ନୂଆଦିଲ୍ଲୀ: ବିଜେପିମୁହାଁ ହେଉଛନ୍ତି କି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର? ପ୍ରଥମେ ମୋଦିଙ୍କୁ ପ୍ରଶଂସା, ଏବେ ବିଜେପି ସାଂସଦଙ୍କ ସହ ସେଲଫି, ଥରୁରଙ୍କ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ବଢାଇଛି । ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ଥରୁରଙ୍କ ସହ ସେଲଫି ସହ ସେଥିରେ ଲେଖିଥିବା କ୍ୟାପସନକୁ ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି । ପୂର୍ବରୁ ମଧ୍ୟ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲଙ୍କ ସହ ଥରୁରଙ୍କ ଫଟୋ ଭାଇରାଲ୍ ହୋଇଥିଲା । ସେହିପରି ଋଷ-ୟୁକ୍ରେନ ଯୁଦ୍ଧରେ ଭାରତର ଆଭିମୁଖ୍ୟକୁ ପୂର୍ବରୁ ସମାଲୋଚନା କରିବା ଭୁଲ ଥିଲା ବୋଲି ମାନିଥିଲେ ଶଶି ଥରୁର । ଇଣ୍ଡିଆନ ଏକ୍ସପ୍ରେସର ମାଲାୟଲମ ପଡକାଷ୍ଟକୁ ନେଇ ବି ଚର୍ଚ୍ଚାରେ ରହିଥିଲେ ଥରୁର ।
ବୈଜୟନ୍ତ୍ରଙ୍କ ଟ୍ବିଟ୍ ପଛରେ କ’ଣ?
କେନ୍ଦ୍ରାପଡା ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ଶୁକ୍ରବାର କଂଗ୍ରେସ ସାଂସଦ ଶଶି ଥରୁରଙ୍କ ସହ ବିମାନ ଯାତ୍ରା ବେଳର ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ତେବେ ବୈଜୟନ୍ତରଙ୍କ କ୍ୟାପସନକୁ ନେଇ ବଢିଥିଲା ଚର୍ଚ୍ଚା । ଏଥିରେ ବୈଜୟନ୍ତ ଲେଖିଥିଲେ, ଶେଷରେ ଆମେ ସମାନ ଦିଗରେ ଯାତ୍ରା କରୁଛୁ । ଏହା କହିବାରୁ ତାଙ୍କ ବନ୍ଧୁ ଓ ସହଯାତ୍ରୀ ତାଙ୍କୁ ଦୁଷ୍ଟ କହିଥିଲେ । ଥରୁର ମଧ୍ୟ ବୈଜୟନ୍ତଙ୍କ ପୋଷ୍ଟର ଜବାବ ଦେଇଥିଲେ । କେବଳ ଭୁବନେଶ୍ବର ପର୍ଯ୍ୟନ୍ତ ସହଯାତ୍ରୀ ବୋଲି ସେ ସ୍ପଷ୍ଟୀକରଣ ଦେଇଥିଲେ । କଳିଙ୍ଗ ଲିଟଫେଷ୍ଟରେ ସମ୍ବୋଧନ କରିବାକୁ ସେ ଭୁବନେଶ୍ବର ଆସିଛନ୍ତି, ଏହାପରେ ଫେରିଯିବେ ବୋଲି ଶଶି ଥରୁର ଟ୍ବିଟ୍ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀଙ୍କ ସହ ଫଟୋ ଭାଇରାଲ୍
କେବଳ ବୈଜୟନ୍ତ ପଣ୍ଡା ନୁହଁନ୍ତି ଗତମାସ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲଙ୍କ ସହ ଶଶି ଥରୁରଙ୍କ ଫଟୋ ଭାଇରାଲ୍ ହୋଇଥିଲା। ଏହାକୁ ନେଇ ବି ଜୋରଦାର ଚର୍ଚ୍ଚା ହୋଇଥିଲା । ଥରୁର ଗୋୟଲଙ୍କ ସହ ଫଟୋ ସେୟାର କରିଥିଲେ । ଫଟୋରେ ବ୍ରିଟେନର ବାଣିଜ୍ୟ ମନ୍ତ୍ରୀ ଜୋନାଥନ ରେନାଲ୍ଡସ ବି ରହିଥିଲେ । ଜୋନାଥନ୍ ଓ ପିୟୁଷ ଗୋୟଲଙ୍କ ସହ ଆଲୋଚନା କରି ଭଲ ଲାଗିଲା । ଲମ୍ବା ସମୟ ଧରି ଅଟକି ରହିଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ପୁଣି ଆଲୋଚନା ଆରମ୍ଭ ହୋଇଥିବା ବେଳେ ଏହା ସ୍ବାଗତଯୋଗ୍ୟ ବୋଲି ଥରୁର ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା
ଋଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟକୁ ୨୦୨୨ରେ ସେ ସମାଲୋଚନା କରିଥିଲେ । ତେବେ ଏଥିପାଇଁ ଲଜ୍ଜିତ ହେବାକୁ ପଡିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ସପ୍ତାହ ବ୍ୟବଧାନରେ ଉଭୟ ୟୁକ୍ରେନ୍ ଓ ଋଷର ରାଷ୍ଟ୍ରପତିଙ୍କୁ ଭେଟିଥିଲେ ଓ ଉଭୟ ଜାଗାରେ ସେ ଗ୍ରହଣୀୟ ହୋଇଥିଲେ। ଶଶି ଥରୁରଙ୍କ ବୟାନକୁ ବିଜେପି ସ୍ବାଗତ କରିଥିଲା । ତେବେ କଂଗ୍ରେସ ଏହା ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ କହି ନିଜକୁ ଏଥିରୁ ଦୂରେଇ ରଖିଥିଲା । ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାରକୁ ପ୍ରଶଂସା କରିଥିଲେ ଥରୁର ।
ଇଣ୍ଡିଆନ ଏକ୍ସପ୍ରେସର ମାଲାୟଲମ ପଡକାଷ୍ଟ ବର୍ତ୍ତମାନମକୁ ସାକ୍ଷାତକାରରେ ଶଶି ଥରୁରଙ୍କ ମନ୍ତବ୍ୟକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। କଂଗ୍ରେସ ହାଇକମାଣ୍ଡ ଓ ଶଶି ଥରୁରଙ୍କ ମଧ୍ୟରେ ସବୁ କିଛି ଠିକ୍ ନଥିବା କୁହାଯାଇଥିଲା । ୨୦୨୬ରେ କେରଳ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟରେ ନେତୃତ୍ବ ନେବାକୁ ଶଶି ଥରୁର ଚାହୁଁଥିବା ଚର୍ଚ୍ଚା ହେଉଛି । ତେବେ କଂଗ୍ରେସ ତାଙ୍କୁ ଜାତୀୟ ରାଜନୀତିରେ ହିଁ ରଖିବାକୁ ଚାହୁଁଛି । ଡିପ୍ଲୋମାଟରୁ ରାଜନେତା ବନିଥିବା ଶଶି ଥରୁର ତିରୁବନନ୍ତପୁରମରୁ ଚାରିଥର କଂଗ୍ରେସ ସାଂସଦ ରହିଛନ୍ତି ।