Latest Odisha News

ସତ ହେଲା କିଙ୍ଗ୍ ଖାନଙ୍କ ଭବିଷ୍ୟବାଣୀ !

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ୧୬ ବର୍ଷ ତଳର ଭିଡିଓ । ଚାରିଆଡ଼େ କେବଳ ଗୋଟିଏ ନାଁକୁ ନେଇ ଚର୍ଚ୍ଚା, ‘ରଣବୀର ସିଂ’। ନିଜର ବ୍ୟାକ୍-ଟୁ-ବ୍ୟାକ୍ ହିଟ୍ ଫିଲ୍ମ ‘ଧୁରନ୍ଧର’ ଏବଂ ‘ଧୁରନ୍ଧର ୨’ ର ସଫଳତା ପରେ ରଣବୀର ଏବେ ବଲିଉଡର ସୁପରଷ୍ଟାର । କିନ୍ତୁ ଏହି ସଫଳତା ଭିତରେ ଏବେ ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରଣବୀରଙ୍କୁ ଦେଖି ବଲିଉଡର ବାଦଶାହା ଶାହରୁଖ ଖାନ୍ ଏମିତି କିଛି କହିଥିଲେ, ଯାହା ଆଜି ସତ ପ୍ରମାଣିତ ହୋଇଛି।

ବକ୍ସ ଅଫିସରେ ଧୂମ ମଚାଉଛି ‘ଧୁରନ୍ଧର ୨’। ମାତ୍ର ୬ ଦିନରେ ୫୭୫ କୋଟିରୁ ଅଧିକ ବ୍ୟବସାୟ କରି ସମସ୍ତ ରେକର୍ଡ ଭାଙ୍ଗି ଚାଲିଛନ୍ତି ରଣବୀର ସିଂ। ଦକ୍ଷିଣ ଭାରତୀୟ ସୁପରଷ୍ଟାରମାନେ ତାଙ୍କୁ ପ୍ରଶଂସାରେ ପୋତି ପକାଉଥିବା ବେଳେ, ସୋସିଆଲ ମିଡିଆରେ ଏବେ ୧୬ ବର୍ଷ ତଳର ଏହି ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ଭିଡିଓଟି ହେଉଛି ରଣବୀରଙ୍କ ପ୍ରଥମ ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ୍’ ସମୟର। ଷ୍ଟେଜ୍ ଉପରେ ଶାହରୁଖ ଖାନ୍, କରଣ ଜୋହର ଏବଂ ଶାହିଦ କପୁର ଉପସ୍ଥିତ ଅଛନ୍ତି। ଯେତେବେଳେ ରଣବୀରଙ୍କୁ ଶ୍ରେଷ୍ଠ ନବାଗତ ଅଭିନେତା ଆୱାର୍ଡ ମିଳିଲା, ସେ ନିଜ କୋହ ସମ୍ଭାଳି ପାରିନଥିଲେ। ଷ୍ଟେଜ୍ ଉପରେ ହିଁ ସେ କାନ୍ଦିବାକୁ ଲାଗିଥିଲେ। ସେତେବେଳେ ଶାହରୁଖ ଖାନ୍ ମଜାଳିଆ ଅନ୍ଦାଜରେ କହିଥିଲେ- “ତୁ କାହିଁକି କାନ୍ଦୁଛୁ ? କାନ୍ଦିବା ତ ଆମକୁ ଦରକାର, ଏବେ ଆମର କ’ଣ ହେବ ? ତୁ ତ ଇଣ୍ଡଷ୍ଟ୍ରିକୁ ଆସିଗଲୁଣି !” ଏତିକି କହି ଶାହରୁଖ ତାଙ୍କୁ କୁଣ୍ଢାଇ ପକାଇଥିଲେ ଏବଂ ରଣବୀରଙ୍କୁ ଜଣେ ପ୍ରତିଭାବାନ ଅଭିନେତା ବୋଲି କହିଥିଲେ ।

ଆଜି ଯେତେବେଳେ ରଣବୀର ଜଣେ ବଡ଼ ଷ୍ଟାର ପାଲଟିଛନ୍ତି, ସେତେବେଳେ ଫ୍ୟାନ୍ସମାନେ କହୁଛନ୍ତି କି ଶାହରୁଖ ସେଦିନ ହିଁ ଭବିଷ୍ୟତ ଦେଖିପାରିଥିଲେ। ଶାହରୁଖ କେବଳ ସାନ୍ତ୍ୱନା ଦେଉନଥିଲେ, ବରଂ ସେ ଜଣେ ଉତ୍ତରାଧିକାରୀଙ୍କୁ ଦେଖୁଥିଲେ । ତେବେ ‘ଧୁରନ୍ଧର ୨’ ର ଏହି ସଫଳତା କେଉଁଠି ଯାଇ ଅଟକୁଛି, ତାହା ତ ପରେ ଜଣାପଡ଼ିବ, କିନ୍ତୁ ଶାହରୁଖ ଏବଂ ରଣବୀରଙ୍କ ଏହି ଭିଡିଓ ଏବେ ଇଣ୍ଟରନେଟରେ ସମସ୍ତଙ୍କ ହୃଦୟ ଜିତି ନେଇଛି।

Comments are closed.