ଶ୍ରୀ ଭାଗବତ ସାର ୧୦୯: ବିରାଟପୁରୁଷଙ୍କ ନାଭିରୁ ଏକ ପଦ୍ମ ଜାତ ହୋଇ ସେଥିରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଆବିର୍ଭାବ ଘଟିଲା
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ସୃଷ୍ଟି ତତ୍ୱ ଆଲୋଚନା କରି ଆମେ ଜାଣିଲେ ସଚରାଚର ଜଗତରେ ବ୍ୟାପ୍ତ ବିରାଟପୁରୁଷ ଅନନ୍ତ ଶୟନରେ ଥିବା ସମୟରେ ତାଙ୍କ ନାଭିରୁ ଏକ ପଦ୍ମ ଜାତ ହୋଇ ସେଥିରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଆବିର୍ଭାବ ଘଟିଲା। ବିରାଟପୁରୁଷଙ୍କ ଇଚ୍ଛା ଗୁଡିକ ବ୍ରହ୍ମାଙ୍କ ମନରେ ଉଦ୍ରେକ ହେଲା, ସେହି ବିରାଟ ପୁରୁଷଙ୍କ ନାଭି କମଳରେ କିଛି ଶୈବାଳ ଦେଖା ଦେଲା ଓ ଇଚ୍ଛା ଶକ୍ତି ବଳରେ ପରମପୁରୁଷ ଏହି ଶୈବାଳରୁ ସମଗ୍ର ଉଦ୍ଭିଦ ଜଗତ ରଚନାର ଆରମ୍ଭ କଲେ, ତେଣେ ତାଙ୍କର ଏହି ଇଚ୍ଛା ଶକ୍ତି ବ୍ରହ୍ମାଙ୍କ ପାଖକୁ ସଂଚାରିତ ହେବାରୁ ତାଙ୍କ ମନରେ ଜୀବ ଜଗତ ସୃଷ୍ଟିର ଇଚ୍ଛା ଜାଗ୍ରତ ହେଲା।
ବ୍ରହ୍ମାଙ୍କର ଚାରିମସ୍ତକରୁ ଚାରି ଇଚ୍ଛା ପ୍ରକଟ ହୋଇ ଚାରି ଜଣ ଦିବ୍ୟ ପୁରୁଷଙ୍କ ଆବିର୍ଭାବ ଘଟିଲା ସେମାନେ ହେଲେ ସନକ, ସନନ୍ଦନ, ସନାତନ ସନତ କୁମାର, ଯେଉଁ ମାନେ ବିଶୁଦ୍ଧ ବ୍ରହ୍ମଚାରୀ ରୂପେ ସଂସାର ଦେଖିଲ କିଛି ଅଂଶରେ ମାୟା ତାଙ୍କ ସହିତ ଥିଲା କିନ୍ତୁ ବ୍ରହ୍ମାଙ୍କ ମାନସ ପୁତ୍ର ହୋଇଥିଲେ ମଧ୍ୟ ସେମାନେ ସେହି ବିରାଟ ପୁରୁଷଙ୍କ ଅଂଶ ସ୍ୱରୂପ ସ୍ୱୟଂ ନାରାୟଣ ଅଂଶଧାରୀ ଥିଲେ, ତେଣୁ ବ୍ରହ୍ମାଙ୍କ ସୃଷ୍ଟି ରଚନାର ପ୍ରବଳ ଇଚ୍ଛାକୁ ପ୍ରକୃତ ଭାବେ କ୍ରିୟଶିଳ କରିବା ସେମାନଙ୍କ ପାଇଁ ସମ୍ଭବ ନଥିଲା। ସେମାନେ ଯୋଗ ସାଧନାକୁ ଅଧିକ ଗୁରୁତ୍ୱ ଦେଲେ, ଅତି ବିନୟ ଭାବରେ ବ୍ରହ୍ମାଙ୍କୁ ଅନୁରୋଧ କଲେ ସେମାନଙ୍କୁ ସୃଷ୍ଟି ପ୍ରକ୍ରିୟାର ମାୟା ଜାଲରେ ନପକାଇ ସେହି ବିରାଟ ପୁରୁଷଙ୍କୁ ଧ୍ୟାନ କରିବାର ସୁଯୋଗ ଦିଅନ୍ତୁ।
ଏପରି ଅନୁରୋଧ କରି ଚାରି କୁମାର ଗଣ ଶୁଦ୍ଧ, ନିର୍ମଳ ଓ ସତ୍ୱ ଗୁଣ ଆଧାର କରି ସେହି ନାରାୟଣଙ୍କୁ ଆରାଧନା କରିବାକୁ ଲାଗିଲେ ସଂସ୍ମୃତ ଭାଗବତରେ କୁହାଯାଇଛି ସ୍ୱୟଂ ନାରାୟଣ ମଧ୍ୟ ଏହି ଚାରି କୁମାରଙ୍କ ସହିତ ତପସ୍ୟା ରତ ହୋଇଗଲେ, କାରଣ ଏହି ଚାରି କୁମାର ତାଙ୍କରି ଇଚ୍ଛାରୁ ଜାତ ଯଥା
“ସ ଏବ ପ୍ରଥମଂ ଦେବଃ କୌମାରଂ ସର୍ଗମାସ୍ଥିତଃ।
ଚଚାର ଦୁଶ୍ଚରଂ ବ୍ରହ୍ମା ବ୍ରହ୍ମଚର୍ଯ୍ୟମ ଖଣ୍ଡିତମ।।”
ଅର୍ଥାତ ଚାରି କୁମାରଙ୍କ ସହିତ ନାରାୟଣଙ୍କ ଯୋଗ ସଧାନ ବ୍ରହ୍ମାଙ୍କର ସମସ୍ତ ଇଚ୍ଛାକୁ ବ୍ୟାହତ କଲା। ବ୍ରହ୍ମାଙ୍କ ପ୍ରବଳ ଇଚ୍ଛା ମୋହରେ ପରିଣତ ହେଲା, ଆଉ ମୋହ ଥିଲା ରଜ ଗୁଣର ପରିପ୍ରକାଶ। ତେଣୁ ବ୍ରହ୍ମା ଏମିତି ଏକ ଆକର୍ଷଣୀୟ ମୋହିନୀ ଶକ୍ତିର ଚିନ୍ତା କଲେ, ଯାହାର ଆକର୍ଷଣରେ ମନକୁ ମନ ସୃଷ୍ଟି ରଚନା ହୋଇ ଚାଲିବ। ଆଗକୁ ଘଟିଲା ଏକ ଚମତ୍କାର ଘଟଣା, କଣ ସେ ଚମତ୍କାର ଘଟଣା ଜାଣିବା ଆଗାମୀ ଅଧ୍ୟାୟରେ। ବର୍ତ୍ତମାନ ସେହି ଭାଗବତ ବାଣୀ
ସେ ନାଭି ମଧ୍ୟୁ ପଦ୍ମ କୋଷ।
ତତକ୍ଷଣେ ହୋଇଲା ପ୍ରକାଶ।।
ସେ ଲୋକ ପଦ୍ମେ ନାରାୟଣ।
ସ୍ୱୟଂ ପ୍ରବେଶ ରଜୋ ଗୁଣ।।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.