Latest Odisha News

BREAKING NEWS

ସାଇବାବାଙ୍କ ଜନ୍ମଭୂମୀକୁ ନେଇ ବିବାଦ: ଆସନ୍ତାକାଲିଠୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଡାକରା

ଶିରିଡ଼ି: ରାମ ଜନ୍ମଭୂମିକୁ ନେଇ ବିବାଦ ନଥମୁଣୁ ପୁଣି ସାଇବାବାଙ୍କ ଜନ୍ମଭୂମୀକୁ ନେଇ ମହାରାଷ୍ଟ୍ରରେ ବିବାଦ ଘନୀଭୂତ ହୋଇଛି । ଆସନ୍ତା ରବିବାରଠାରୁ ମହାରାଷ୍ଟ୍ରରେ ଥିବା ସାଇବାବାଙ୍କ ପୀଠ ଶିରିଡ଼ିରେ ଅନିର୍ଦ୍ଧିଷ୍ଟ କାଳ ଲାଗି ବନ୍ଦର ଡାକରା ଦିଆଯାଇଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମରାଠାବାଡ଼ସ୍ଥିତ ପାଥରୀକୁ ସାଇବାବାଙ୍କ ଜନ୍ମଭୂମି କହିବା ସଙ୍ଗେ ସଙ୍ଗେ ଏହାର ବିକାଶ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିବାପରେ ରାଜ୍ୟରେ ଏହି ନୂଆ ବିବାଦ ଦେଖାଯାଇଛି । ଏହାକୁ ବିରୋଧ କରି ମନ୍ଦିର ଟ୍ରଷ୍ଟ୍ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି ।

ମହାରାଷ୍ଟ୍ର ସରକାର ଦ୍ୱାରା ପାଥରୀକୁ ତୀର୍ଥସ୍ଥାନ ଭାବେ ଘୋଷଣା କରାଯାଇ ଏହାର ବିକାଶ କ୍ଷେତ୍ରରେ ୧୦୦ କୋଟି ଟଙ୍କାର ପ୍ୟାକେଜ କରାଯାଇଛି । ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ବିଜେପି ସାଂସଦ ସୁଜୟ ଭିଖେ ପାଟିଲ ଶୁକ୍ରବାର ‘ଆଇନଗତ ଲଢ଼େଇ’ ପାଇଁ ଚେତାବନୀ ଦେଇଛନ୍ତି । ବିବାଦ ଯୋଗୁଁ ଜାନୁଆରୀ ୧୯ରୁ ଶିରଡୀ ବନ୍ଦ ଆହ୍ୱାନ ଦିଆଯାଇଛି ।

ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ପାଥରୀକୁ ତୀର୍ଥସ୍ଥାନ ଭାବେ ଘୋଷଣା କରାଯିବାରେ କାହାରି କିଛି ଆପତ୍ତି ନାହିଁ, ହେଲେ ପାଥରୀକୁ ସାଇବାବାଙ୍କ ଜନ୍ମଭୂମି କହିବାକୁ ନେଇ ବିବାଦ ଆରମ୍ଭ ହୋଇଥିବା କୁହାଯାଉଛି।

ଅହମଦ ନଗର ଲୋକସଭା ମଣ୍ଡଳୀର ସାଂସଦ ପ୍ରଶ୍ନ ଉଠାଇଛନ୍ତି ଯେ, ସାଇବାବାଙ୍କ ଜନ୍ମଭୂମିକୁ ନେଇ ଦାବି ସେତେବେଳ କାହିଁକି ଆସିଲା, ଯେତେବେଳେ ରାଜ୍ୟରେ ନୂତନ ସରକାର ଗଠନ ହୋଇଛି । ସେ କହିଛନ୍ତି, ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଆଜି ପର୍ଯ୍ୟନ୍ତ କୌଣସି ମତଭେଦ ନ ଥିଲା । ଅଚାନକ ପାଥରୀକୁ ନେଇ ଏଭଳି ଦାବି କେଉଁଠାରୁ ସାମ୍ନାକୁ ଆସିଛି ।

ଏନସିପି ନେତା ଦୁରାନୀ ଅବଦୁଲ୍ଲା କହିଛନ୍ତି, ଏହି କଥାକୁ ପ୍ରମାଣିତ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପ୍ରମାଣ ଅଛି ଯେ, ସାଇବାବାଙ୍କ ଜନ୍ମ ପାଥରୀରେ ହୋଇଥିଲା । ଶିରିଡି ଥିଲା ସାଇବାବାଙ୍କ କର୍ମଭୂମି । ତେଣୁ ଉଭୟ ସ୍ଥାନ ଗୁରୁତ୍ୱପୂର୍ଣ୍ଣ । ଶିରିଡି ଠାରୁ ପାଥରୀର ଦୂରତା ୨୭୫ କିଲୋମିଟର ।

Comments are closed.