ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ସର୍ବତତ୍ତ୍ୱର ସାର ଓ ଶ୍ରୀକୃଷ୍ଣ ଭକ୍ତିର ମାର୍ଗ ଦର୍ଶକ ରୂପେ ଭଗବାନ ବ୍ୟାସ ଦେବଙ୍କ ଦ୍ୱାରା ରଚିତ ମହାପୁରାଣ, ତେଣୁ ଏହାକୁ ଶ୍ରବଣ କରିବାର ନିୟମ ଆପଣ ମାନଙ୍କୁ କହିଲି। ତେବେ ଶ୍ରୀମଦ ଭାଗବତ ଆରମ୍ଭ ପୂର୍ବରୁ ମୁଁ ଆଉ ଦୁଇଟି ବିଷୟରେ ଆପଣମାନଙ୍କ ସଂଶୟ ମୋଚନ କରିଦେଉଛି। ଗୋଟିଏ ବିଷୟ ହେଉଛି ଶ୍ରୀମଦ ଭାଗବତ କିପରି ସମସ୍ତ ଶାସ୍ତ୍ରର ସାରତତ୍ୱ? ଏଠାରେ ଆଖୁ ରସ ଓ ମିଶ୍ରିର ଉଦାହରଣ ନିଆ ଯାଇପାରେ।
ମିଶ୍ରି ଆଖୁରସରୁ ହିଁ ଉତ୍ପନ ହୋଇଛି, କିନ୍ତୁ ଆଖୁ ରସକୁ ସିଦ୍ଧ କରି କରି ଶେଷରେ ମିଶ୍ରିର ରୂପ ଦିଆଯାଇଛି, ତାହା ପୂର୍ବରୁ ଆଖୁ ରସରୁ ଗୁଡ଼ ଓ ଚିନି ମଧ୍ୟ ଉତ୍ପନ ହୋଉଛି। କିନ୍ତୁ ମିଶ୍ରିକୁ ସର୍ବ ଶ୍ରେଷ୍ଠ ବୋଲି ବିବେଚିତ କରାଯାଇଛି। ସେହିପରି କ୍ଷୀରରୁ ପ୍ରସ୍ତୁତ ଘିଅ ମଧ୍ୟ ଆମ ପାଇଁ ବିଶେଷ ଉପକାରୀ ଏହା କ୍ଷୀରକୁ ଦହିରେ ପରିଣତ କରି ମନ୍ଥନ କରିବାରୁ ପ୍ରକଟ ଲହୁଣୀରୁ ପ୍ରସ୍ତୁତ ହୋଇଥାଏ। ମୋର କହିବାର ତାତ୍ପର୍ଯ୍ୟ ଶସ୍ତ୍ର ରୂପକ କ୍ଷୀର ସାଗରକୁ ମନ୍ଥନ କରି କରି ଭଗବାନ ବ୍ୟାସ ଯେଉଁ ଅମୃତ ତୁଲ୍ୟ (ଘୃତ ଓ ମିଶ୍ରି) ଶ୍ରୀମଦ ଭାଗବତଙ୍କୁ ପ୍ରକଟ କରାଇଛନ୍ତି, ତାହା ସର୍ବ ଶସ୍ତ୍ରର ସାର ତତ୍ୱ ନୁହେଁ କି?
ଆଉ ଏକ କଥା ଚରାଚର ସ୍ୱାମୀ ଭଗବାନ ବିଷ୍ଣୁ ଯେତେବେଳେ ନିଜ ସୃଷ୍ଟି ତ୍ୟାଗ କରି ବୈକୁଣ୍ଠ ଫେରିଗଲେ ସେତେବେଳେ ସଂସାର ଅଜ୍ଞାନ ଅନ୍ଧକାରରେ ପୂର୍ଣ୍ଣ ହୋଇଗଲା। ଦୟା, ଧର୍ମ, ଜ୍ଞାନ, କ୍ଷମା ତଥା ପବିତ୍ରତା ସଂସାରରୁ ଅତିକ୍ରାନ୍ତ ହୋଇଗଲା। ଠିକ ସେହିପରି ସମୟରେ ଜ୍ଞାନର ସୂର୍ଯ୍ୟ ରୂପରେ ଶ୍ରୀମଦ ଭାଗବତ ଉଦିତ ହେଲେ ଓ ଏହି ମହାନ ଶାସ୍ତ୍ରର ଚର୍ଚ୍ଚା ଆରମ୍ଭ ହେଲା ମୋର ଗୁରୁ ଶ୍ରୀ ଶୁକଦେବଙ୍କ ମୁଖରୁ। ମୁଁ ଏହା ଶ୍ରବଣ କରିବାର ସୌଭାଗ୍ୟ ଲାଭ କଲି, ଶ୍ରୀକୃଷ୍ଣଙ୍କ ଅମୀୟ ଚରିତର ମଧୁର ରସ ଆସ୍ଵାଦନ କରି ମୁଁ ଭୋକ ଶୋଷ ଭୁଲି ଗଲି, ଅବଶ୍ୟ ଗୁରୁ ଶ୍ରୀଶୁକଦେବଙ୍କ ପରି ମୁଁ ଆପଣ ମାନଙ୍କୁ ଏହି ମହାନ କଥାମୃତ ପ୍ରଦାନ କରିବାକୁ ଚେଷ୍ଟା କରିବି । ଆପଣମାନେ ମଧ୍ୟ ସମସ୍ତ ନିୟମକୁ ମାନି ଶ୍ରୀମଦ ଭାଗବତ କଥା ଶ୍ରବଣରେ ମଗ୍ନ ରହିବେ ।
ଏହା ଶ୍ରବଣ କରି ଆପଣ ମାନଙ୍କ ଆତ୍ମ ସନ୍ତୋଷ ହେବା ସହିତ ମୋର ଆତ୍ମିକ ଶକ୍ତିର ପରିସ୍ପୁରଣ ନିଶ୍ଚିତ ହେବ। କାରଣ ଶ୍ରୀମଦ ଭାଗବତ ଉଭୟ ଶ୍ରୋତା ଓ ବକ୍ତାଙ୍କର ହୃଦୟକୁ ପ୍ଲାବିତ କରେ। ପରମାତ୍ମାଙ୍କ ଅମୀୟ ଚରିତ୍ର ବର୍ଣନା ମନ୍ୟୁଷର ହୃଦୟକୁ ସ୍ଵଚ୍ଚ ତଥା ନିର୍ମଳ କରିଦିଏ। ଯେଉଁ ପ୍ରାଣୀ ସର୍ବଦା ଅତ୍ୟନ୍ତ ପ୍ରେମ ଓ ଶ୍ରଦ୍ଧା ସହକାରେ ଶ୍ରୀମଦ ଭାଗବତ ଭଳି ସର୍ବ ଶସ୍ତ୍ର ସାର ଓ ଶ୍ରୀକୃଷ୍ଣଙ୍କ ଲୀଳା ବର୍ଣନାକୁ ଶ୍ରବଣ କରେ ସେହିଁ ପରମାତ୍ମାଙ୍କ କର୍ମ ଓ ରହସ୍ୟକୁ ଉପଲବ୍ଧ କରିପାରେ।
ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-105-what-are-the-three-rules-of-srisuta/
ତେଣୁ ହେ ଋଷି ଗଣ ଆପଣ ମାନେ ନିଜକୁ ସେହି ପରମପୁରୁଷଙ୍କ ପାଖରେ ସମର୍ପିତ କରି ମୋର ମୁଖରୁ ନିଃସୃତ ହେବାକୁ ଯାଉଥିବା ଭାଗବତ ରୁପି ଅମୃତ ପାନରେ ମନ ନିବେଶ କରନ୍ତୁ ଯେଭଳି ଅତୀତରେ ହୋଇଥିଲା।
ଶ୍ରୀ ନାରାୟଣ ବୀଜ ଅମଲ ଅଙ୍କୁର ଚତୁରାନନ।
ଶ୍ରୀ ନାରଦ ତନୁ ତନୋ ବ୍ୟାସ ଶାଖା ଅତି ଶୋଭନ।।
ଶ୍ରୀ ଶୁକ ପାୱନ ପୁଷ୍ପ ଗନ୍ଧ ହୈ ସରସ ସୁବାନୀ।
କୃଷ୍ଣ କଥା ଫଳ ମଧୁର ଖାଇଁ ମୁନିବର ବିଜ୍ଞାନୀ।।
ଏହି ଅବୋଧ ଭାଷାରେ ଲିଖିତ ପଦର ବ୍ୟାଖ୍ୟା ଆବଶ୍ୟକ ନାହିଁ କାରଣ ଏହା ଶ୍ରୀ ନାରାୟଣଙ୍କ ଠାରୁ ପ୍ରକାଶିତ ହୋଇ ବ୍ରହ୍ମା, ନାରଦ ବ୍ୟାସ, ଓ ଶ୍ରୀଶୁକଦେବଙ୍କ ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଥିବା ଶ୍ରୀମଦ ଭାଗବତ ରୂପୀ ମଧୁର ଫଳ ବିଷୟରେ ହିଁ ସୂଚିତ କରୁଛି।
ଶ୍ରୀଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ମଧ୍ୟ ଅତି ସୁନ୍ଦର କଥା ବର୍ଣନା କରିଛନ୍ତି ଯଥା
ଈଶ୍ୱର କ୍ରୀଡା ଏ ଜଗତ।
ପ୍ରାଣିଏ ଈଶ୍ୱର ଆୟତ।।
. ଅବା
କାଳର ବଶ ଏ ଜଗତ।
ପ୍ରାଣିଏ କାଳର ଆୟତ।।
ତେଣୁ ଆଗାମୀ ଅଧ୍ୟାୟରେ ସେହି ପରମପୁରୁଷ ବା ବିରାଟ ପୁରୁଷଙ୍କ କଥା ଆଲୋଚନା କରିବା ଯେ ଏହି କାଳର ସ୍ରଷ୍ଟା ହୋଇ ମଧ୍ୟ ନିଜେ କାଳର ଆୟତରେ ଅଛନ୍ତି। ଏଵେ କରିବା ଭାଗବତଙ୍କ ସ୍ମରଣ ଓ ମନନ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.