ ତାପମାତ୍ରା ସହିତ ଫୁଲବାଣୀ ପାଲଟିଛି ସବୁଠୁ ଥଣ୍ଡା ସହର । ସେହିପରି ରାଉରକେଲା ୭.୨, ଝାରସୁଗୁଡ଼ା ୭.୭, ସୋନପୁର ୯ ଡିଗ୍ରୀ, ଭବାନୀପାଟଣା ୯.୯, ସୁନ୍ଦରଗଡ଼ ୧୦.୨, କେନ୍ଦୁଝର ୧୦.୬ ଡିଗ୍ରୀ, ଭୁବନେଶ୍ବର ୧୩. ୨ ଏବଂ କଟକ ୧୩.୫ ଡିଗ୍ରୀ ରହିଛି ।
ଅନ୍ୟପଟେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି ସମାନ ସ୍ଥିତି ବଜାୟ ରହିବ । ଆହୁରି ୪ ଦିନ କଲବଲ କରିବ ଘନ କୁହୁଡି ସାଙ୍ଗକୁ ଶୀତ । ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା । ଜିରୋ ଭିଜିବିଲିଟି ପରିସ୍ଥିତି ନେଇ ଘାଟି ଅଞ୍ଚଳରେ ଧିମା ଗତିରେ ଗାଡି ଚଳାଇବାକୁ ପରାମର୍ଶ ଦିଆଯାଇଛି । ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡି ନେଇ ୭ ଜିଲ୍ଲାକୁ ସତର୍କତା ମଧ୍ୟ ଜାରି କରାଯାଇଛି ।
ସୋମବାର ଖୋର୍ଦ୍ଧା, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, କୋରାପୁଟ ଓ କଟକରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ। ସେହିପରି ମଙ୍ଗଳବାର ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
Comments are closed.