Latest Odisha News

BREAKING NEWS

୩ ସେବାୟତ ନିଲମ୍ବିତ; ଶ୍ରୀମନ୍ଦିର ପ୍ରଶାସନ ନେଲା ଆକ୍ସନ

ପୁରୀ:ବିଶୃଙ୍ଖଳା ଅଭିଯୋଗରେ ୩ ସେବାୟତ ନିଲମ୍ବିତ ହୋଇଛନ୍ତି । ଏନେଇ କାର୍ଯ୍ଯାନୁଷ୍ଠାନ ଗ୍ରହଣ କଲେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢୀ। । ବାହାର କାଠ ନିକଟରେ ଯାତ୍ରୀଙ୍କ ଠାରୁ ବେନିୟମ ଭାବେ ଅର୍ଥ ଆଦାୟ ନେଇ ୨ଜଣ ସେବାୟତଙ୍କୁ ନିଲମ୍ବନ କରାଯାଇଛି ।

ଗତମାସରେ ଶ୍ରୀମନ୍ଦିରର ବାହାର କାଠ ନିକଟରେ ଯାତ୍ରୀମାନଙ୍କ ଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରିବାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲେ। ଏନେଇ ୨ଜଣ ସେବାୟତଙ୍କୁ ନିଲମ୍ବନ କରାଯାଇଛି ।

ସେହିପରି ଶ୍ରୀମନ୍ଦିର ପରିସରରେ ଡାଲଡା ଘିଅ ବ୍ୟବହାରକୁ ପ୍ରରୋଚନା କରିଥିବାରୁ ମହାସୁଆର ସେବକ ବେନା ମହାସୁଆରଙ୍କୁ ନିଲମ୍ବନ କରାଯାଇଛି ।

ସୁଆର ବଡୁ ସେବକ ନାରାୟଣ ପଣ୍ଡା ଏବଂ ଖୁଣ୍ଟିଆ ସେବକ ରାଜାରାମ ଖୁଣ୍ଟିଆଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ର ୨୧ (କ) ଧାରା ଅନୁଯାୟୀ ଦୁଇ ମାସ ପାଇଁ ନିଲମ୍ବନ କରିଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ତିନି ସେବକଙ୍କୁ ସ୍ପଷ୍ଟ ଭାବରେ ଚେତାବନୀ ଦିଆଯାଇଛି ଯେ, ଏହି ନିଲମ୍ବନ ସମୟରେ ସେମାନେ ନିଜେ କିମ୍ବା ଅନ୍ୟ କୌଣସି ସେବାୟତ କିମ୍ବା ବ୍ୟକ୍ତି ବିଶେଷଙ୍କ ଦ୍ବାରା କୌଣସି ପ୍ରକାର ବିଶୃଙ୍ଖଳା କରିବାକୁ ଅପଚେଷ୍ଟା କଲେ ନିଲମ୍ବନ ଅବଧିକୁ ବୃଦ୍ଧି କରାଯିବ।

ଶ୍ରୀମନ୍ଦିର ପରିସରରେ ମହାପ୍ରଭୁଙ୍କ ନୀତି କାନ୍ତି ବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନରେ କୌଣସି ପ୍ରକାର ବାଧକ ସାଜିଲେ, ସଂପୃକ୍ତ ସେବାୟତ କିମ୍ବା ଅନ୍ୟ ବ୍ୟକ୍ତି ବିଶେଷଙ୍କୁ ଛଡାଯିବ ନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ସ୍ପଷ୍ଟ କରିଛନ୍ତି।

 

Comments are closed.