Latest Odisha News

BREAKING NEWS

ନୂଆପଡାରେ ଚାଷୀଙ୍କୁ ବିନା ମୂଲ୍ୟରେ ରବି ବିହନ ଯୋଗାଣ ଦାବି କରିଛି ଶ୍ରମଜୀବୀ ବିକାଶ ମଞ୍ଚ

ନୂଆପଡା: ରବି ଋତୁ ପାଇଁ ଡାଲି ଜାତୀୟ ବିହନକୁ ଚାଷୀ ମାନଙ୍କୁ ବିନା ମୂଲ୍ୟରେ ଯୋଗାଇ ଦେବାକୁ ଦାବି କରି ଶ୍ରମଜୀବୀ ବିକାଶ ମଞ୍ଚ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଖଡ଼ିଆଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମୁକ୍ତାପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାର ପାଞ୍ଚ ଗୋଟି ବ୍ଲକ ଖଡ଼ିଆଳ, ନୂଆପଡ଼ା କୋମନା, ବୋଡ଼େନ ଓ ସିନାପାଲି ବ୍ଲକର ୭୯ଟି ଗ୍ରାମ ପଞ୍ଚାୟତର ୪୦୩ ଟି ଗ୍ରାମର ୨୦୦୮ ଜଣ ଚାଷୀଙ୍କୁ ନେଇ ସର୍ଭେ କରାଯାଇଥିଲା ବୋଲି ସୂଚନା ଦିଆ ଯାଇଛି ।

ଏହି ଚାଷୀ ମାନେ ଠିକ୍ ସମୟରେ ଡାଲି ବିହନ ଓ ତୈଳ ବୀଜ ପାଉ ନଥିବାରୁ ଚାଷ କରୁନଥିବା ପ୍ରକାଶ କରିଛନ୍ତି । ଏପରିକି ବିହନ, ସାର ଓ ଔଷଧ ମୂଲ୍ୟ ଅଧିକ ଥିବାରୁ ସେମାନେ କିଣି ପାରୁନାହାନ୍ତି । ସରକାର ଅନେକ କ୍ଷେତ୍ରରେ ସବସିଡିରେ ଏସବୁ ଯୋଗାଇବାର ବ୍ୟବସ୍ଥା କରୁଥିଲେ ହେଁ ପ୍ରଥମେ ଚାଷୀ ଟଙ୍କା ଦେଇ କିଣିବା ପରେ ପରେ ଆକାଉଣ୍ଟରେ ସବସିଡି ଅର୍ଥ ପଡୁଛି ଯାହାଦ୍ଵାରା ଚାଷୀ ଏହା ପ୍ରତି ଉତ୍ସାହିତ ନୁହନ୍ତି ।

ପୁଣି ଡାଲି ଫସଲ ଅମଳ ପରେ କିଣିବା ପାଇଁ ମଣ୍ଡି ବ୍ୟବସ୍ଥା ନଥିବାରୁ ଅଭାବୀ ବିକ୍ରିର ଶିକାର ହେଇଛି ଚାଷୀ । ଏଣୁ ଚାଷୀ ମାନଙ୍କୁ ଠିକ୍ ସମୟରେ ବିନା ମୂଲ୍ୟରେ ବିହନ, ସାର ଓ ଔଷଧ ଯୋଗାଇ ଦେବା ସହ ବିକ୍ରି ବ୍ୟବସ୍ଥା କରିବାକୁ ଅନୁଷ୍ଠାନ ତରଫରୁ ଦାବି କରାଯାଇଛି । ଅକ୍ଟୋବର ୧୫ ତାରିଖ ସୁଦ୍ଧା ବିହନ ନ ପାଇଲେ ଓ ଡିସେମ୍ବର ପ୍ରଥମ ସପ୍ତାହ ଭିତରେ ଚାଷ ନକଲେ କୌଣସି ଲାଭ ମିଳିବ ନାହିଁ ବୋଲି ଶ୍ରମଜୀବୀ ଅନୁଷ୍ଠାନ ର ସଦସ୍ୟ ମାନେ କହିଛନ୍ତି ।

ଏନେଇ ଜିଲ୍ଲା କୃଷି ଅଧିକାରୀ ନୂଆପଡ଼ା, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ମାନ୍ୟବର ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଦାବିପତ୍ର ଦିଆ ଯାଇଥିବା କହିଛନ୍ତି ଜିଲ୍ଲା କାର୍ଯ୍ୟକର୍ତ୍ତା ସରୋଜ କୁମାର ସୁନା ଓ ସିନାପାଲି କାର୍ଯ୍ୟକର୍ତ୍ତା ଡୋଳାମଣି ଭୋଇ ।

Comments are closed.