କଟକ: ଖୋଲିଲା ବାଂଲାଦେଶରୁ ଓଡ଼ିଶାକୁ ଯୁବତୀ ଚାଲାଣର ରହସ୍ୟ । କଟକରୁ ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛନ୍ତି ଡିସିପି । ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଯୁବତୀ ଜଣଙ୍କ ଆସିଛନ୍ତି ବୋଲି କହିଛନ୍ତି ଡିସିପି । ତେବେ ଏନେଇ ବାଂଲାଦେଶ ଏମ୍ବାସୀକୁ ସରକାରୀ ସ୍ତରରେ ଜଣାଯିବ । ଘଟଣା ପଛରେ ରାକେଟ୍ର ହାତ ଅଛି କି ନାହିଁ ସେନେଇ ତଦନ୍ତ ହେବ । ତଦନ୍ତ ପାଇଁ ଟିମ୍ ଗଠନ କରାଯାଇଥିବା କହିଛନ୍ତି ଡିସିପି ପିନାକ ମିଶ୍ର ।
ସୂଚନା ଅନୁସାରେ, କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ମାମଲା ରୁଜୁ କରିଛି କମିଶନରେଟ ପୋଲିସ। ନାବାଳିକା ଉଦ୍ଧାର ହୋଇଥିବା ସ୍ଥାନକୁ ଯାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ବାଂଲାଦେଶରୁ ନାବାଳିକା ଓ ଯୁବତୀଙ୍କୁ ବେଆଇନ ଭାବେ ସୀମା ପାର କରାଇ ବେଆଇନ କାମରେ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରୁଥିବା କମିଶନରେଟ ପୋଲିସ ୫ ଦଲାଲଙ୍କ ନାଁରେ ମାମଲା ରୁଜୁ କରିଛି ।
ସୂଚନାନୁଯାୟୀ, ବାଂଲାଦେଶୀ ନାବାଳିକା ବୟସ ପାଖାପାଖି ୧୭ ବର୍ଷ ହେବ। ସେ ରୋଜଗାର ପାଇଁ ଭିଟାମାଟି ଛାଡ଼ିଥିଲେ। ଫେସବୁକ୍ ଜରିଆରେ ଜଣେ ଯୁବକଙ୍କ ସହ ପରିଚିତ ହେବା ପରେ ଭାରତ ଆସିଥିଲେ। ପ୍ରଥମେ ତାଙ୍କୁ କୋଲକତା ପରେ ଭୁବନେଶ୍ୱରରେ ରହିବାକୁ ପଡିଥିଲା। ରୋଜଗାର ଲାଗି କିଛି ଯୁବକ ତାଙ୍କୁ ଏକ ମସାଜ୍ ସେଣ୍ଟରରେ ଅବସ୍ଥାପିତ କରିଥିଲେ। ସେ କଟକ ଉପକଣ୍ଠ ଗୋପାଳପୁର ଠାରେ ରହୁଥିଲେ।