ଭୁବନେଶ୍ବର: ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣାକୁ ଆଭିତରେ ୧୦ ଦିନ ପୁରିଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଥିବାବେଳେ, ଏଥିରେ ଏପର୍ଯ୍ୟନ୍ତ ୧୩ ଝଣଙ୍କୁ ଗିରଫ କରାଯାଇଛି । ହେଲେ ଏହି ତଦନ୍ତରେ ଅସନ୍ତୁଷ୍ଟ ହୋଇ ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ ।
ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ଯେ, ସୌମ୍ୟ ରଞ୍ଜନଙ୍କ ହତ୍ୟା ଘଟଣାରେ ୪୦ରୁ ଅଧିକ ଅଭିଯୁକ୍ତ ସମ୍ପୃକ୍ତ ରହିଛି ବର୍ତ୍ତମାନ ୧୩ ଜଣ ଗିରଫ ହୋଇଥିବାବେଳେ, ଅନ୍ୟ ଅଭିଯୁକ୍ତମାନେ ନିର୍ଭୟରେ ବାହାରେ ବୁଲୁଛନ୍ତି । ହେଲେ ଏତେ ଦିନ ପରେ ବି ଅନ୍ୟମାନଙ୍କୁ ଗିରଫ କରିବାରେ କ୍ରାଇମବ୍ରାଞ୍ଚ ଅସଫଳ ଥିବା କହି ସିବିଆଇ ତଦନ୍ତ କରିବାକୁ ସୌମ୍ୟଙ୍କ ବାପା ଓ ମାମୁଁ ଦାବି କରିଛନ୍ତି ।
ତେବେ ଅନ୍ୟପଟେ, ଆଜି ସୌମ୍ୟଙ୍କର ଦଶାହ କାର୍ଯ୍ୟ ତାଙ୍କ ଗାଁରେ ଚାଲିଛି । ପୁରା ଗାଁ ଶୋକରେ ବୁଡିଛି । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ଯେ, ଏବେବି ଆହୁରି ୧୦ରୁ ୧୫ ଜଣଙ୍କୁ କ୍ରାଇମବ୍ରାଞ୍ଚ ଅଟକ ରଖି ପଚରା ଉଚରା କରୁଛି । ଘଟଣାସ୍ଥଳର ଭିଡିଓକୁ ଯାଞ୍ଚ କରି ତର୍ଜମା ଚାଲିଛି । ଖୁବଶୀଘ୍ର ସୌମ୍ୟ ହତ୍ୟାକାଣ୍ଡରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।