Latest Odisha News

‘ଲାଡଲି ଭଉଣୀଙ୍କ ଜୀବନ ବଦଳାଇବା ଭାଇର ମିଶନ’-ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବରାଜ ଖେଳିଲେ ଇମୋଶନାଲ କାର୍ଡ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦ ହାତେଇବା ପାଇଁ ଖେଳିଲେ ଭାଇ-ଭଉଣୀ କାର୍ଡ । ମାମୁ-ଭଣଜା ସମ୍ପର୍କ ଯୋଡି ଜନତାଙ୍କୁ କରିଲେ ଇମୋସନାଲ ।  ତଥାପି ଫଳ କ’ଣ ହେବ କିଛି ସ୍ପଷ୍ଟ ଜଣାପଡୁନି । କାହା ମୁଣ୍ଡରେ ଦଳର ସୁପ୍ରିମୋ ବାନ୍ଧିବେ ମୁକୁଟ ?   ସୋମବାରକୁ ସ୍ପଷ୍ଟ ହୋଇପାରେ ଚିତ୍ର । ତା ପୂର୍ବରୁ ସବୁ ପ୍ରକାର କସରତ କରି ଚାଲିଛନ୍ତି ଶିବରାଜ ସିଂ ଚୌହାନ ।

ତିନି ରାଜ୍ୟ ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କିଏ ହେବ ଏ ନେଇ ଏବେ ବି ଚିତ୍ର ଅସ୍ପଷ୍ଟ । ତା ଭିତରେ ଆଶାୟୀମାନେ ନିଜ ନିଜ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନାଁ ଆଗରେ ରହିଛି । ମୁଖ୍ୟମନ୍ତ୍ରୀ ପଦ ହାତେଇବା ପାଇଁ ଶିବରାଜ ଖେଳିଛନ୍ତି ଇମୋଶନାଲ କାର୍ଡ ।   ନେତାଙ୍କୁ ଦେଇଛନ୍ତି ପ୍ରତିଶ୍ରୁତି ।  ଆଉ ଜନତାଙ୍କୁ ଦେଖାଇଛନ୍ତି ପ୍ରଲୋଭନ ।

ଏକ କାର୍ଯ୍ୟକ୍ରମରେ ବକ୍ତବ୍ୟ ଦେଇ ଶିବରାଜ ସିଂହ ଚୌହାନ କହିଛନ୍ତି, ଲୋକସଭା ନିର୍ବାଚନରେ ମୋଦିଜୀଙ୍କୁ ୨୯ ସିଟ ଜିତାଇ ଦେବାର ଅଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଲାଡଲି-ଭଉଣୀଙ୍କ ପରେ ଏବେ ଲକ୍ଷପତି ଭଉଣୀଙ୍କ ଯାତ୍ରା ଆରମ୍ଭ ହେବ । ପ୍ରତି ମାସରେ ୧୦ ହଜାର ଟଙ୍କା ଦେବେ । ଲାଡଲି ଭଉଣୀଙ୍କ ଜୀବନ ବଦଳାଇବା ଭାଇର ମିଶନ ଅଟେ ।

ସେ ଆହୁରି କହିଛନ୍ତି, ‘ମୁଁ ଦେଇଥିବା ଗୋଟିଏ ଗୋଟିଏ ପ୍ରତିଶ୍ରୁତି ପୂରଣ କରିବି । ପ୍ରତ୍ୟେକ ପରିବାରର ରୋଜଗାରର ରୂପରେଖ ପ୍ରସ୍ତୁତ କରାଯାଉଛି । ଲାଡଲି ଭଉଣୀଙ୍କ ଜୀବନରେ ଅନ୍ଧକାର ଆସିବାକୁ ଦେବିନି । ନିର୍ବାଚନ ପୂର୍ବରୁ ଲୋକମାନେ କହୁଥିଲେ କଣ୍ଟା ମୁନରେ ଲଢେଇ ହେବ । ହେଲେ ସବୁ କଣ୍ଟାକୁ ଭଉଣୀମାନେ କାଢି ବାହାର କରି ଦେଇଛନ୍ତି ।’

ଖାଲି ଭଉଣୀଙ୍କ କଥା କହି ମହିଳାଙ୍କ ସମର୍ଥନ ହାତେଇ ନାହାନ୍ତି,  ମାମୁର ଦାୟିତ୍ୱ କଥା କହି ଭଣଜା-ଭାଣେଜିଙ୍କ ସହ ମଧ୍ୟ ସମ୍ପର୍କ ଯୋଡିଛନ୍ତି ଶିବରାଜ । ସେ କହିଛନ୍ତି, ମାମୁ ପଦ ଦୁନିଆର ସବୁଠାରୁ ବଡ ପଦ । ଏହାଠାରୁ ବଡ ପଦ କିଛି ନାହିଁ ।’

ଏଠି କହିରଖିବୁ, ମୁଖ୍ୟମନ୍ତ୍ରୀ ପଦ ରେସରେ ଥିବା ପୁରୁଣା ଚେହେରାଙ୍କୁ ବିଦାୟ ଦିଆଯାଇ ପାରେ । ତିନି ରାଜ୍ୟ ମଧ୍ୟରୁ ଗୋଟିଏ ରାଜ୍ୟକୁ ମହିଳା ମୁଖ୍ୟମନ୍ତ୍ରୀ ମିଳିପାରନ୍ତି । ଜଣେ ଆଦିବାସୀ ବା ଓବିସି ନେତାଙ୍କୁ ବି ସୁଯୋଗ ମିଳିପାରେ । ଯାହା ବି ହେଉ, ସୋମବାର ସବୁ ସସ୍ପେନ୍ସ ଶେଷ ହେବ ।

Leave A Reply

Your email address will not be published.