ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଜନ ଆବ୍ରାହାମ ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । ପ୍ରତିଷ୍ଠିତ ଫିଲ୍ମମେକର ଶେଖର କାପୁରଙ୍କ ଏକ ବୟାନ ଏହାର କାରଣ ଭାବେ ବିବେଚନା କରାଯାଉଛି । ନିକଟରେ ଶେଖର କହିଥିଲେ ଡେନିୟଲ କ୍ରେଗଙ୍କ ପରେ ଜେମ୍ସ ବଣ୍ଡଙ୍କ ଭୂମିକା ପାଇଁ ଭାରତୀୟ ଅଭିନେତା ଜନ ଶ୍ରେଷ୍ଠ ପସନ୍ଦ । ତାଙ୍କର ବ୍ୟକ୍ତିତ୍ୱ, ଚେହେରା ଓ ଅଭିନୟ ବଣ୍ଡ ଚରିତ୍ର ପାଇଁ ସମ୍ପୂର୍ଣ୍ଣ ଭାବେ ଫିଟ । ଶେଖର କାପୁର ମିଷ୍ଟର ଇଣ୍ଡିଆ, ବ୍ୟାଣ୍ଡିଟ କୁଇନ, ଏଲିଜାବେଥ ଓ ଦି ଫୋର ଫାଦର୍ସ ପରି ଫିଲର ନିର୍ଦ୍ଦେଶନା ଦେଇଛନ୍ତି ।
ନିକଟରେ ଆମାଜନ ଏମଜିଏମ ଷ୍ଟୁଡିଓ ଜେମ୍ସ ବଣ୍ଡର ତଲାଶ ଆରମ୍ଭ ହୋଇଛି ବୋଲି ଘୋଷଣା କରିଥିଲା । ଶେଖରଙ୍କ ବୟାନ ପରେ ଜନ ବଣ୍ଡ ହେବା ପାଇଁ ଉପଯୁକ୍ତ କଳାକାର ବୋଲି ପ୍ରଶଂସକମାନେ ଆଗ୍ରହ ସହକାରେ କହିଛନ୍ତି । ଜନ ମଧ୍ୟ ଶେଖରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନୋ ଟାଇମ ଟୁ ଡାଇ ପରେ ଡାନିୟଲ ଜେମ୍ସ ବଣ୍ଡ ଫ୍ରାଂଚାଇଜରୁ ବିଦାୟ ନେଇଥିଲେ । ଜନ ଏବେ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଫିଲ୍ମରେ ଅଭିନୟ କରୁଛନ୍ତି । ଏହା ବ୍ୟତୀତ ଫୋର୍ସ ୩ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ ।