ଭୁବନେଶ୍ବର: ଆଗାମୀ ୩ ଘଣ୍ଟା ପାଇଁ ପ୍ରବଳ ବର୍ଷିବ କାଳବୈଶାଖୀ ବର୍ଷା । ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସାଙ୍ଗକୁ ପବନର ସମ୍ଭେବନା । ଏନେଇ ୩ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ଆଗାମୀ ୨ରୁ ୩ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ୩ ଜିଲ୍ଲାରେ ଘଡ଼ଘଡ଼ି, ବର୍ଷା ସହ ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା । ଏଥିପାଇଁ ଆଗୁଆ ସତର୍କ କରାଇଛି ପାଣିପାଗ ବିଭାଗ ।
ସେପଟେ ବଦଳୁଛି ପାଗର ମିଜାଜ୍ । ଏଥର ଜଲଦି ମୌସୁମୀ ଭାରତ ଛୁଇଁବା ନେଇ ଆଶା ରହିଥିବା ବେଳେ ସକାଳୁ ଟାଣ ଖରା ସାଙ୍ଗକୁ ସଂଧ୍ୟା ହେଲେ କାଚୁଛି । କଳା ଅନ୍ଧାର କରି ମାଡି ଆସୁଛି କାଳବୈଶାଖୀ ବର୍ଷା । ଏବେ ଏହିଭଳି ଭାବେ ରାଜ୍ୟରେ ଆହୁରି ୩ ଦିନ ଯାଏଁ ଝଡବର୍ଷା ଚେତାବନୀ ଦେଇଛି ପାଣିପାଗ ବିଭାଗ। ଆସନ୍ତା ୧୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ। ଆଜି ପାଇଁ ୫ ଜିଲ୍ଲାକୁ ଝଡ଼ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା ଏବଂ ମାଲକାନଗିରି ହୋଇଥିବାବଳେ ଏହି ସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ୫୦-୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ୮ଟି ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି। କାଳବୈଶାଖୀ ଯୋଗୁଁ ବଜ୍ରପାତରୁ ବର୍ତିବା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।
ସେପଟେ ସକାଳୁ ସକାଳୁ ରାଜ୍ୟରେ ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଆଜି ସକାଳ ୮.୩୦ ସୁଦ୍ଧା ଦିନ ତାପମାତ୍ରା ୩୩.୬ ଡିଗ୍ରୀ ଟପିଲା । ପୁରୀରେ ୩୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । କିନ୍ତୁ ଆର୍ଦ୍ରତା ୭୨.୬ ପ୍ରତିଶତ ରହିଛି । ଚାନ୍ଦବାଲିରେ ୩୨.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିବା ବେଳେ ଆର୍ଦ୍ରତା ୭୫.୪ ପ୍ରତିଶତ ରହିଛି । ଭୁବନେଶ୍ୱରରେ ତାପମାତ୍ରା ୩୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆର୍ଦ୍ରତା ୭୦ ପ୍ରତିଶତ ରହିଛି । ତେବେ ଝଡବର୍ଷାର ସମ୍ଭାବନା ଥିବାରୁ ତାତିରୁ ସାମାନ୍ୟ ତ୍ରାହି ମିଳୁଛି । ।
Comments are closed.