ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ପ୍ରତିଷ୍ଠାତା ଶିବୁ ସୋରେନଙ୍କର ସୋମବାର ୮୧ ବର୍ଷ ବୟସରେ ନିଧନ ହୋଇଛି। ଦୀର୍ଘ ଦିନ ଧରି ହୃଦୟ ଏବଂ କିଡନୀଜନିତ ରୋଗରେ ଅସୁସ୍ଥ ରହିବା ପରେ ଆଜି ସେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ ବର୍ତ୍ତମାନର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାପା ଶିବୁ ସୋରେନ ତାଙ୍କ ସମର୍ଥକମାନଙ୍କ ଦ୍ୱାରା ‘ଗୁରୁଜୀ’ ନାମରେ ବେଶ୍ ଜଣାଶୁଣା। ଶିବୁ ସୋରେନ ଝାଡ଼ଖଣ୍ଡ ରାଜନୀତିରେ ଜଣେ ବ୍ୟକ୍ତିତ୍ୱ ଥିଲେ ଯିଏ କେବଳ ଜଣେ ରାଜନେତା ଭାବରେ ଜଣାଶୁଣା ନଥିଲେ ବରଂ ସଂଘର୍ଷ, ଆନ୍ଦୋଳନ ଏବଂ ସ୍ୱାଭିମାନର ପ୍ରତୀକ ଥିଲେ। ଯିଏ ଝାଡ଼ଖଣ୍ଡକୁ ତାର ଅସ୍ତିତ୍ବ ଦେଇଥିଲେ। ଆଉ ଆଦିବାସୀଙ୍କ ପାଇଁ ସାଜିଥିଲେ ଦେବତା।
ଧନକଟନୀ ଆନ୍ଦୋଳନରୁ ଦିଶୋମ ଗୁରୁ…
୧୧ ଜାନୁଆରୀ ୧୯୪୪ରେ ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲାର ନେମରା ଗାଁର ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ଶିବୁ ସୋରେନ, ୧୩ ବର୍ଷ ବୟସରେ ତାଙ୍କ ପିତାଙ୍କ ହତ୍ୟା ପରେ ପୁସ୍ତକ ବଦଳରେ ସମାଜ ପାଇଁ ଲଢ଼େଇକୁ ନିଜର ଅସ୍ତ୍ର କରିଥିଲେ। ମହାଜନଙ୍କ ବିରୋଧରେ ‘ଧନକଟନୀ ଆନ୍ଦୋଳନ’ରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରତିଷ୍ଠା ଏବଂ ତିନିଥର ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ, କେବଳ ଦଶମ ଯାଏଁ ପାଠ ପଢିଥିବା ସୋରେନଙ୍କର ଯାତ୍ରା ଦର୍ଶାଏ ଯେ ପ୍ରକୃତ ଶିକ୍ଷା ଡିଗ୍ରୀ ଦ୍ୱାରା ନୁହେଁ ବରଂ ଭୂମି ଅଭିଜ୍ଞତା ଏବଂ ସାହସ ଦ୍ୱାରା ପ୍ରାପ୍ତ ହୁଏ। ଶିବୁ ସୋରେନ ଆଦିବାସୀମାନଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ମହାଜନଙ୍କ ବିରୁଦ୍ଧରେ ଏକ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ଆନ୍ଦୋଳନକୁ ‘ଧନକଟନୀ ଆନ୍ଦୋଳନ’ କୁହାଯାଉଥିଲା। ଏଥିରେ ଆଦିବାସୀମାନେ କ୍ଷେତକୁ ଯାଇ ଧାନ ଅମଳ କରୁଥିଲେ ଏବଂ ଗରିବଙ୍କ ମଧ୍ୟରେ ବଣ୍ଟନ କରୁଥିଲେ। ଏହି କାରଣରୁ ଲୋକମାନେ ତାଙ୍କୁ ପ୍ରେମରେ ‘ଦିଶୋମ ଗୁରୁ’ ଅର୍ଥାତ୍ ‘ଦେଶର ଗୁରୁ’ ବୋଲି ଡାକିବା ଆରମ୍ଭ କରିଥିଲେ।
ଲୁହ ଲହୁରେ ଗଢିଥିଲେ ଝାଡ଼ଖଣ୍ଡ ରାଜ୍ୟ
୧୯୭୨ ମସିହାରେ, ଶିବୁ ସୋରେନ ବିନୋଦ ବିହାରୀ ମାହତୋ ଏବଂ ଏକେ ରାୟଙ୍କ ସହିତ ମିଶି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଗଠନ କରିଥିଲେ। ଯାହାର ଲକ୍ଷ୍ୟ ଥିଲା ଆଦିବାସୀଙ୍କ ଅଧିକାର, ଭୂମି ଏବଂ ପରିଚୟକୁ ସୁରକ୍ଷା ଦେବା। ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମାଧ୍ୟମରେ ଆଦିବାସୀଙ୍କ ଅଧିକାର ପାଇଁ ଲଢ଼ିଥିଲେ। ଶିବୁ ସୋରେନ ଝାଡ଼ଖଣ୍ଡ ଆନ୍ଦୋଳନର ଜଣେ ପ୍ରମୁଖ ନେତା ଥିଲେ ଯାହା ଏକ ସ୍ୱତନ୍ତ୍ର ରାଜ୍ୟ ଦାବି କରିଥିଲା। ଏହି ସଂଗଠନ ଝାଡ଼ଖଣ୍ଡ ରାଜ୍ୟ ଗଠନ ପାଇଁ ଲଢ଼େଇର ସବୁଠାରୁ ବଡ଼ ଚେହେରା ହୋଇ ଉଠିଥିଲା। ଏହି ଆନ୍ଦୋଳନ ୨୦୦୦ ମସିହାରେ ସଫଳ ହୋଇଥିଲା। ଆଉ ବିହାର ଠାରୁ ଅଲଗା ହୋଇ ଝାଡ଼ଖଣ୍ଡକୁ ମିଳିଥିଲା ନୂଆ ପରିଚୟ। ଆଉ ତାଙ୍କ ସଂଘର୍ଷ ପାଇଁ ଶିବୁ ସୋରେନ ବନିଯାଇଥିଲେ ଆଦିବାସୀ ସମ୍ପ୍ରଦାୟର ନାୟକ। ତାଙ୍କ ନେତୃତ୍ୱରେ, ସାମୂହିକ କୃଷି ଏବଂ ସମ୍ପ୍ରଦାୟ ବିଦ୍ୟାଳୟଗୁଡ଼ିକୁ ପ୍ରୋତ୍ସାହିତ କରାଯାଇଥିଲା, ଯାହା ଆଦିବାସୀମାନଙ୍କୁ ଆର୍ଥିକ ଏବଂ ସାମାଜିକ ଭାବରେ ସଶକ୍ତ କରିବାରେ ସାହାଯ୍ୟ କରିଥିଲା।
୩ ଥର ବନିଥିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ
ଶିବୁ ସୋରେନ ତିନିଥର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ, କିନ୍ତୁ ତାଙ୍କ କାର୍ଯ୍ୟକାଳ ସର୍ବଦା ରାଜନୈତିକ ଅସ୍ଥିରତା ଦ୍ୱାରା ଘେରି ରହିଥିଲା। ସେ ପ୍ରଥମେ ୨୦୦୫ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ କାର୍ଯ୍ୟକାଳ ମାତ୍ର ୯ ଦିନ ଥିଲା। ପରେ ୨୦୦୮ ରେ ଏବଂ ୨୦୦୯ରୁ ୨୦୧୦ ଯାଏଁ ଯେ ଝାଡ଼ଖଣ୍ଡର ଶାସନ ଭର ସମ୍ଭାଳିଥିଲେ। ଖାଲି ସେତିକି ନୁହେଁ, କେନ୍ଦ୍ରୀୟ ରାଜନୀତିରେ ଶିବୁ ସୋରେନଙ୍କ ଭୂମିକା ଟିକେ ବିବାଦୀୟ ଥିଲା। ଶିବୁ ସୋରେନ ୧୯୮୦ ରେ ପ୍ରଥମ ଥର ପାଇଁ ଦୁମକାରୁ ଲୋକସଭା ସାଂସଦ ହୋଇଥିଲେ ଏବଂ ତା’ପରେ ୧୯୮୯, ୧୯୯୧ ଏବଂ ୧୯୯୬ ରେ ଲୋକସଭାରେ ପହଞ୍ଚିଥିଲେ। ୨୦୦୪ରେ ମନମୋହନ ସିଂହଙ୍କ ସରକାର ଗଠନ ହେବା ପରେ ସେ କୋଇଲା ମନ୍ତ୍ରୀ ହୋଇଥିଲେ। କିନ୍ତୁ ତା’ପରେ ୩୦ ବର୍ଷ ପୁରୁଣା ଚିରୁଡିହ ହତ୍ୟା ମାମଲାରେ ତାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି ହୋଇଥିଲା, ଯାହା ପରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ୨୦୦୬ ମସିହାରେ, ଶିବୁ ସୋରେନଙ୍କୁ ତାଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଶଶିନାଥ ଝାଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା, କିନ୍ତୁ ପରେ ହାଇକୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ତେବେ ରାଜନୀତିରେ ଅଧିକ ପ୍ରଭାବ ବିସ୍ତାର କରିନଥିଲେ ହେଁ, ଆଜି ତାଙ୍କ ପୁଅ ହେମନ୍ତ ସୋରେନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଏବଂ ଜେଏମଏମର ଐତିହ୍ୟକୁ ଆଗକୁ ବଢାଇଛନ୍ତି।
ଶିବୁ ସୋରେନ: ଜଣେ ନେତା, ଏକ ଆନ୍ଦୋଳନ, ଏକ ଯୁଗର ଅନ୍ତ
ଶିବୁ ସୋରେନଙ୍କ ରାଜନୈତିକ ଯାତ୍ରା ବିବାଦ ଦ୍ୱାରା ଅସ୍ପୃଶ୍ୟ ହୋଇ ନ ଥାଇପାରେ, କିନ୍ତୁ ଏହା କହିବା ଭୁଲ ହେବ ନାହିଁ ଯେ ସେ ଝାଡ଼ଖଣ୍ଡର ଆଦିବାସୀମାନଙ୍କ ପାଇଁ ଏପରି କରିଥିଲେ ଯାହା ବହୁତ କମ୍ ଲୋକ କରିପାରିବେ। ସେ ଥିଲେ ଏକ ଆନ୍ଦୋଳନର ଆତ୍ମା, ଏକ ବିଚାରଧାରାର ଜୀବନ୍ତ ପ୍ରତିଛବି। ତାଙ୍କର ବିଦାୟ ଝାଡ଼ଖଣ୍ଡ ରାଜନୀତିରେ ଏକ ଯୁଗର ଅନ୍ତ। ଯାହାଙ୍କ ଐତିହ୍ୟ କେବଳ ଏକ ରାଜନୈତିକ ସଂଗଠନ ନୁହେଁ, ବରଂ ଏକ ସଂକଳ୍ପ, ନିଜ ଅଧିକାର ପାଇଁ ଲଢ଼ିବା ଏବଂ ନିଜ ଲୋକଙ୍କ ପାଇଁ ସ୍ୱର ଉଠାଇବା।
Comments are closed.