ଶ୍ରୀ ଭାଗବତ ସାର ୧୦୩: ଯେଉଁ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ଭାଗବତ ଶ୍ରବଣ କରନ୍ତି ଶ୍ରୀକୃଷ୍ଣ ତାଙ୍କ ହୃଦୟରେ ବିରାଜମାନ କରନ୍ତି
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ସମ୍ପୂର୍ଣ ବ୍ୟାଖ୍ୟା ଆରମ୍ଭ ପୂର୍ବରୁ ଶ୍ରୀସୂତ ମହାମୁନି ନାନା ଉପଦେଶ ଛଳରେ ଶୌନକ ଆଦି ଋଷି ମାନଙ୍କ ମନକୁ ସ୍ଥିର ଓ ହୃଦୟକୁ ନିର୍ମଳ କରିବାକୁ ଲାଗିଲେ କାରଣ ଶ୍ରୀମଦ ଭାଗବତ ପରି ଜ୍ଞାନ ଓ ପରମେଶ୍ୱରଙ୍କ ଲୀଳା ବର୍ଣନାରେ ପୂର୍ଣ୍ଣ ବିଷୟକୁ ଆୟତ କରିବା ପାଇଁ ସ୍ଥିର ମନ ଓ ନିର୍ମଳ ଭକ୍ତି ଯୁକ୍ତ ହୃଦୟ ନିହାତି ଦରକାର, ସଂସ୍କୃତ ଭାଗବତ
କହେ “ଶୃଣ୍ୱତାଂ ସ୍ଵକଥାଂ କୃଷ୍ଣଃ
ପୁଣ୍ୟଶ୍ରବଣ କୀର୍ତନଃ।
ହୃଦ୍ୟନ୍ତଃ ସ୍ଥୋ ହ୍ୟଭଦ୍ରାଣି
ବିଧୁନୋତି ସୁହୃତ ସତାମ୍।।
ପରମେଶ୍ୱର ଶ୍ରୀକୃଷ୍ଣଙ୍କ ସ୍ୱକଥା ବା ଲୀଳା କୀର୍ତନରେ ପୂର୍ଣ୍ଣ ଭାଗବତ ଯେଉଁ ଶ୍ରଦ୍ଧାଳୁ ଭକ୍ତ ମାନେ ଶ୍ରବଣ କରନ୍ତି ଶ୍ରୀକୃଷ୍ଣ ତାଙ୍କ ହୃଦୟରେ ବିରାଜମାନ କରି ସେମାନଙ୍କର ସମସ୍ତ ଅଶୁଭ ବାସନାକୁ ବିନାଶ କରନ୍ତି। ଅର୍ଥାତ ମନକୁ ସ୍ଥିର ଓ ହୃଦୟକୁ ନିର୍ମଳ କରନ୍ତି। ଶ୍ରୀସୂତ ମୁନି ଆହୁରି ପ୍ରାଞ୍ଜଳ କରିବାକୁ ଯାଇ କହିଲେ ଔଷଧ ସେବନ କରିବା ପୂର୍ବରୁ ତାର ସେବନ ଵିଧି ଜାଣିବା ପରି ଅବା ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ପୂର୍ବରୁ ତାର ପ୍ରୟୋଗ ନିୟମ ଜାଣିବା ଯେପରି ଅତ୍ୟନ୍ତ ଜରୁରୀ ଅଟେ ସେହିପରି ଭାଗବତ ଶ୍ରବଣ ଓ ମନନ ପାଇଁ ନିର୍ମଳ ହୃଦୟ ଓ ସ୍ଥିର ମନର ଆବଶ୍ୟକତା ନିହାତି ଦରକାର।
ଏପରି ହେଲେ ଶୌନକ ଋଷି ମାନଙ୍କ ପରି ପରମାତ୍ମାଙ୍କ ତତ୍ୱ ସମ୍ବଳିତ ଭାଗବତ ଶ୍ରବଣ ପାଇଁ ବ୍ୟାକୁଳତା ସୃଷ୍ଟି ହେବ। ଯେଉଁ ମନ୍ୟୁଷର ମନରେ ଭାଗବତ ଶ୍ରବଣ ଇଚ୍ଛା ପ୍ରକଟ ହୁଏ ପ୍ରଥମେ ତାର ମନ ବ୍ୟାକୁଳ ହୁଏ ମନରେ ନାମ କୀର୍ତନ ଶ୍ରବଣ ପାଇଁ ଏକ ପ୍ରକାର ରସ ପୂର୍ଣ୍ଣ ରୁଚି ଜାଗ୍ରତ ହୋଇଥାଏ। କାରଣ ପ୍ରଭୁଙ୍କର ଲୀଳା ଶ୍ରବଣ କରି ତାର ରସକୁ ଗ୍ରହଣ କଲେ ଅପୂର୍ବ ଆନନ୍ଦ ସହିତ ଜୀବନର ସମସ୍ତ ବାଧା ବିଘ୍ନ ନଷ୍ଟ ହୋଇଥାଏ। ଅଵଶ୍ୟ କେତେକ ମନ୍ୟୁଷ କହନ୍ତି ସଂସାରର ପ୍ରତ୍ୟେକ ବିଷୟ ଜାଣିବା ପାଇଁ ସେମାନଙ୍କ ମନରେ ପ୍ରବଳ ଆଗ୍ରହ ଅଛି, ତେଣୁ ଭାଗବତ ଶ୍ରବଣ ପାଇଁ ଅଲଗା ରୁଚି ସୃଷ୍ଟି କରିବା ଅଥବା ମନକୁ ସ୍ଥିଇ ଓ ହୃଦୟକୁ ନିର୍ମଳ କରିବାର ଆବଶ୍ୟକତା କଣ?
କେହି କେହି ନିଜ ଜନ୍ମଗତ ସଂସ୍କାର ନେଇ ଜପ, ତପ, ଧର୍ମ କର୍ମ ଆଦି କ୍ରିୟାରେ ଲିପ୍ତ ରୁହନ୍ତି ତେଣୁ ଭାଗବତ କଥା ଶ୍ରବଣ ପାଇଁ ପୂର୍ବ ପ୍ରସ୍ତୁତି ପ୍ରତି ତାଙ୍କର ଆଗ୍ରହ ନଥାଏ। ସେମାନେ ଭାଗବତ ଅଧ୍ୟୟନ ଓ ମନନ କରିପାରନ୍ତି କିନ୍ତୁ ତାର ଅମୃତ ରସ ର ଆସ୍ଵାଦନ କରି ପାରିବେ ନାହିଁ। ସେଥିପାଇଁ ସମସ୍ତ ଜ୍ଞାନ ବିମଣ୍ଡିତ ଶୌନକ ଆଦି ଋଷି ମାନଙ୍କୁ ମଧ୍ୟ ଶ୍ରୀସୂତ ମହାମୁନି ପ୍ରଥମେ ଭାଗବତ ଶ୍ରବଣ ଓ ମନନ ପୂର୍ବରୁ ଉପରୋକ୍ତ ଶିକ୍ଷା ଦେଉଛନ୍ତି ଆହୁରି ସରଳ କରିବା ପାଇଁ ସୂତମୁନି କହିଲେ ଶିଶୁ ଟିଏ ସ୍ଥିର ମନ ଓ ନିର୍ମଳ ହୃଦୟ ନେଇ ଜନ୍ମ ହୋଇଥାଏ ଓ ତାର ମାଆଙ୍କୁ ଆଦର କରିବା ସହିତ ମାଆର କ୍ଷୀର ପାନ କରି ପରମ ସନ୍ତୋଷ ଲାଭ କରେ। କିନ୍ତୁ ଯେତେବେଳେ ବଡ଼ ହେବାକୁ ଲାଗେ ଓ ସ୍ନେହମୟୀ ମା ତାକୁ ଅନ୍ନ ଖାଇବା ଶିଖାଏ ସେତେବେଳେ ତା ମନରେ ବିଭିନ୍ନ ସ୍ୱାଦ ପାଇଁ ଆଗ୍ରହ ଜନ୍ମେ ଓ ମନ ଅସ୍ଥିର ହୁଏ।
ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-102-every-living-being-in-his-creation-is-equal-to-him/
ଅନ୍ନ ଓ ବାହାର ଖାଦ୍ୟ ପ୍ରଭାବ ରେ ହୃଦୟ ମଧ୍ୟ ଆବିଳତାରେ ପୂର୍ଣ୍ଣ ହୋଇଥାଏ କିନ୍ତୁ ଉକ୍ତ ସମୟରେ ମାଆ ଓ ପିତାଙ୍କ ସଂସ୍କାର ତଥା ଗୁରୁ ଗୁରୁଜନ ମାନଙ୍କ ଉପଯୁକ୍ତ ଶିକ୍ଷା ତାର ପଥପଦର୍ଶକ ହୋଇଥାଏ। ତେଣୁ ସେହି ପରମ ଶାସ୍ତ୍ର ଭାଗବତଙ୍କ ଅମୀୟ ଗାଥା କହିବା ପୂର୍ବରୁ ଶ୍ରୀସୂତ ମହାମୁନି ଏଭଳି ଶିକ୍ଷା ପ୍ରଦାନ କରିଛନ୍ତି ତଥାପି ଶୌନକ ଆଦି ଋଷି ଗଣଙ୍କ ଜିଜ୍ଞାସା ହେ ମହାତ୍ମା ଦୟାକରି କୁହନ୍ତୁ ସେହି ପରମ ପାବନ ଭାଗବତ କଥା ଶ୍ରବଣ କରିବାର ବିଭିନ୍ନ ଉପାୟ କଣ? ଏହା କେଉଁ ସ୍ଥାନରେ, କାହା ମେଳରେ ଶ୍ରବଣ କରିବା ଉଚିତ। ଏହି ସବୁ ପ୍ରଶ୍ନ ମାନଙ୍କର ଅତି ଉପାଦେୟ ଉତ୍ତର ଶ୍ରୀସୂତ ମହାମୁନି କିପରି ଦେଇଛନ୍ତି ଜାଣିବା ଆଗାମୀ ଅଧ୍ୟାୟରେ ବର୍ତ୍ତମାନ କରିବା ସେହି ଭାଗବତଙ୍କ ମନନ ଶ୍ରୀଜଗନ୍ନାଥ ଦାସଙ୍କ ଉକ୍ତିରେ
ନିର୍ମଳ ବିଷ୍ଣୁର ଚରିତ।
କୃଷ୍ଣ ବିଷୟ ଭାଗବତ।।
ସୁଜନ ଜନଙ୍କର ହିତ।
କହଇ ଦାସ ଜଗନ୍ନାଥ।।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.