Latest Odisha News

BREAKING NEWS

ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ସୁପାରିସ୍

ପୁରୀ: ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କୁ ସୁପାରିସ୍ କରାଯାଇଛି । ଆଗାମୀ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସୁପାରିସ୍ କରିଥିବା ବୈଠକ ପରେ କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ପ୍ରଥମେ ରତ୍ନଭଣ୍ଡାରର ସ୍ଥିତି ତଦାରଖ କରିବ ଏଏସ୍ଆଇ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଏସ୍ଆଇଙ୍କୁ ଚିଠି କରିଛନ୍ତି । ଶ୍ରୀଜୀଉ ଶ୍ରୀମନ୍ଦିର ମଧ୍ୟରେ ରହୁ ନଥିବା ସମୟରେ ଏଏସ୍ଆଇ ତଦାରଖ କରିବ । ରଥଯାତ୍ରା ସମୟରେ ଏଏସ୍ଆଇ ସ୍ଥିତି ଅନୁଧ୍ୟାନ କଲେ ନୀତି ଓ ଦର୍ଶନରେ କୌଣସି ଅସୁବିଧା ହେବ ନାହିଁ । ତେଣୁ ୨୦୨୪ ରଥଯାତ୍ରା ସମୟରେ ଏଏସ୍ଆଇ, ଭିତର ରତ୍ନଭଣ୍ଡାରର ସ୍ଥିତି ତଦାରଖ କରିବା ଲାଗି ରାଜ୍ୟ ସରକାରଙ୍କୁ ସୁପାରିସ୍ କରାଯାଇଛି ।

ଏଥିପାଇଁ ଏକ କମିଟି ପାଇଁ ପ୍ରସ୍ତାବ ଦିଆଯାଇଛି । ଯେଉଁଥିରେ ଏଏସ୍ଆଇ ଅଧିକାରୀଙ୍କ ସହ ପରିଚାଳନା କମିଟି ସଦସ୍ୟ, ମନ୍ଦିରର ବରିଷ୍ଠ ଯନ୍ତ୍ରୀ ରହିବେ । ଏମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ବାହାରୁ ରତ୍ନଭଣ୍ଡାରର ସ୍ଥିତି ଆକଳନ କରିବେ । ରିପୋର୍ଟକୁ ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବ ।

ରତ୍ନଭଣ୍ଡାର ଖୋଲିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ । ଯେଉଁଥିରେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଅଥବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଅଧ୍ୟକ୍ଷତା କରିବେ ।

Leave A Reply

Your email address will not be published.