Severe Cyclone Akvan: ଓଡିଶା ମୁହାଁ ବାତ୍ୟା ‘ଅକଭାନ୍’! ନରସାପୁରରୁ ପୁରୀ ମଝିରେ ହେବ ମାଡ! ୧୧ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ…
ଭୁବନେଶ୍ବର: ବଙ୍ଗୋପସାଗରରେ ଘନଉଛି ବିପଦ। ଧୀରେ ଧୀରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ଅକଭାନ୍’। ଗତ କିଛି ଘଣ୍ଟା ମଧ୍ୟରେ ଝଡ଼ର ଗତି ବଢ଼ିଥିବାରୁ ଉପକୂଳବର୍ତ୍ତୀ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଚିନ୍ତା ବଢ଼ିଛି। ଭାରତୀୟ ପାଣିପାଗ ବିଭାଗ (IMD)ର ନଭେମ୍ବର ୧୯ ସକାଳର ବୁଲେଟିନ୍ ଅନୁଯାୟୀ, ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି ଏହି ସାମୁଦ୍ରିକ ଝଡ଼। ଆସନ୍ତା ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସମୟରେ ନରସାପୁରରୁ ପୁରୀ ମଧ୍ୟବର୍ତ୍ତୀ ଅଞ୍ଚଳରେ, ଗୋପାଳପୁରର ପୂର୍ବ ଦିଗ ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ଆକଳନ କରାଯାଇଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିପାରେ ଏବଂ ଝଟକା ପବନର ବେଗ ୧୧୦ କିଲୋମିଟର ଛୁଇଁପାରେ।
ଏପଟେ ବାତ୍ୟାର ପ୍ରଭାବ ଓଡିଶାରେ ସ୍ପଷ୍ଟ ଭାବେ ଅନୁଭୂତ ହେଲାଣି । ସକାଳୁ ସକାଳୁ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ଶୁକ୍ରବାର ଓ ଶନିବାର ରାଜ୍ୟର ଦକ୍ଷିଣ, ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି। ବିଶେଷକରି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଥିବାରୁ ସେଠାକାର ବାସିନ୍ଦାଙ୍କୁ ସୁରକ୍ଷିତ ଓ ନିରାପଦ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି।
ବାତ୍ୟା ଓ ପ୍ରବଳ ବର୍ଷାର ପ୍ରଭାବରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ନୟାଗଡ଼, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ସମେତ ଅତିକମ୍ରେ ୧୪ଟି ଜିଲ୍ଲା ପ୍ରଭାବିତ ହେବାର ଆକଳନ କରାଯାଇଛି। ଏପଟେ ୧୧ଟି ଜିଲ୍ଲାକୁ ରେଡ୍ ଆଲର୍ଟରେ ରଖାଯାଇଛି। ଗଞ୍ଜାମ, ମାଲକାନଗିରି, ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ସହ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଭଳି ବିପଦକୁ ଏଡ଼ାଇବା ପାଇଁ ପ୍ରଶାସନକୁ ସତର୍କ ରହିବା ସହ ଲୋକଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି।
ତେବେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୯୦ରୁ ୧୦୦ କିଲୋମିଟର ରହିବା ସହ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ବହିପାରେ। ଏହାର ପ୍ରଭାବରେ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ, ୟାନମ୍ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସମୁଦ୍ର ମଧ୍ୟ ଅଶାନ୍ତ ରହିବ। ଉତ୍ତର ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତରୁ ଅତ୍ୟନ୍ତ ଅଶାନ୍ତ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଅତ୍ୟନ୍ତ ଅଶାନ୍ତରୁ ଉଚ୍ଚ ଜୁଆରଯୁକ୍ତ ରହିବାର ଆକଳନ କରାଯାଇଛି। ବର୍ଷା ସମୟରେ ଦୃଶ୍ୟମାନତା ମଧ୍ୟ କମିପାରେ। ଏଥିପାଇଁ ଓଡ଼ିଶାର ସମସ୍ତ ବନ୍ଦରରେ ସ୍ଥାନୀୟ ସତର୍କ ସଙ୍କେତ ନମ୍ବର-୩ ଜାରି ରଖିବାକୁ କୁହାଯାଇଛି।
ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମୀକ୍ଷା ବୈଠକ ପରେ ପ୍ରାୟ ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ରିପୋର୍ଟ ମିଳିଛି। ଅନ୍ୟପଟେ ୪୪୮ଟି ବାତ୍ୟା ଆଶ୍ରୟସ୍ଥଳୀକୁ କାର୍ଯ୍ୟକ୍ଷମ କରାଯାଇଛି ଏବଂ ଆଉ ୩ ହଜାରରୁ ଅଧିକ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଉଛି। ଉଦ୍ଧାର କାର୍ଯ୍ୟ ପାଇଁ ୬୦ଟି ଓଡ୍ରାଫ୍ ଏବଂ ୧୪ଟି ଏନ୍ଡିଆରଏଫ୍ ଟିମ୍କୁ ମୁତୟନ କରାଯାଇଛି। ଏହା ସହ ଅଧିକ ୨୦ଟି ଟିମ୍କୁ ମଧ୍ୟ ସତର୍କ ରଖାଯାଇଛି।
ବାତ୍ୟା ପ୍ରଭାବରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଲୋକଙ୍କୁ ଆତଙ୍କିତ ନହୋଇ ସତର୍କ ରହିବା ସହ ପାଣିପାଗ ବିଭାଗ ଓ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ଅନୁରୋଧ କରାଯାଇଛି।
