Latest Odisha News

BREAKING NEWS

‘Revolution, Not Election’ ମନି ଲଣ୍ଡ୍ରିଂ କେସ୍‌ରୁ ଅନ୍ତରୀଣ ଜାମିନ ପରେ ଆଜମ ଖାନ୍‌ଙ୍କ ବୟାନ, ଆଗାମୀ ୟୁପି ନିର୍ବାଚନରେ ହେବ ବନ୍ୟା !

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ ସାମାନ୍ୟ ଆଶ୍ୱସ୍ତ । ମହମ୍ମଦ ଅଲ୍ଲି ଜୌହର ବିଶ୍ୱବିଦ୍ୟାଳୟ ସହ ଜଡିତ ମନି ଲଣ୍ଡ୍ରିଂ କେସରେ ଆଲାହାବାଦ୍ କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଜେଲରୁ ବାହାରିବା ପରେ ଆଜମ ଦେଇଛନ୍ତି ବିସ୍ଫୋରକ ବୟାନ । ଆଗାମୀ ୟୁପି ନିର୍ବାଚନରେ ବନ୍ୟା ନେଇ ପୂର୍ବାନୁମାନ କରିଛନ୍ତି ଆଜମ । ଏଥର ୟୁପିରେ ନିର୍ବାଚନ ହେବନି ବରଂ ବିପ୍ଲବ ହେବ, କୌଣସି ପରିବର୍ତ୍ତନ ହେବନି ବରଂ ବନ୍ୟା ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଆଜମ । ବୁଧବାର ରାତିରେ ରାମପୁରରେ ପହଂଚିବା ପରେ ଏପରି ବକ୍ତବ୍ୟ ରଖିଛନ୍ତି ଆଜମ୍ ଖାନ୍ । ମନି ଲଣ୍ଡ୍ରିଂ କେସରେ ଗତ ଅକ୍ଟୋବର ୩୧ରେ ଇଡି ତାଙ୍କୁ ଅଟକ ରଖିଥିଲା । ତାପରେ ୧୪ଦିନିଆ ବିଚାର ବିଭାଗୀୟ ହାଜତରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଗାଜିଆବାଦ ପିଏମଏଲଏ କୋର୍ଟ । ଏବେ ଆଲାହାବାଦ କୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ଦେଶ ସ୍ୱାଧୀନ ଥିଲାବେଳେ ସମ୍ବିଧାନ ବନ୍ଦୀ ହୋଇରହିଛି ବୋଲି କହିଛନ୍ତି ଆଜମ ଖାନ୍ । ଆମେ ସମସ୍ତେ ସମ୍ବିଧାନର ସ୍ୱାଧିନତା ଚାହୁଁଛୁ ଏବଂ ଚାହିଁବା ଆବଶ୍ୟକ ବୋଲି କହିଛନ୍ତି । ଆଗାମୀ ନିର୍ବାଚନରେ ଭୋଟର ଜାତି ଧର୍ମର କାର୍ଡରେ ପ୍ରଭାବିତ ହେବେନି ବରଂ ପ୍ରକୃତ ସମସ୍ୟାକୁ ମୁଦ୍ଦା କରୁଥିବା ପାର୍ଟିକୁ ବାଛିବେ ବୋଲି ସେ କହିଛନ୍ତି । ଆମେ ସମ୍ବିଧାନ ଓ ଆଇନ ପାଇଁ ମରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଆଜମ ଖାନ୍ ।

Leave A Reply

Your email address will not be published.