ଶିମଲା: ହିମାଚଳପ୍ରଦେଶ ରାଜଧଧାନୀ ଶିମଲା ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଘରେ ରେଡ୍ କରିଛି ସିବିଆଇ । ଏହି ରେଡ୍ ସମୟରେ ନଗଦ ୧.୧୪ କୋଟି ଟଙ୍କା ଜବତ ହୋଇଛି । ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ଇଡି କାର୍ଯ୍ୟାଳୟ ଏବଂ ହିମାଚଳ ପ୍ରଦେଶ ରାଜଧାନୀରେ ଥିବା ତାଙ୍କ ବାସଭବନରେ ତଲାସି ସମୟରେ ଏହି ନଗଦ ଟଙ୍କା ଜବତ କରିଛି ସିବିଆଇ । ତେବେ ଏତେ ମାତ୍ରାର ନଗଦ ଟଙ୍କା ଦେଖି ହତ ଚକିତ ହୋଇଯାଇଥିଲା ଟିମ୍ ।
ସିବିଆଇର ସୂଚନା ଅନୁସାରେ, ରେଡ୍ ପରେ ଇଡି ଅଧିକାରୀ ଜଣକ ଫେରାର ହୋଇଯାଇଥିବା ସୂଚନା ରହିଛି । ଇଡି ଅଫିସରଙ୍କ ଉପରେ ତିନି ବର୍ଷ ପୁରୁଣା ମନି ଲଣ୍ଡରିଂ ଆକ୍ଟ ମାମଲାରେ ଲାଞ୍ଚ ନେବା ଅଭିଯୋଗ ହୋଇଛି । ଏଥିସହିତ ଅଭିଯୁକ୍ତ ଅଫିସରଙ୍କ ଭାଇଙ୍କୁ ମଧ୍ୟ ସିବିଆଇ ଏହି ମାମଲାରେ ଜେଲ୍ ପଠାଇଥିଲା ।
ସିବିଆଇ ଦ୍ୱାରା ହୋଇଥିବା ଏହି ରେଡ୍ ପରେ ଇଡି ଏହାର ଶିମଲା ଶାଖାରୁ ଆସିଥିବା ସହକାରୀ ନିର୍ଦ୍ଦେଶକ ସମେତ ତିନିଜଣ ଅଧିକାରୀଙ୍କୁ ସ୍ଥାନାନ୍ତର କରିଛି । ପଳାତକ ଇଡି ଅଧିକାରୀଙ୍କୁ ଖୋଜିବା ପାଇଁ ତନାଘନା ଜାରି ରହିଛି ।
ଏହା ପୂର୍ବରୁ ଡିସେମ୍ବର ୨୨ ତାରିଖରେ ମଧ୍ୟ ଚଢାଉ କରି ଇଡି ଅଫିସରଙ୍କ ଅନ୍ୟ ଏକ ଘରୁ ୫୪ ଲକ୍ଷ ଟଙ୍କା ଜବତ କରିଥିଲା ସିବିଆଇ । ତେବେ ଏପର୍ଯ୍ୟନ୍ତ ପାଖାପାଖି ୧୧ କୋଟି ଟଙ୍କା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ଘରୁ ଜବତ କରିଥିବା ସିବିଆଇ ପକ୍ଷରୁ ସୂଚନା ରହିଛି ।