Latest Odisha News

BREAKING NEWS

ନାବାଳକ ଦେହରୁ ବାହାରିଲା ଭଙ୍ଗା ସିରିଞ୍ଜ୍ !

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଏକ ଦୁଃଖଦାୟକ ଘଟଣା ଚିକିତ୍ସା ସେବାର ଚରମ ଅବହେଳାକୁ ପଦାରେ ପକାଇ ଦେଇଛି । ମାତ୍ର ୩ ବର୍ଷର ବାଳକର ପେଟରୁ ବାହାରିଛି ଏକ ଭଙ୍ଗା ସିରିଞ୍ଜ୍ ।

BjdElectrycity

ମିଳିଥିବା ସୂଚନାନୁଯାୟୀ, ଆଠମଲ୍ଲିକ ବ୍ଳକ ଅନ୍ତର୍ଗତ ମୋହନଖାଲି ଗ୍ରାମର ସୀତାକାନ୍ତ ପଣ୍ଡା ନାମକ ଜଣେ ବ୍ୟକ୍ତି ଅସୁସ୍ଥ ଥିବା ନିଜ ପୁଅ ସୌମ୍ୟଜିତଙ୍କୁ ମାଧପୁରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)କୁ ଚିକିତ୍ସା ନିମନ୍ତେ ଆଣିଥିଲେ ।

ପିଲାଟିର ସ୍ୱାସ୍ଥ୍ୟ ପରୀକ୍ଷା କରି ଡ଼ାକ୍ତର ତାଙ୍କୁ କିଛି ଔଷଧ ଏବଂ ଇଞ୍ଜେକ୍ସନ ନେବାକୁ ପରାମର୍ଶ ଦେଇଥିଲେ । ପରେ ଡ୍ୟୁଟିରେ ଥିବା ନର୍ସ ପୁନମ ହାଁସଦା ଅସୁସ୍ଥ ସୌମ୍ୟଜିତକୁ ଇଞ୍ଜେକ୍ସନ ଦେଇଥିଲେ । ମାତ୍ର, ନର୍ସଙ୍କ ଚରମ ଅବହେଳା ତଥା ଦାୟିତ୍ୱହୀନତା ଯୋଗୁଁ ଇଞ୍ଜେକସନ ଦେବା ସମୟରେ ସିରିଞ୍ଜର କିଛି ଅଂଶ ପିଲାଟିର ଦେହରେ ରହିଯାଇଥିଲା । ଏ ବିଷୟରେ ପିଲାଟିର ବାପା ଆଦୌ ଅବଗତ ନଥିଲେ କିମ୍ବା ନର୍ସ ଜଣକ ମଧ୍ୟ ଏକଥା କାହାକୁ ଜଣାଇ ନଥିଲେ ।

ତେବେ, ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ସୀତାକାନ୍ତ କହିଛନ୍ତି ଯେ, ଦେହରେ ଅସହ୍ୟ ଯନ୍ତ୍ରଣା ହେବା ଯୋଗୁଁ ସେ ନିଜ ପୁଅକୁ ପୁଣି ଡ଼ାକ୍ତରଖାନାକୁ ଆଣିଥିଲେ । ମାତ୍ର, ଡ଼ାକ୍ତର କ୍ଷତ ସ୍ଥାନ ଦେଖି କହିଥିଲେ ଯେ, ଆଣ୍ଟିବାୟୋଟିକ୍ସ ଖାଇଥିବା ଯୋଗୁଁ ଏପରି ଯନ୍ତ୍ରଣା ହେଉଛି । କ୍ଷତ ସ୍ଥାନରେ ବରଫ ଲଗାଇଦେବାକୁ ଡ଼ାକ୍ତର ସୀତାକାନ୍ତଙ୍କୁ ପରାମର୍ଶ ଦେଇଥିଲେ ।

“ମାତ୍ର, କିଛିଦିନପରେ ସେହି ସ୍ଥାନଟି ଫୁଲିଯାଇ ପୂଜ ହୋଇଯାଇଥିଲା । ବୁଧବାର ଦିନ ପୁଣି ଡ଼ାକ୍ତରଖାନାକୁ ପୁଅକୁ ନେଇ ଯାଇଥିଲି । ଡ଼ାକ୍ତର କିଛି ଔଷଧ ଲେଖିଦେଇଥିଲେ । ରାତିରେ ମୁଁ ଦେଖିବାକୁ ପାଇଲି ଗୋଟିଏ ଭଙ୍ଗା ସିରିଞ୍ଜ୍ ତା ଦେହରେ ରହିଛି । ମୁଁ ରାତିରେ ଡ଼ାକ୍ତରଖାନା ଯାଇ ଦେଖାଇବା ପରେ ଡ଼ାକ୍ତର ଏହାକୁ କାଢିଥିଲେ,” ବୋଲି କହିଛନ୍ତି ସୀତାକାନ୍ତ ।

ଏସମ୍ପର୍କରେ ଭାରପ୍ରାପ୍ତ ସିଏଚସି ଡ଼ାକ୍ତର ଡ଼. ଶାନ୍ତନୁ ପଟ୍ଟନାୟକ କହିଛନ୍ତି, ବର୍ତ୍ତମାନ ପିଲାଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ଅଧିକ ଚିକିତ୍ସା ନିମନ୍ତେ ଆମେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛୁ ।

ଡ଼ାକ୍ତରଖାନାର ନର୍ସ ଜଣକଙ୍କୁ ଆମେ ଏସମ୍ପର୍କରେ କିଛି ପଚାରିବାକୁ ଫୋନ କରିଥିଲେ ମଧ୍ୟ ତାଙ୍କ ସହିତ ଯୋଗାଯୋଗ ହୋଇପାରିନାହିଁ ।

Leave A Reply

Your email address will not be published.