Latest Odisha News

BREAKING NEWS

ବରଗଡ଼ରେ ଚର୍ଚ୍ଚିତ ଯୌନ ଉତ୍ପୀଡ଼ନ ମାମଲା: ସସପେଣ୍ଡ ହେଲେ ଡିଇଓ ଓ ବିଇଓ

ବରଗଡ଼: ବରଗଡ଼ ଶିକ୍ଷା ବିଭାଗକୁ ଦୋହଲାଇ ଦେଇଥିବା ଚର୍ଚ୍ଚିତ ଯୌନ ଉତ୍ପୀଡ଼ନ ମାମଲାରେ ଶେଷରେ ବଡ଼ ପଦକ୍ଷେପ ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଜ୍ୟୋତିକାନ୍ତ ସାହୁ ଓ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ସୁରେନ୍ଦ୍ର ସାହୁଙ୍କୁ ନିଲମ୍ବନ କରାଯାଇଛି। ଜଣେ ମହିଳା ସିଆରସିସି ସ୍ତରୀୟ କର୍ମଚାରୀଙ୍କ ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।

ଗତ କିଛି ସପ୍ତାହ ଧରି ମାମଲାଟି ଶିକ୍ଷା ବିଭାଗରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇ ରହିଥିଲା। ଅଭିଯୋଗ ଅନୁଯାୟୀ, କାର୍ଯ୍ୟସ୍ଥଳରେ ମହିଳା କର୍ମଚାରୀଙ୍କୁ ମାନସିକ ଓ ଯୌନ ଉତ୍ପୀଡ଼ନ ଦିଆଯାଉଥିବା ଅଭିଯୋଗ ରହିଥିଲା। ଏପରିକି ଅଶ୍ଳୀଳ ମେସେଜ୍‌ ପଠାଯାଇଥିବା ନେଇ ମଧ୍ୟ ଅଭିଯୋଗ ଉଠିଥିଲା। ପରେ ମହିଳା କର୍ମଚାରୀ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ।

ପ୍ରାରମ୍ଭିକ ତଦନ୍ତ ପରେ ବରଗଡ଼ ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା। ଏହାପରେ ପୁଲିସ ତଦନ୍ତ ଆରମ୍ଭ କରି ଡିଇଓ ଜ୍ୟୋତିକାନ୍ତ ସାହୁ, ବିଇଓ ସୁରେନ୍ଦ୍ର ସାହୁ ଓ ସତଲମା ହାଇସ୍କୁଲର ପିଇଟି ଶିକ୍ଷକ ସମୀର ପାଣିଗ୍ରାହୀଙ୍କୁ ଗିରଫ କରିଥିଲା।

ତଦନ୍ତ ବେଳେ କେବଳ ଯୌନ ଉତ୍ପୀଡ଼ନ ନୁହେଁ, ସରକାରୀ ଅର୍ଥ ହଡ଼ପ ଓ ଆର୍ଥିକ ଅନିୟମିତତାର ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା। ପୁଲିସ ଅଭିଯୁକ୍ତମାନଙ୍କ ମୋବାଇଲ ଫୋନ ଓ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବେଜ ଜବତ କରିଛି। ଡିଜିଟାଲ ପ୍ରମାଣ ଖତିଆନ କରାଯାଉଛି।

ଏହାପୂର୍ବରୁ ପିଇଟି ସାର୍ ସମୀର ପାଣିଗ୍ରାହୀଙ୍କୁ ଜିଲ୍ଲା ପ୍ରଶାସନ ନିଲମ୍ବନ କରିଥିଲା। ସେତେବେଳେ ଡିଇଓ ଓ ବିଇଓଙ୍କ ବିରୋଧରେ ମଧ୍ୟ କଡ଼ା ପଦକ୍ଷେପ ନେବାକୁ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ। ଶେଷରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଉଭୟ ଅଧିକାରୀଙ୍କୁ ସସପେଣ୍ଡ କରିଛି।

Comments are closed.