Latest Odisha News

BREAKING NEWS

ଉପବାଚସ୍ପତିଙ୍କ ଘରେ ସାପ; ଜାଲି କାଟି ବାହାର କଲା ସ୍ନେକ ହେଲ୍ପ ଲାଇନ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା  ଉପ ବାଚସ୍ପତି ରଜନୀ କାନ୍ତ ସିଂହଙ୍କ ଭୁବନେଶ୍ୱର ୟୁନିଟ ୧  ସ୍ଥିତ ସରକାରୀ ବାସ ଭବନରେ ସାପ । ଉପବାଚସ୍ପତିଙ୍କ   VIIC 9 ର କାର୍ଯ୍ୟାଳୟ ଭିତରେ ଥିବା ଏକ ବାଥରୁମ ଭିତର ଜାଲିରେ ଏଇ କଉଡ଼ିଆ ସାପ (Common Wolf Snake) ଫସି ଯାଇଥିଲା । ସାପଟି ଜାଲିର କଣା ଭିତରେ ପଶି ଯାଇଥିଲା ସିନା କିନ୍ତୁ ବାହାରି ପାରୁ ନ ଥିଲା । ଛଟପଟ ହେଉଥିଲା ।

କାର୍ଯ୍ୟାଳୟର କର୍ମଚାରୀ ମାନେ ଭୟଭୀତ ହୋଇ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ବାହାରକୁ ବାହାର କରିବା ବାଟ ପାଇ ନଥିଲେ । କାରଣ ସାପଟି କିଛି ଗୋଟେ ଖାଇବା ପରେ ଷ୍ଟିଲ ଜାଲି ଭିତରେ ଗଳି ବାହାରିବାକୁ ଚେଷ୍ଟା କରି ଅଧା ବାଟରେ ଫସି ଯାଇଥିଲା ।  ଶୁଭେନ୍ଦୁ ଜାଲିଟିକୁ ଖୋଳି ବାହାର କରିଥିଲେ। ଜାଲିଟିକୁ ଖୋଳିବା ପରେ ସେଇ ଜାଲିରେ ଫସିଥିବା ଅବସ୍ଥାରେ ସାପଟିକୁ ନେଇ ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟ କୁ ନେଇ ଆସିଥିଲେ ।

ମେଟାଲ କଟର ବ୍ୟବହାର କରି ଷ୍ଟିଲ ଜାଲିଟିକୁ କାଟିବା ପରେ ସାପ ଟି ମୁକ୍ତ ହୋଇଥିଲା । ଜାଲି ଫସି ଥିବା ଅବସ୍ଥାରେ ମୁକୁଳିବାକୁ ଚେଷ୍ଟା କରି ଭିଡ଼ି ମୋଡ଼ି ହେବା ସମୟରେ ସାପଟିର ଦେହରେ ସାମାନ୍ୟ ଆଘାତ ମଧ୍ୟ ଲାଗିଥିଲା । କ୍ଷତ ସ୍ଥାନରେ ବେଟାଡିନ ପାଉଡର ପକେଇବା ପରେ ସାପ ଟିକୁ ଅନ୍ୟତ୍ର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି ।

କଉଡ଼ିଆ ସାପ ବା କମନ ଉଲ୍ଫ ସ୍ନେକ୍ ବିଷ ହୀନ ସାପ ହୋଇଥିଲେ ହେଁ, ଲୋକମାନେ ଏହାର ଶରୀର ରଙ୍ଗ ପାଇଁ ବିଷଧର ଚିତି ସାପ ବୋଲି ଭ୍ରମରେ ପଡିଥାନ୍ତି । ଏଣୁ ଏଇ ସାପ ପାଇଁ କେହି ମଧ୍ୟ ଭୟଭୀତ ହେବା ଦରକାର ନାହିଁ ବୋଲି ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।

Leave A Reply

Your email address will not be published.