Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୦୪: ସାଧୁ ସନ୍ଥଙ୍କ ମେଳରେ ରହି ଭାଗବତ ଚର୍ଚ୍ଚା ଶୁଣିବା ଅତ୍ୟନ୍ତ ଶୁଭଙ୍କର

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଚର୍ଚ୍ଚା ଓ ଶ୍ରବଣ କରିବାର ଉପଯୁକ୍ତ ସ୍ଥାନ ଓ ନିୟମ ଵିଷୟରେ ବୁଝାଇବାକୁ ଯାଇ ଶ୍ରୀସୂତ କହିଲେ “କୌଣସି ଏକ ପୁଣ୍ୟ ତୀର୍ଥ କ୍ଷେତ୍ରରେ କୃଷ୍ଣକଥା ଲୋଲୁପି ସାଧୁ ସନ୍ଥଙ୍କ ଗହଣରେ ବାସ କରି ସେହି ମାନଙ୍କ ସେବାରେ ନିୟମିତ ଯୋଗ ଦେଇ କେହି ଜଣେ ବ୍ରହ୍ମବେତାଙ୍କ ଠାରୁ ଶ୍ରୀମଦ ଭାଗବତ ଅମୀୟ ବାଣୀ ଶ୍ରବଣ କଲେ ଅଶେଷ ଆନନ୍ଦ ସହିତ ଅମୃତ ରସର ସ୍ୱାଦ ଅନୁଭୂତ ହୁଏ। ସାଧୁ ସନ୍ଥଙ୍କ ଗହଣରେ ବାସ କରିବାର ଅନ୍ୟ ଏକ ଉପକାର ହେଲା ଭାଗବତ କଥା ଶ୍ରବଣ ପ୍ରତି ମନରେ ରୁଚି ଜାଗ୍ରତ ହେବା।

ସମ୍ପୂର୍ଣ୍ଣ ରୁଚି ଉତ୍ପନ୍ନ ହେବା ପରେ ମନରେ ଆଉ ସଂଶୟ ରହେନାହିଁ। ତେଣୁ ନିୟମ ପୂର୍ବକ ଭାଗବତ କଥା ଶୁଣିବା ଆବଶ୍ୟକ। ଏକୁଟିଆ ଶୁଣିବା ଅପେକ୍ଷା ବହୁ ଲୋକଙ୍କ ମେଳରେ ଶୁଣିବା ଅତ୍ୟନ୍ତ ଲାଭ ଦାୟକ। ପୁନଃ ସାଧାରଣ ଲୋକଙ୍କ ସହିତ ଶୁଣିବା ଅପେକ୍ଷା ସାଧୁ ସନ୍ଥଙ୍କ ମେଳରେ ରହି ଭାଗବତ ଚର୍ଚ୍ଚା ଶୁଣିବା ଅତ୍ୟନ୍ତ ଶୁଭଙ୍କର। କାରଣ ମହାପୁରୁଷ ମାନଙ୍କ ଶରୀରରୁ ନିର୍ଗତ ହେଉଥିବା ତେଜ ଆମ ମନରେ ଅତ୍ୟନ୍ତ ରୁଚି ସ୍ଥାପନ କରିଥାଏ। ହରି କଥାରେ ରୁଚି ଜାତ ହେଲେ, ମନ ଶାନ୍ତ ହେବା ସହିତ ହୃଦୟ ନିର୍ମଳ ହେବାରେ ଲାଗେ। ସଂସାର ମାୟାରେ ବାନ୍ଧି ହୋଇ ରହିଥିବା ବ୍ୟକ୍ତି ମାନଙ୍କ ମନରେ କାମ, କ୍ରୋଧ ଆଦି ରିପୁ ଗଣ ବସା ବାନ୍ଧି ରହିଥାନ୍ତି।

ସେଗୁଡିକ ର ବହିଷ୍କାର ନକରି ଭାଗବତ ଶ୍ରବଣ ସମ୍ପୂର୍ଣ ଫଳ ଦେଇନଥାଏ। ସେଥିପାଇଁ ବାରମ୍ବାର ସତସଙ୍ଗ କରିବାର ଉପଦେଶ ଦିଆ ଯାଉଛି। ଆମେ ଯଦି ସତସଙ୍ଗ ରୂପକ କୁଠାରରେ ଆମ ମନ ରୂପକ କ୍ଷେତ ଟିକୁ ସଫା କରିବା ଓ ସେଥିରେ ସାଧୁ ସେଵା ରୂପକ ଶ୍ରମ ପ୍ରଦାନ କରି ତାହାକୁ ନିର୍ମଳ ଓ ପବିତ୍ର କରିବା, ତେବେ ଭଗବତ ବୀଜ ଅଙ୍କୁରିତ ହେବାକୁ ଲାଗିବ ସେହି ବୀଜରୁ ଅମୃତ ଫଳ ଉତ୍ପନ ହେବ, ସେହି ଅମୃତ ଫଳର ସ୍ୱାଦ ଓ ରସ କେତେ ପୃଷ୍ଟିକର ତାହା ଅନୁଭବି ହିଁ ବର୍ଣନା କରିପାରିବ।

ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-103-shri-krishna-resides-in-the-hearts-of-those-who-listen-to-the-bhagwat-with-devotion/

ମନରେ ଉତ୍ପନ ଅମୃତ ସାଗର ରେ ନିତ୍ୟ ଅବଗାହନ କଲେ, ହୃଦୟରେ ଶ୍ରୀକୃଷ୍ଣ ଙ୍କ ଉପସ୍ଥିତି ଅନୁଭୂତ ହୋଇ ଏକ ଅଲୌକିକ ଆନନ୍ଦ ଉପଲବ୍ଧ ହୋଇ ଥାଏ। ତେଣୁ ହେ ଶୌନକ ଆଦି ଋଷି ଗଣ ବର୍ତ୍ତମାନ ସମସ୍ତେ ଉପଯୁକ୍ତ ସ୍ଥାନ ରେ ସାଧୁ ସନ୍ଥ ଗହଣରେ ରହିଛେ, କେବଳ ହୃଦୟରେ ପ୍ରବଳ ରୁଚି ଜାଗ୍ରତ କରାଇ ଶ୍ରୀକୃଷ୍ଣ ଚରିତ ଶୁଣିବା ରେ ମନଦେବା। ଏହା ଅବୋଧ ଭାଷାରେ
ଜ୍ଞାନ ସୂର୍ଯ୍ୟ କେ ଉଦୟତେଂ
ମୋହ ମଳିନତା ଦୂର ହୋ
ସବ ସଂଶୟ ଛିନ ମେଂ ନ ସେଂ
ହୃଦୟ ପ୍ରେମ ପରିପୁର ହୋ
ଆସନ୍ତୁ ତେବେ ଜ୍ଞାନ ସୂର୍ଯ୍ୟଙ୍କ ଉଦୟ କରାଇ ମନରୁ ମଳିନତା ଦୂର କରିବା ଓ ସବୁ ସଂଶୟ ଛିନ୍ନ କରି ଭଗବତ ପ୍ରେମରେ ନିଜେ ବୁଡିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

Comments are closed.