ପାଣାଜି: ଦୁଇ ଦେଶର ବିବାଦ ମଧ୍ୟରେ ସାଂଘାଇ ସହଯୋଗ ସଂଗଠନ ବୈଠକ ବା ଏସସିଓରେ ଯୋଗଦେବା ପାଇଁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ଗୋଆରେ ପହଞ୍ଚିଛନ୍ତି। ବିଲାୱାଲ ଭୁଟ୍ଟୋଙ୍କୁ ଭାରତରେ ସ୍ୱାଗତ କରାଯାଇଛି। ଭାରତରେ ପହଞ୍ଚିବା ପରେ ବିଲାୱାଲ ବିମାନ ବନ୍ଦରରୁ ସିଧାସଳଖ ତାଜ ଏକ୍ସୋଟିକା ହୋଟେଲରେ ପହଞ୍ଚିଥିଲେ। ଭାରତ ଆସିବା ପୂର୍ବରୁ ବିଲାୱାଲ ଟ୍ୱିଟ୍ କରି ସୂଚନା ଦେଇଥିଲେ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଫୋରମ୍ ବୋଲି ସେ ନିଜ ଟ୍ୱିଟରେ କହିଛନ୍ତି ତେଣୁ ସେ ଏଥିରେ ଯୋଗଦେବାକୁ ଭାରତ ଆସିଛନ୍ତି।
ସେପଟେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏସସିଓରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ସହଭାଗୀ ମୂଲ୍ୟବୋଧକୁ ଆଗକୁ ବଢାଇବାରେ ଇସଲାମାବାଦ ଏହାର ଭୂମିକା ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ।
ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ଭାରତରେ ପହଞ୍ଚିବା ମାତ୍ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି ଯେ ଭାରତରେ ଏସସିଓ ପରିଷଦ ବୈଦେଶିକ ମନ୍ତ୍ରୀ ବୈଠକରେ ଭାଗ ନେବାକୁ ପାକିସ୍ତାନର ନିଷ୍ପତ୍ତି ଏସସିଓ ଚାର୍ଟରକୁ ସମ୍ମାନ। ଶାନ୍ତି ଏବଂ ସ୍ଥିରତା ଉପରେ ଏହି ଅବସରେ ଗୁରୁତ୍ୱ ଦିଆଯାଇଛି।
ବିଲାୱାଲ ଆସନ୍ତାକାଲି ଏସସିଓ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେବା ପୂର୍ବରୁ ଋଷ ଏବଂ ଉଜବେକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ସେ ପାକିସ୍ତାନର କିଛି ସାମ୍ବାଦିକଙ୍କୁ ସାକ୍ଷାତକାର ମଧ୍ୟ ଦେବେ। ସନ୍ଧ୍ୟାରେ ବିଲାୱାଲ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ଯୋଗଦେବେ।
ଆସନ୍ତାକାଲି ସେ ଏସସିଓର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବେ। ବୈଦେଶିକ ମନ୍ତ୍ରୀଙ୍କ ପାଇଁ ଏସିଓ ପରିଷଦର ବୈଠକ ଆସନ୍ତାକାଲି ସକାଳ ୧୦.୧୫ ରୁ ଆରମ୍ଭ ହେବ, ଯାହା ପୂର୍ବାହ୍ନ ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ।
Comments are closed.