Latest Odisha News

BREAKING NEWS

ପଟୌଦି ଟ୍ରଫିକୁ ଅବସର; କ୍ଷୋଭ ପ୍ରକାଶ କଲେ ଶର୍ମିଲା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ ପରେ ଭାରତୀୟ କ୍ରିକେଟ୍ ଟିମ୍ ଜୁନ୍ ୨୦ରୁ ଆରମ୍ଭ ହେଉଥିବା ପାଞ୍ଚଟି ଟେଷ୍ଟ ମ୍ୟାଚ୍ ସିରିଜ୍ ଖେଳିବା ପାଇଁ ଇଂଲଣ୍ଡ ଯିବ। କିନ୍ତୁ ଏଥର ଏହି ଟୁର୍ଣ୍ଣାମେଣ୍ଟକୁ ପଟୌଦି ଟ୍ରଫି କୁହାଯାଇପାରିବ ନାହିଁ। କାରଣ ଏହି ଟ୍ରଫିକୁ ଅବସର ଦେବାକୁ ଯୋଜନା କରୁଛି ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)।

ତେବେ ପଟୌଦି ଟ୍ରଫିର ନାମ ପଟୌଦି ପରିବାର ନାମରେ ନାମିତ ହୋଇଛି। ଏହି ପରିବାର ଭାରତକୁ ଦୁଇ ଅଧିନାୟକ ଇଫ୍ତିଖର ଅଲି ଖାନ ପଟୌଦି ଏବଂ ମନସୁର ଅଲି ଖାନ ପଟୌଦି ଦେଇଛନ୍ତି।ମନସୁର ଅଲି ଖାନ ପଟୌଦିଙ୍କୁ ଟାଇଗର ପଟୌଦି ମଧ୍ଯ କୁହାଯାଏ।

ଇସିବିର ଏହି ଯୋଜନାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ସ୍ୱର୍ଗତ ଟାଇଗର ପଟୌଦିଙ୍କ ପତ୍ନୀ ଶର୍ମିଲା ଟାଗୋର।ଟ୍ରଫିକୁ ରିଟାୟାର କରିବା ସମ୍ପର୍କରେ ଇସିବି ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଏକ ଚିଠି ଲେଖିଥିବା ଜଣାପଡ଼ିଛି। ସୈଫ ଅଲ୍ଲୀ ଖାନ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସ୍ୱର୍ଗତ ମନସୁର ଅଲ୍ଲୀ ଖାନ ପଟୌଦୀଙ୍କ ପୁଅ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶର୍ମିଲା କହିଛନ୍ତି, ‘ମୁଁ ସେମାନଙ୍କଠାରୁ କିଛି ଶୁଣି ନାହିଁ, କିନ୍ତୁ ଟ୍ରଫିକୁ ରିଟାୟାର କରିବା ନେଇ ଇସିବି ସୈଫଙ୍କୁ ଏକ ଚିଠି ପଠାଇଛି। ଏବେ ବିସିସିଆଇ ନିଷ୍ପତ୍ତି ନେବ ଯେ ସେ ଟାଇଗରଙ୍କ ଐତିହ୍ୟକୁ ମନେ ରଖିବାକୁ ଚାହାଁନ୍ତି କି ନାହିଁ।

ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)ର ଜଣେ ମୁଖପାତ୍ର କହିଛନ୍ତି: ‘ଏହା ଏପରି କିଛି ନୁହେଁ ଯାହା ଉପରେ ଆମେ ମନ୍ତବ୍ୟ ଦେଇପାରିବୁ।’ କ୍ରିକେଟରେ ଟ୍ରଫିଗୁଡ଼ିକୁ ‘ରିଟାୟର୍ଡ’ କରାଯିବା ସାଧାରଣ ନୁହେଁ, କିନ୍ତୁ ଅତୀତରେ ଏହା ଘଟିଛି। ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ୱିଜଡେନ୍ ଟ୍ରଫିର ନାମ ମଧ୍ଯ ବଦଳାଯାଇ ରିଚର୍ଡସ୍-ବୋଥାମ୍ ଟ୍ରଫି ନାମରେ ନାମିତ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ୧୯୩୨ ମସିହାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ସିରିଜକୁ ମନେ ପକାଇବା ପାଇଁ ୨୦୦୭ ମସିହାରେ ପଟୌଦି ଟ୍ରଫି ଆରମ୍ଭ କରାଯାଇଥିଲା।

 

Comments are closed.